ଭୁବନେଶ୍ୱର: କିଟ୍ ଓ କିସ୍ରେ ଖୋଲିବ ଲିଆଣ୍ଡର ପେସ୍-ସାମନ୍ତ କ୍ରୀଡ଼ା ଏକାଡେମି। ଏନେଇ ଶୁକ୍ରବାର କିଟ୍-କିସ୍ ଓ ଲିଆଣ୍ଡର ପେସ୍ଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ କିଟ୍ ଓ କିସ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ଅନ୍ୟ ପକ୍ଷରେ ଲିଆଣ୍ଡର୍ ପେସ୍ ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି। ବୁଝାମଣାପତ୍ର ଅନୁଯାୟୀ ଲିଆଣ୍ଡର ପେସ୍-ସାମନ୍ତ ଏକାଡେମୀ ଟେନିସ୍ ସମେତ ୧୬ଟି କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରିବେ। କ୍ରୀଡ଼ା କ୍ଷେତ୍ରରେ ଏକ ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବେ କିଟ୍ ଓ କିସ୍ ଭାରତରେ ମାଇଲ୍ଖୁଣ୍ଟ ସ୍ଥାପନ କରିଥିବାରୁ ଲିଆଣ୍ଡର କିଟ୍ ଓ କିସ୍ ସହ ସହବନ୍ଧିତ ହୋଇ ଏହାକୁ ଆହୁରି ଆଗକୁ ନେବା ପାଇଁ ଆଗେଇ ଆସିଛନ୍ତି। ଏଥି ନିମନ୍ତେ କିଟ୍-କିସ୍ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବ ଏବଂ ଲିଆଣ୍ଡର ବୈଷୟିକ ଜ୍ଞାନ ସହ କ୍ରୀଡ଼ା କ୍ଷେତ୍ରରେ ଥିବା ତାଙ୍କର ବିଶେଷ ଜ୍ଞାନ ଯୋଗାଇ ଦେବେ। ଅଲିମ୍ପିଆନ୍, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ବିଜେତା ପଦ୍ମ ଭୂଷଣ ଲିଆଣ୍ଡର ପେସ୍ ହେଉଛନ୍ତି ଭାରତୀୟ ପୂର୍ବତନ ଟେନିସ୍ ଖେଳାଳି, ପ୍ରଥମ ଏସୀୟ ପୁରୁଷ ଯିଏକି ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି। ସେ ୮ଟି ପୁରୁଷ ଯୁଗଳ ଏବଂ ୧୦ଟି ମିଶ୍ରିତ ଯୁଗଳ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଜିତି ରେକର୍ଡ କରିଛନ୍ତି।
ଏହି ବୁଝାମଣାପତ୍ର ସ୍ୱାକ୍ଷର କରିବା ପରେ ଲିଆଣ୍ଡର ଖୁସି ବ୍ୟକ୍ତ କରିବା ସହ କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସ୍କୁ ବିଶ୍ୱରେ ପ୍ରତିଷ୍ଠିତ କରାଇବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିଟ୍ ଓ କିସ୍ରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ରହିଛି ବୋଲି ସେ କହିଛନ୍ତି। ଆଗାମୀ ୧୫ ବର୍ଷ ମଧ୍ୟରେ ୨ ଲକ୍ଷ ୫୦ ହଜାର କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ନେଇ ଲିଆଣ୍ଡର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବିପୁଳ ଅଭିଜ୍ଞତା ଥିବା ବିଶ୍ୱର ପ୍ରତିଭାମାନଙ୍କୁ ଆଣି ଏହି ଏକାଡେମୀ ମାଧ୍ୟମରେ ନୂତନ କ୍ରୀଡ଼ା ପ୍ରତିଭାଙ୍କ ଭାବାତ୍ମକ, ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ବିକାଶ ସହ ସେମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ବିଶେଷ ତାଲିମ ଓ ସୁଯୋଗ ଦିଆଯିବ। କିଟ୍ ଓ କିସ୍ରେ ମୁଁ ପ୍ରଥମ ଏକାଡେମି କରିବାକୁ ଯାଉଥିବାରୁ ବହୁତ ଆନନ୍ଦିତ ବୋଲି ଲିଆଣ୍ଡର କହିଛନ୍ତି।
ଅନ୍ୟ ପକ୍ଷରେ ଶ୍ରୀ ସାମନ୍ତ କହିଛନ୍ତି, କିଟ୍ ଓ କିସ୍ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଗତ ୨୦ ବର୍ଷ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛି। ପଦ୍ମଭୂଷଣ ଲିଆଣ୍ଡର ପେସ୍ଙ୍କ ଭଳି ଜଣେ ବ୍ୟକ୍ତିତ୍ୱ କ୍ରୀଡ଼ାର ପ୍ରସାର ନେଇ ଆମ ସହ ଯୋଡ଼ି ହୋଇଥିବାରୁ କିଟ୍ ଓ କିସ୍ ତାଙ୍କୁ କୃତଜ୍ଞତା ଜଣାଉଛି। ଏହା ନିଶ୍ଚିତ ଭାବେ ଆମ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଏହି କ୍ରୀଡ଼ା ଏକାଡେମି ପ୍ରତିଷ୍ଠା ହେବା ଦ୍ୱାରା କ୍ରୀଡ଼ାବିତ ବିଶେଷକରି ଓଡ଼ିଶାର କ୍ରୀଡ଼ାବିତ୍ ଉପକୃତ ହେବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି।