ମୁମ୍ବାଇ: ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଗୋଟିଏ ଯୁଗର ସମାପ୍ତି ଘଟିବାକୁ ଯାଉଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହା ‌ଶେଷ କାର୍ଯ୍ୟଦିବସ ଥିଲା ବୋଲି ବିବେଚନା କରାଯାଉଛି। ବିସିସିଆଇର ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟାଟିଂ କିଂବଦନ୍ତି ଆଉ ତାଙ୍କ ଚୁକ୍ତି ସମ୍ପ୍ରସାରଣ କରିବା ସପକ୍ଷରେ ନାହାନ୍ତି। ଦ୍ବିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଭିଭିଏସ୍ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବା ପଥ ମଧ୍ୟ ପରିସ୍କାର ହୋଇଛି। ଲକ୍ଷ୍ମଣ ମଧ୍ୟ ଏହି ପଦ ନେବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ଏ ସମ୍ପର୍କରେ ବିସିସିଆଇ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଲକ୍ଷ୍ମଣ ରହିଛନ୍ତି। ଏହା ପୂର୍ବରୁ ସେ ଆୟର୍ଲାଣ୍ଡ୍‌ ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଥିବା ଭାରତୀୟ ଦଳ ସହ ସେ ପୂର୍ଣ୍ଣକାଳୀନ ପ୍ରଶିକ୍ଷଣ ଦାୟିତ୍ବ ସମ୍ଭାଳିବା ପ୍ରାୟ ନିଶ୍ଚିତ ରହିଛି। ୨୦୨୧ରେ ରାହୁଲ ଦ୍ରାବିଡ଼ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଲକ୍ଷ୍ମଣଙ୍କୁ ଏନ୍‌ସିଏର ମୁଖ୍ୟ ନିଯୁକ୍ତ କରାଯାଇଥିଲା।

Advertisment

ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ ଦଳର ଗସ୍ତ କରିଥିବା ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ, ଏସିଆ କପ୍‌ ବିଜୟ, ଦିନିକିଆ ବିଶ୍ବକପ୍‌ ଉପବିଜେତା ଏବଂ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍‌ ଉପବିଜେତା ହୋଇଛନ୍ତି। ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଟେଷ୍ଟ୍ ଶୃଙ୍ଖଳା ବିଜୟ ଏବଂ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଦେଶ ବିଜୟ ମଧ୍ୟ ସାମିଲ ରହ‌ିଛି। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ୍‌, ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ଘରୋଇ‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ମଧ୍ୟ ଜିତିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ପରାଜୟ ସହିତ ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟ୍‌ ମଧ୍ୟ ହାରିଥିଲା ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷକ ଦଳ। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସମୟରେ ଭାରତ ଉଭୟ ଟେଷ୍ଟ୍ ଓ ଦିନିକିଆରେ ଏକ ନମ୍ବର ଦଳ ରହିବା ସହ ଶୁବମନ ଗିଲଙ୍କ କ୍ୟାରିୟର୍ ଗଢ଼ିବା ଏବଂ ବିରାଟ କୋହଲିଙ୍କୁ ଫର୍ମ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।