ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଗସ୍ତ ପାଇଁ ଲକ୍ଷ୍ମଣ ମୁଖ୍ୟ କୋଚ୍ ନିଯୁକ୍ତ

ମୁମ୍ବାଇ : ଭାରତୀୟ ଦଳର ଆଗାମୀ ଜିମ୍ବାଓ୍ବେ ଗସ୍ତ ପାଇଁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ଲକ୍ଷ୍ମଣ ଏବେ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ ଏକେଡେମୀର ମୁଖ୍ୟ ଅଛନ୍ତି । ଜିମ୍ବାଓ୍ବେ ଗସ୍ତରେ ଲକ୍ଷ୍ମଣଙ୍କୁ ପୂର୍ବତନ କ୍ରିକେଟର ହୃଷିକେଶ କାନିତକର ଓ ସାଇରାଜ ବାହୁତୁଲେ ସହାୟତା କରିବେ ।

ଭାରତୀୟ ଦଳର ଜିମ୍ବାଓ୍ବେ ଗସ୍ତ ପରେ ଚଳିତ ମାସ ୨୭ରୁ ଆରମ୍ଭ ହେଉଥିବା ଏସିଆ କପରେ ପୁଣି ଦ୍ରାବିଡ ଦଳ ସହିତ ଯୋଗ ଦେବେ । ଆସନ୍ତା ୨୦ ତାରିଖରେ ଭାରତୀୟ ଦଳର କେତେକ ଖେଳାଳି ଓ ସପୋର୍ଟ ଷ୍ଟାଫ ୟୁଏଇ ଯିବେ ।

ଗୁରୁବାରଦିନ କେ.ଏଲ. ରାହୁଲଙ୍କୁ ଜିମ୍ବାଓ୍ବେ ଗସ୍ତ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ତାଙ୍କୁ ବିସିସିଆଇର ମେଡିକାଲ ଟିମ ଫିଟ ଘୋଷଣା କରିବା ପରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପୂର୍ବରୁ ଶିଖର ଧଓ୍ବନଙ୍କୁ ଭାରତୀୟ ଦଳର ଅଧିନାୟକ ଘୋଷଣା କରାଯାଇଥିବାବେଳେ ଏବେ ତାଙ୍କୁ ଉପଅଧିନାୟକ କରାଯାଇଛି ।

ଭାରତୀୟ ଦଳ ଚଳିତ ମାସରେ ଜିମ୍ବାଓ୍ବେ ଗସ୍ତରେ ଯାଇ ୧୮ରୁ ୨୨ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହା ପରେ ଭାରତୀୟ ଦଳ ଏସିଆ କପ ଖେଳିବାକୁ ୟୁଏଇ ଯିବ । ଅଗଷ୍ଟ ୨୮ରେ ଭାରତୀୟ ଦଳ ଏସିଆ କପରେ ପାକିସ୍ତାନକୁ ଭେଟିବ ।

 

 

ସମ୍ବନ୍ଧିତ ଖବର