ହାଇଦ୍ରାବାଦ: ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା ସଫଳତାର ସୋପାନ ଚଢ଼ି ଚାଲିଛନ୍ତି। ହେଲେ ଆଇପିଏଲ୍ରେ ତାଙ୍କ ସଫଳତା ପଛର ରହସ୍ୟ କ'ଣ ବା କି ଗୋପନ କଥା ରହିଛି ସେ ନେଇ ଖୁଲାସା କରିଛନ୍ତି ଭାରତୀୟ ଦଳର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ। ଯେକୌଣସି ଚାପ ସମୟରେ ସବୁବେଳେ ଶାନ୍ତ ରହିବାର ସାମର୍ଥ୍ୟ ହିଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଜଣେ ଅଧିନାୟକ ଭାବେ ରୋହିତଙ୍କ ସଫଳତାର ଗୁଢ଼ ରହସ୍ୟ ବୋଲି କହିଛନ୍ତି ଲକ୍ଷ୍ମଣ। ଏହି ୩୩ ବର୍ଷ ବୟସ୍କ ମୁମ୍ବାଇ ତାରକା ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରହିଛନ୍ତି। ସେ ଦଳକୁ ୪ ଥର ବିଜେତା କରାଇ ସାରିଲେଣି। ଯାହାକି ସବୁଠୁ ଶକ୍ତିଶାଳୀ ଦଳ ଭାବେ ପରିଗଣିତ ହେଉଥିବା ଚେନ୍ନାଇ ସୁପର କିଙ୍ଗ୍ସଠାରୁ ଗୋଟିଏ ଅଧିକ ରହିଛି। ଚେନ୍ନାଇ ଦଳର ନେତୃତ୍ବ ଭାର ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ରହିଛି। ତଥାପି ଆଇପିଏଲ୍ ଇତିହାସରେ ସବୁଠୁ ସଫଳତମ ଅଧିନାୟକ ଭାବେ ରୋହିତଙ୍କ ନାମ ରହିଛି। ଡେକାନ୍ ଚାର୍ଜର୍ସ ସହ ପ୍ରଥମ ଆଇପିଏଲ୍ ଖେଳିବାଠାରୁ ଏପର୍ଯ୍ୟନ୍ତ ଜଣେ ବ୍ୟାଟ୍ସମ୍ୟାନ୍ ଏବଂ ଅଧିନାୟକ ଭାବେ ରୋହିତଙ୍କ ସଂପୃକ୍ତି କିପରି ରହିଛି ସେନେଇ ସ୍ମୃତିଚାରଣ କରିଛନ୍ତି ଲକ୍ଷ୍ମଣ।
ଡେକାନ୍ ଚାର୍ଜର୍ସ ଦଳରେ ସେ ଜଣେ ଅଗ୍ରଣୀ ଖେଳାଳି ଥିଲେ। ସେ ଯେତେବେଳେ ପ୍ରଥମ ବର୍ଷ ଆସିଲେ ସେତେବେଳେ ଜଣେ ଯୁବ ତାରକା ରହିଥିଲେ। ଯିଏକି ସଦ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିଥିଲେ। ସେହି ବିଶ୍ବକପ୍ ଜରିଆରେ ସେ ମଧ୍ୟ ଭାରତ ପାଇଁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ ବୋଲି ଷ୍ଟାର୍ ସ୍ପୋର୍ଟସ୍ ସୋ ''କ୍ରିକେଟ୍ କନେକ୍ଟେଡ୍''କୁ ଲକ୍ଷ୍ମଣ କହିଛନ୍ତି। ମୁଁ ଭାବୁଛି ସେ ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ। ଯେହେତୁ ୨୦୦୮ ଆଇପିଏଲ୍ ପ୍ରଥମ ସଂସ୍କରଣରେ ଦଳ ଭଲ କରିପାରିନଥିଲା, ସେଥିପାଇଁ ଚାପର ବଶବର୍ତୀ ହୋଇଥିଲା। ହେଲେ ରୋହିତ ଆମ ପାଇଁ ଦମ୍ଦାର ପ୍ରଦର୍ଶକ ରହିଥିଲେ। ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ତାଲିକାରେ ରୋହିତ ଏବେ ବି ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୮୮ ମ୍ୟାଚ୍ରୁ ୪୮୯୮ ରନ୍ କରିଥିଲା ବେଳେ ଅପରାଜିତ ୧୦୯ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ରହିଛି। ଆଇପିଏଲ୍ରେ ତାଙ୍କର ହାରାହାରି ମଧ୍ୟ ୩୧.୬୦ ରହିଛି।
ପ୍ରତିଟି ମ୍ୟାଚ୍ରେ ଏବଂ ପ୍ରତ୍ୟେକ ସଫଳତାରେ ତାଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିବାରେ ଲାଗିଥିଲା। ସେ ଯୁବ ପ୍ରତିଭାମାନଙ୍କୁ ସହାୟତା କରୁଥିଲେ, ନିଜସ୍ବ ମତ ଉତ୍ଥାପନ କରୁଥିଲେ ଏବଂ ଶାନ୍ତ ସ୍ବଭାବରେ ସମସ୍ତଙ୍କୁ ପ୍ରଭାବିତ କରୁଥିଲେ ବୋଲି କହିଛନ୍ତି ଲକ୍ଷ୍ମଣ। କିନ୍ତୁ ମୋ ପାଇଁ ସେ ଯେପରି ଭାବେ ଚାପ ପରିସ୍ଥିତିକୁ ସମ୍ଭାଳନ୍ତି ତାହା ହିଁ ଗୁରୁତ୍ବପୂର୍ଣ୍ଣ ଥିଲା। ଥରେ ନୁହେଁ ବହୁବାର ସେ କଷ୍ଟକର ସ୍ଥିତିରେ ବି ନିଜ ବ୍ୟାଟିଂ ଚମକକୁ ହରାଇନାହାନ୍ତି। ବରଂ କ୍ରିକେଟ୍ରେ ବିକଶିତ ହେବା ସାଙ୍ଗକୁ ପ୍ରସ୍ଫୁଟିତ ହେବାରେ ଲାଗିଛନ୍ତି ରୋହିତ। ଖାସ୍ ସେଇଥିପାଇଁ ସେ ଆଇପିଏଲ୍ ଇତିହାସରେ ଅନ୍ୟତମ ସଫଳତମ ଅଧିନାୟକ ବୋଲି ଜୋର୍ ଦେଇ କହିଛନ୍ତି ଲକ୍ଷ୍ମଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/vvs-rohit.jpg)