ପ୍ୟାରିସ୍‌: ଆର୍ଜେଣ୍ଟିନାର ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ ଲିଓନେଲ୍‌ ମେସି ଓ ଜାମାଇକା ସ୍ପ୍ରିଣ୍ଟର ସେଲି ଆନ୍‌ ଫ୍ରେଜର ପ୍ରାଇସ୍‌ଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଲୌରିଅସ୍‌ ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ଦଳ ଭାବେ ଆର୍ଜେଣ୍ଟିନାର ନାମ ଘୋଷଣା କରାଯାଇଥିବାରୁ ଏହି ଦଳ ପକ୍ଷରୁ ମେସି ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏହାଫଳରେ ମେସି ପ୍ରଥମ ଖେଳାଳି ଭାବେ ଉଭୟ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଓ ଶ୍ରେଷ୍ଠ ଦଳ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ୨୦୨୦ରେ ମେସିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ତେବେ ଏହି ପୁରସ୍କାରକୁ ସେ ଫର୍ମୁଲା ୱାନ୍‌ ଡ୍ରାଇଭର ଲୁଇସ୍‌ ହାମିଲଟନ୍‌ଙ୍କ ସହିତ ମିଳିତ ଭାବେ ବାଣ୍ଟିଥିଲେ। ସେହିପରି ଫ୍ରେଜର ପ୍ରାଇସ୍‌ଙ୍କ ପାଇଁ ୨୦୨୨ ଚମତ୍କାର ବର୍ଷ ରହିଥିଲା। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଏମାନଙ୍କ ବ୍ୟତୀତ କାର୍ଲୋସ୍‌ ଆଲ୍‌କାରାଜ, ଖ୍ରୀଷ୍ଟିଆନ୍‌ ଏରିକସନ୍‌, କ୍ୟାଥରିନ୍‌ ଡେବ୍ରୁନର, ଏଲିନ୍‌ ଗୁ’ଙ୍କୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି।

Advertisment

ସାଉଦି ଆରବରେ ଖେଳିବେ ମେସି!

ରିୟାଦ: ଆର୍ଜେଣ୍ଟିନାର ତାରକା ଫୁଟ୍‌ବଲର୍‌ ଲିଓନେଲ ମେସି ଆଗାମୀ ଋତୁରେ ସାଉଦି ଆରବରେ ଖେଳିବା ନେଇ ପ୍ରାୟ ନିଶ୍ଚିତ ହୋଇଛି। ଏଥିପାଇଁ ଏକ ବଡ଼ ଚୁକ୍ତି ନେଇ ବୁଝାମଣା ହୋଇଥିବା ସୂଚନା ମିଳୁଛି। ‘ମେସିଙ୍କ ଚୁକ୍ତି ଶେ‌ଷ ହୋଇଛି। ସେ ଆଗାମୀ ଋତୁରେ ସାଉଦି ଆରବରେ ଖେଳିବେ। ପ୍ୟାରିସ ସେଣ୍ଟ-ଜର୍ମାନ (ପିଏସ୍‌ଜି) ସହ ତାଙ୍କର ଚୁକ୍ତି ଜୁନ୍‌ ୩୦ରେ ଶେଷ ହେବ। ଏହା ପୂର୍ବରୁ ଆମେ ତାଙ୍କ ସହ ବଡ଼ ଚୁକ୍ତି କରିଛୁ। କିନ୍ତୁ କିଛିଟା ବାକି ରହିଛି। ଶୀଘ୍ର ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ଏହାପରେ ସମସ୍ତ ସୂଚନା ଦିଆଯିବ’ ବୋଲି ଜଣେ ବ୍ୟକ୍ତି ନିଜର ଏବଂ କ୍ଲବ୍‌ ନାଁ ଗୋପନ ସର୍ତ୍ତରେ କହିଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବିନା ଅନୁମତିରେ ସେ ସାଉଦି ଆରବ ଗସ୍ତ କରିଥିଲେ। ଫଳରେ ପିଏସ୍‌ଜି ତାଙ୍କୁ ଦୁଇ ସପ୍ତାହ ଲାଗି ନିଲମ୍ବନ କରିଥିଲା। ନିଲମ୍ବନ ଉଠିବା ପରେ ସେ ସୋମବାରଠୁ ପିଏସ୍‌ଜିରେ ଅଭ୍ୟାସ ଆରମ୍ଭ କରିଛନ୍ତି।