ଭାରତୀୟ କ୍ରିକେଟ୍‌କୁ ଲକ୍ଷ୍ମଣଙ୍କ ଅବଦାନ ଅଭୁଲା: ସେହବାଗ

ଚାପ‌ ଆଗରେ ଭଜି ମୁଣ୍ଡ ନୁଆଁଇବା ଭଳି ଲୋକ ନୁହନ୍ତି: ଲକ୍ଷ୍ମଣ

ନୂଆଦିଲ୍ଲୀ: କିଛି ଦିନ ତଳେ ବୀରେନ୍ଦ୍ର ସେହବାଗଙ୍କୁ ଭିଭିଏସ୍ ଲକ୍ଷ୍ମଣ ଉଚ୍ଚ ପ୍ରଶଂସା କରିଥିଲେ। ଶନିବାର ସେହବାଗ ତାଙ୍କ ପ୍ରଶଂସାରେ ଲକ୍ଷ୍ମଣଙ୍କୁ ପୋତି ପକାଇଛନ୍ତି। ଲକ୍ଷ୍ମଣ ଅନ୍ୟତମ ସୁନ୍ଦର ବ୍ୟକ୍ତ ଏବଂ ଭାରତୀୟ କ୍ରିକେଟ୍‌କୁ ତାଙ୍କ ଅବଦାନ ଅଭୁଲା ବୋଲି ସେହବାଗ କହିଛନ୍ତି। ସେହବାଗଙ୍କୁ ଲକ୍ଷ୍ମଣ ଟେଷ୍ଟ୍ କ୍ରିକେଟ୍‌ର ସବୁଠୁ ‌ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଆଖ୍ୟା ଦେଇଥିଲେ। ବୀରୁଙ୍କ ଆତ୍ମବିଶ୍ବାସ ଏବଂ ସକାରାତ୍ମକ ମାନସିକତା ଅତି ପ୍ରଭାବିତ ଥିଲା‌ ବୋଲି ମଧ୍ୟ ଲକ୍ଷ୍ମଣ ପ୍ରକାଶ କରିଥିଲେ। ସୂଚନା‌ଯୋଗ୍ୟ, ୨୦୦୦ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଲକ୍ଷ୍ମଣ ଏବଂ ସେହବାଗ ମିଳିତ ଭାବେ ଭାରତୀୟ ଦଳରୁ ଖେଳିଥିଲେ। ଭାରତୀୟ ଦଳର କିଛି ବିଖ୍ୟାତ ବିଜୟରେ ବି ଉଭୟ ଅଂଶୀଦାର ରହିଥିଲେ। ୨୦୧୫ ଅକ୍ଟୋବରରେ ସେହବାଗ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର‌ ଘୋଷଣା କରିଥିଲେ। ୧୦୪ ଟେଷ୍ଟ୍ ମ୍ୟାଚ୍‌ ଜୀବନରେ‌ ସେହବାଗ ୪୯.୩୪ ପ୍ରଭାବୀ ହାରରେ ୮୫୮୬ ରନ୍‌ ସଂଗ୍ରହ କରିଥିଲେ। ଯେଉଁଥିରେ ୨୩ ଶତକ ଓ ୩୨ ଅର୍ଧଶତକ ସାମିଲ ଥିଲା। ମାତ୍ର ୨୭୮ ବଲ୍‌ରୁ ତ୍ରିଶତକ ହାସଲ କରି ଏ କ୍ଷେତ୍ରରେ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ। ତ୍ରିଶତକ ହାସଲ କରିବାରେ ସେ ସାର୍ ଡନ୍ ବ୍ରାଡମ୍ୟାନ୍‌ ଓ ବ୍ରାଏନ ଲାରାଙ୍କ ଭଳି ମହାନ ବ୍ୟାଟସମ୍ୟାନଙ୍କ ତାଲିକାରେ ସାମିଲ୍ ହୋଇଥିଲେ। ୨୦୦୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚେନ୍ନାଇ ଟେଷ୍ଟ୍‌ରେ ସେ ୩୦୪ ବଲ୍‌ରୁ ୩୧୯ ରନ୍ କରିଥିଲେ। ଯେଉଁଥିରେ ୪୨ ଚୌକା ଓ ୫ ଛକା ସାମିଲ ଥିଲା।

ସୀମିତ ଓଭର କ୍ରିକେଟ୍‌ରେ ସେହବାଗ ପ୍ରଭାବୀ ରହିଥିଲେ। ୨୫୧ ଦିନିକିଆ ଖେଳି ୧୫ ଶତକ ସହାୟତାରେ ୮୨୭୩ ରନ୍ କରିଥିଲେ। ଦୁଇ ଥର ବିଶ୍ବକପ୍‌ ବିଜେତା ହେବାର ଗୌରବ ମଧ୍ୟ ସେହବାଗଙ୍କ ଭାଗ୍ୟରେ ଜୁଟିଥିଲା। ୨୦୦୭ ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ସୀମିତ ଓଭର ବିଶ୍ବକପ୍‌ ବିଜୟୀ ‌ମହେନ୍ଦ୍ର ସିଂହ ଧୋନିଙ୍କ ଦଳରେ ସେ ପ୍ରମୁଖ ସଦସ୍ୟ ଥିଲେ। ସେହବାଗଙ୍କ ଦ୍ବାରା ଲକ୍ଷ୍ମଣ ପ୍ରଭାବିତ ହୋଇଥିବା କହିଥିଲେ। କେବଳ ସେହବାଗ ନୁହଁନ୍ତି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ଅନିଲ କୁମ୍ବଲେ ଏବଂ ଜଭାଗାଲ୍ ଶ୍ରୀନାଥଙ୍କ ସହାୟତାରେ ମଧ୍ୟ ଲକ୍ଷ୍ମଣଙ୍କ ଖେଳ ପ୍ରଷ୍ଫୁଟିତ ହୋଇଥିଲା ବୋଲି‌‌ ସେ ସ୍ବୀକାର କରିଥିଲେ। ୧୯୯୬ରୁ ୨୦୧୨ ମସିହା ମଧ୍ୟରେ ଲକ୍ଷ୍ମଣ ୧୩୪ ଟେଷ୍ଟ୍‌ ଖେଳି ୮୭୮୧ ରନ୍ ଏବଂ ୮୬ ଦିନିକିଆରୁ ୨୩୩୮ ରନ୍ କରିଥିଲେ। ଟେଷ୍ଟ୍‌ରେ ସେ ୧୭ ଶତକ, ୫୬ ଅର୍ଧଶତକ ହାସଲ କରିଥିଲେ।

ଚାପ‌ ଆଗରେ ଭଜି ମୁଣ୍ଡ ନୁଆଁଇବା ଭଳି ଲୋକ ନୁହନ୍ତି: ଲକ୍ଷ୍ମଣ
ହାଇଦ୍ରାବାଦ: ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ହାସଲ କରିଥିବା ସ୍ମରଣୀୟ ବିଜୟରେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ପ୍ରମୁଖ ଭୂମିକା‌ ତୁଲାଇଥିଲେ। ତାଙ୍କ ୨୮୧ ରନ୍ ବଳରେ ହିଁ ଫଲୋଅନ୍ ହୋଇ ମଧ୍ୟ କଙ୍ଗାରୁ ଦଳକୁ ଭାରତ ହରାଇ ଦେଇଥିଲା। ଐତିହାସିକ ଇଡେନ୍ ଗା‌ର୍ଡେନ୍ସରେ ଖେଳା ଯାଇଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ମଣଙ୍କୁ ‘ଦି ୱାଲ’ ରାହୁଲ ଦ୍ରାବିଡ଼ (୧୮୦) ଓ ସ୍ପିନର ହରଭଜନ ସିଂହ ମଧ୍ୟ ଆବଶ୍ୟକ ସମର୍ଥନ ଦେଇଥିଲେ। ଦ୍ରାବିଡ଼ ଶତକୀୟ ପାଳି ଖେଳିବା ସହ ଭଜି ୧୩ ୱି‌କେଟ୍ ନେଇ ଅଷ୍ଟ୍ରେଲିଆକୁ ଧରାଶାୟୀ କରିଥିଲେ। ଏହି ପ୍ରଦର୍ଶନ ଲାଗି ଲକ୍ଷ୍ମଣ ଶନିବାର ଭଜିଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ଭଜି ସମ୍ଭାବ୍ୟ ହତାଶା ଭାବକୁ ନିରଙ୍କୁଶ ଉଗ୍ରତାରେ ରୂପାନ୍ତର କରି ସଫଳ ହୋଇଥିଲେ ବୋଲି ଲକ୍ଷ୍ମଣ କହିଥିଲେ। ‘‘ଆଉ କେହି ହୋଇଥିଲେ ଖେଳ ଜୀବନର ପ୍ରାରମ୍ଭରେ ପାଇଥିବା ବ୍ୟକ୍ତିଗତ ଓ ପେସାଦାର ଧକ୍କା ଆଗରେ ମୁଣ୍ଡ ନୁଆଁ ଅଜଣା ଅନ୍ଧକାରକୁ ଚାଲି ଯାଇ ଥାଆନ୍ତା। ହେଲେ ସମ୍ଭାବ୍ୟ ହତାଶା ଭାବକୁ ନିରଙ୍କୁଶ ଉଗ୍ରତାରେ ପରିଣତ କରି, ହରଭଜନ ସିଂହ ଦୀର୍ଘ ଦେଢ଼ ଦଶନ୍ଧି ଧରି ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।’’ ବୋଲି ଲକ୍ଷ୍ମଣ ଟ୍ବିଟ୍ କରିଥିଲେ। ହରଭଜନଙ୍କ ଛଡ଼ା ପୁରୁଣା ସାଥୀ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ଅନିଲ କୁମ୍ବଲେ, ଜଭାଗଲ ଶ୍ରୀନାଥ ଓ ବୀରେନ୍ଦ୍ର ସେହବାଗଙ୍କୁ ମଧ୍ୟ ଲକ୍ଷ୍ମଣ ପ୍ରଶଂସା କରିଥିଲେ। ୩୯ ବର୍ଷୀୟ ଅଫସ୍ପିନର ହରଭଜନ ଶେଷ ଥର ପାଇଁ ୨୦୧୬ରେ ଏସିଆ କପ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୦୩ ଟେଷ୍ଟ୍, ୨୩୬ ଦିନିକିଆ ଖେଳି ସେ ଯାଥାକ୍ରମେ ୪୧୭ ଓ ୨୬୯ ୱିକେଟ୍ ନେଇଛନ୍ତି। ଭଜି ମଧ୍ୟ ୨୮ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୨୫ ୱିକେଟ୍ କରାୟତ୍ତ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିବା ହରଭଜନ ଭାରତୀୟ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି, ଏଥିଲାଗି ସେ କଠିନ ପ୍ରସ୍ତୁତି କରୁଛନ୍ତି ‌ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର