୧୫ ଜିଲ୍ଲାର କ୍ରିକେଟ୍‌ ଭିତ୍ତିଭୂମିର ବିକାଶ ପାଇଁ ଶିଳାନ୍ୟାସ, ବୈଜ୍ଞାନିକ ପଦ୍ଧତିରେ ଖେଳାଳିଙ୍କୁ ବିଶ୍ଲେଷଣ କରାଯିବ

୩ ମାସ ପରେ ବଳକା ଜିଲ୍ଲାଗୁଡ଼ିକର ଭିତ୍ତିଭୂମି ବିକାଶ

କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ୧୫ଟି ଜିଲ୍ଲାରେ ଭିତ୍ତିଭୂମି ଉନ୍ନୟନ ଓ ଏକାଡେମି ଗଠନ ପାଇଁ ଶିଳାନ୍ୟାସ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଗଜପତି। ଏସବୁ ଜିଲ୍ଲାରେ ନୂଆ ଏକାଡେମି ଗଠନ କରାଯିବା ପାଇଁ ଟର୍ଫ ପିଚ୍‌, ସିମେଣ୍ଟ ପିଚ୍‌, ନେଟ୍ସ, ଅଭ୍ୟାସ ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ। ଓସିଏର ଏହି କାର୍ଯ୍ୟକ୍ରମକୁ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କ୍ରୀଡ଼ା ସଚିବ ବିଶାଲ ଦେବ ଓ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଭର୍ଚୁଆଲ ପ୍ଲାଟଫର୍ମରେ ସମସ୍ତ ଜିଲ୍ଲାର ପ୍ରସ୍ତାବିତ ଏକାଡେମି ସ୍ଥାନଗୁଡ଼ିକ ସହିତ ଯୋଗାଯୋଗ କରାଯାଇ ଏକାସଙ୍ଗରେ ଶିଳାନ୍ୟାସ କରାଯାଇଥିଲା। ଏହି ଉପଲକ୍ଷେ ଓସିଏ ସମ୍ମିଳନୀ କକ୍ଷରେ ଭର୍ଚୁଆଲ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ବେଳେ ଓସିଏର ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ସମ୍ପାଦକ ସଂଜୟ ବେହେରା ବିସ୍ତୃତ ଭାବେ ଅତିଥିମାନଙ୍କୁ ବୁଝାଇଥିଲେ।

ଆଗକୁ ଏସବୁ ଏକାଡେମିଗୁଡ଼ିକରେ ଖେଳାଳିଙ୍କ ସାମର୍ଥ୍ୟ ଓ ଦୁର୍ବଳତାକୁ ପରଖିବା ପାଇଁ‌ ବୈଜ୍ଞାନିକ ପଦ୍ଧତି ଆପଣାଯିବ। ପ୍ରତ୍ୟେକ ଖେଳାଳିଙ୍କ ଭିଡିଓ ବିଶ୍ଲେଷଣ କରାଯିବ। କାହାର କେଉଁ ସ୍ଥାନରେ ତ୍ରୁଟି ରହିଯାଉଛି, ତାହାକୁ ରେକର୍ଡ କରାଯାଇ ପରବର୍ତ୍ତୀ ସମୟରେ ସେସବୁକୁ ସୁଧାରିବା ପାଇଁ କାମ କରାଯିବ। ପ୍ରାଥମିକ ଭାବେ ଚୟନ କରାଯାଇଥିବା ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୨ରୁ ୩ ମାସ ମଧ୍ୟରେ ଭିତ୍ତିଭୂମିର ବିକାଶ କରାଯିବ। ଏହାପରେ ବଳକା ଜିଲ୍ଲାଗୁଡ଼ିକ ପାଇଁ କାର୍ଯ୍ୟ ଆରମ୍ଭ ହେବ। ଅନେକ ଜିଲ୍ଲାରେ ପଡ଼ିଆକୁ ନେଇ ବିବାଦ ରହିଛି। ଯେଉଁ ସ୍ଥାନରେ ବିବାଦ ଅଛି,‌ ସେଠାରେ ସରକାରଙ୍କ ସହାୟତା ନିଆଯିବ। ଜିଲ୍ଲା ପ୍ରଶାସନର ସହାୟତାକ୍ରମେ କିପରି ପଡ଼ିଆ ଉପଲବ୍ଧ ହୋଇପାରିବ ସେ ଦିଗରେ ଧ୍ୟାନ ଦିଆଯିବ। ଦୁଇ ବର୍ଷ ହେଲା କ୍ଲବ୍‌ସ୍ତରୀୟ କ୍ରିକେଟ୍‌କୁ ପ୍ରୋତ୍ସାହନ ଦେବାକୁ ଯୋଜନା କରାଯାଇଥିଲା। ଏଥିରେ ସଫଳତା ମିଳିଛି। ଏବେ ଜିଲ୍ଲା କ୍ରିକେଟକୁ ଅଧିକ ମଜବୁତ କରିବାକୁ ପଡ଼ିବ। ଏପରି ହୋଇପାରିଲେ ଅନେକ ପ୍ରତିଭାବାନ ଖେଳାଳି ଅନ୍ତଃଜିଲ୍ଲା ପ୍ରତିଯୋଗିତାଗୁଡ଼ିକରେ ସାମ୍ନାକୁ ଆସିପାରିବେ। ଫଳରେ କେବଳ କଟକ ଓ ଭୁବନେଶ୍ବରରୁ ରାଜ୍ୟ ଦଳ ପାଇଁ‌ ଖେଳାଳି ବାହାରୁଥିବା ବିଷୟରେ ପୁନଃଛେଦ ପଡ଼ିବ। ଆଗକୁ ଓଡ଼ିଶା ଦଳରେ ସବୁ ଜିଲ୍ଲାର ପ୍ରତିଭାବାନ ଖେଳାଳିମାନେ ସୁଯୋଗ ପାଇପାରିବେ ବୋଲି ସମ୍ପାଦକ ସଂଜୟ ବେହେରା ଏହି କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କୁ ଅବଗତ କରାଇଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାର ବର୍ତ୍ତମାନ ସବୁ ଖେଳକୁ ‌ପ୍ରୋତ୍ସାହନ ଦେଇଆସୁଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ହେଲେ ରାଜ୍ୟର ଖେଳାଳିମାନେ ଭାରତ ତଥା ବିଶ୍ବସ୍ତରରେ ଗୌରବ ଅର୍ଜନ କରିପାରିବେ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି। କ୍ରିକେଟ୍‌ ଏବେ ଲୋକପ୍ରିୟ ଖେଳ ହୋଇଥିବାରୁ ଏହାର ଭିତ୍ତିଭୂମି ବିକାଶ କରାଯିବା, ଉନ୍ନତ ପ୍ରଶିକ୍ଷଣ, ଖେଳାଳି ଚୟନରେ ସ୍ବଚ୍ଛତା ଅବଲମ୍ବନ କରାଯିବା ନିହାତି ଦରକାର। ଓସିଏ ଯେଉଁ ଯୋଜନା କରିଛି, ଏହାଦ୍ବାରା ଖେଳାଳିମାନେ ବହୁତ ଆଗକୁ ଯାଇପାରିବେ ବୋଲି ବିଶାଲ ଦେବ ଆଶାବ୍ୟକ୍ତ କରିଛନ୍ତି। ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଂଜୟ ରାଉଳ, ପ୍ରଜ୍ଞାନ ଓଝା, ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫର ମଧ୍ୟ ଅନ୍‌ଲାଇନ୍ ମାଧ୍ୟମରେ ବର୍ତ୍ତମାନର ବୈଜ୍ଞାନିକ ପଦ୍ଧତି ବିଷୟରେ ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଇଓ ସୁବ୍ରତ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ସମସ୍ତ ଅତିଥିମାନେ ବାରବାଟୀ ଷ୍ଟାଡିୟମର ପଡ଼ିଆ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର