ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଶକ୍ତି ଉତ୍ତୋଳନ ବିଜୟୀ ଦଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ପଦକ ନେଇ ଫେରିଥିବା ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ମଙ୍ଗଳବାର ଭୁବନେଶ୍ୱରରେ ସମ୍ବଦ୍ଧନା ଦିଆଯାଇଛି। ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ଠାରେ ଆୟୋଜିତ ଏକ ସମାରୋହରେ ରାଜ୍ୟ ସଂଘ ତରଫରୁ ୪୭କିଲୋ ବିଭାଗରେ ଜୁନିଅର ବର୍ଗରେ ଷ୍ଟ୍ରଙ୍ଗ ଓମ୍ୟାନ ଅଫ୍‌ ଇଣ୍ଡିଆ ଓ ସିନିୟର ବିଭାଗରେ ଷ୍ଟ୍ରଙ୍ଗ ଓମ୍ୟାନ ଅଫ୍‌ ଇଣ୍ଡିଆର ୨ୟ ରନର୍ସ ଅପ୍‌ ହୋଇଥିବା ଲକ୍ଷ୍ମୀମଣି ସିଂଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ଜାତୀୟ ପ୍ରତିଯୋଗିତାର ୬୬ କିଲୋ ବିଭାଗରେ ଓଡ଼ିଶାର ବିଚିତ୍ର ନାୟକ ଷ୍ଟ୍ରଙ୍ଗ ମ୍ୟାନ୍‌ ଅଫ ଇଣ୍ଡିଆ ଆଖ୍ୟା ପାଇଛନ୍ତି। ସୂଚନାଯୋଗ୍ୟ ମୟୁରଭଞ୍ଜର ଝିଅ ଲକ୍ଷ୍ମୀମଣି ଜିମ୍ନାସିୟମରେ ଅଭ୍ୟାସ କରୁଥିବା ବେଳେ ବିଚିତ୍ରାନୟ ନାୟକ ଉତ୍କଳ କରାଟେ ସ୍କୁଲ ଠାରେ ଅଭ୍ୟାସ ଜାରି ରଖିଛନ୍ତି।

ଏହି ପ୍ରତିଯୋଗିତାରେ ମହିଳା ଦଳଗତ ଜୁନିଅର ଓ ସିନିଅର ବିଭାଗରେ ଚମ୍ପିଆନ ହୋଇଥିବା ବେଳେ ପୁରୁଷ ବର୍ଗରେ ଦଳଗତ ୨ୟ ରନର୍ସ-ଅପ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଓଡ଼ିଶାକୁ ସମୁଦାୟ ୭ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ମିଳିଛି। ଦଳର କୋଚ ଓ ମ୍ୟାନେଜର ଭାବେ ସତ୍ୟବ୍ରତ ବେହେରା, ସଂଗ୍ରାମ କୁମାର ବେହେରା, ସଂଜୟ କୁମାର ନାଏକ ଓ ସନ୍ତୋଷ କୁମାର ବାରିକ କାର୍ଯ୍ୟ ନିର୍ବାହ କରିଥିଲେ।

ସମସ୍ତ ଖେଳାଳି ଓ ଅଫିସିଆଲଙ୍କୁ ଉତ୍କଳ କରାଟେ ସ୍କୁଲ ଓ ରାଜ୍ୟ ସଂଘ ତରଫରୁ ମୀର ଅଜମତ ଅଲ୍ଲୀ, ହିମାଂଶୁ ଶେଖର ଦାସ, ସୁଶ୍ରୀ ଗୌରୀ ମହାନ୍ତି, ଦେବାଶିଷ ଆଚାର୍ଯ୍ୟ, ହରିପ୍ରସାଦ ପଟ୍ଟନାୟକ ଓ ଚିତ୍ତରଂଜନ ସ୍ୱାଇଁ ସମ୍ବର୍ଦ୍ଧନା କରିଥିଲେ।

ସମ୍ବନ୍ଧିତ ଖବର