ଆଡିଲେଡ୍‌ରେ ସଂଖ୍ୟା ଖେଳ

୧୨୩: ଅଷ୍ଟ୍ରେଲିଆରେ କୌଣସି ଏକ ଟେଷ୍ଟ୍‌ର ପ୍ରଥମ ଦିବସରେ ଚେତେଶ୍ବର ପୂଜାରାଙ୍କ ଶତକୀୟ ପାଳି କୌଣସି ଉପମହା‌ଦେଶୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ସର୍ବାଧିକ ଏବଂ କୌଣସି ଭ୍ରମଣକାରୀ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ତୃତୀୟ ସର୍ବାଧିକ ହୋଇଛି। ଗୁରୁବାର ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ପୂଜାରା ଭାରତର ପ୍ରଥମ ପାଳିରେ ୧୨୩ ରନ୍‌ର ଲଢୁଆ ଅବଦାନ ରଖିଥିଲେ। କୌଣସି ଭ୍ରମଣକାରୀ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ କେବଳ ଗ୍ୟାରି ସୋବର୍ସ (୧୯୬୦-୬୧ରେ ବ୍ରିସ୍‌ବନ୍‌ରେ ୧୩୨ ରନ୍‌) ଏବଂ ମରିସ୍‌ ଲେଲ୍ୟାଣ୍ଡ୍‌ (୧୯୩୬-୩୭ରେ ବ୍ରିସ୍‌ବନ୍‌ରେ ୧୨୬ ରନ୍‌) ପୂଜାରାଙ୍କଠୁ ଅଧିକ ସ୍କୋର୍‌ କରିଛନ୍ତି।

୬: ପୂଜାରା ମଧ୍ୟ ଏସିଆ ମହାଦେଶ ବାହାରେ ପ୍ରଥମ ଦିବସରେ ଟେଷ୍ଟ୍‌ ଶତକ ହାସଲ କରିବାରେ ଷଷ୍ଠ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଏକା କୋହଲି ସବୁଠୁ ଅଧିକ ଦୁଇ ଥର (୨୦୧୩ ଜୋହାନ୍‌ସବର୍ଗରେ ୧୧୯ ରନ୍‌ ଓ ୨୦୧୬ ନର୍ଥ ସାଉଣ୍ଡ୍‌ରେ ୧୪୩ ରନ୍‌) ଏଭଳି ମାଇଲଖୁଣ୍ଟ୍‌ରେ ପହଞ୍ଚିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମଞ୍ଜରେକର (୧୯୫୨ ଲିଡ୍‌ସ, ୧୩୩ ରନ୍‌), ସଚିନ୍‌ ତେନ୍ଦୁଲକର (୨୦୦୧ ବ୍ଲୋଏମ୍‌ଫୋଣ୍ଟିନ୍‌, ୧୫୫ ରନ୍‌), ବୀରେନ୍ଦ୍ର ସେହବାଗ୍ (୨୦୦୧ ବ୍ଲୋଏମ୍‌ଫୋଣ୍ଟିନ୍‌, ୧୦୫ ରନ୍‌), ମୁରଲୀ ବିଜୟ (୨୦୧୪ ଟ୍ରେଣ୍ଟ୍‌ବ୍ରିଜ୍‌, ୧୨୨ ରନ୍‌) ପ୍ରଥମ ଦିବସରେ ଶତକର ସଫଳତା ପାଇଛନ୍ତି।

୮: ପୂଜାରା ଟେଷ୍ଟ୍‌ରେ ଅଷ୍ଟମ ଥର ପାଇଁ ରନ୍‌ ଆଉଟ୍‌ ହେଲେ। ତେବେ ଏକ୍ଷେତ୍ରରେ ରାହୁଲ୍‌ ଦ୍ରାବିଡ୍‌ (୧୩) ଓ ସଚିନ୍‌ ତେନ୍ଦୁଲକର (୯) ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ପୂଜାରାଙ୍କ ଉପରକୁ ରହିଛନ୍ତି।

୪: ପୂଜାରା ଚଳିତ ବର୍ଷ ଏପର୍ଯ୍ୟନ୍ତ ଟେଷ୍ଟ୍‌ରେ ୪ ଥର ରନ୍‌ ଆଉଟ୍‌ ହେଲେଣି। ଯାହାକି ଚଳିତ ବର୍ଷ କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସର୍ବାଧିକ। କେବଳ ସେତିକି ନୁହେଁ ପୂଜାରା ମଧ୍ୟ ଏକ୍ଷେତ୍ରରେ ୫୪ ବର୍ଷ ତରେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ବିଲ୍‌ ଲରିଙ୍କ ଅଲୋଡ଼ା କୀର୍ତିମାନ ସମକକ୍ଷ ହୋଇଛନ୍ତି। ୧୯୬୪ ମସିହାରେ ଲରି ୪ ଥର ରନ୍‌ ଆଉଟ୍‌ ହୋଇଥିଲେ।

୭: ଆଡିଲେଡ୍‌ ଟେଷ୍ଟ୍‌ର ପ୍ରଥମ ଦିବସର ଅସମାପ୍ତ ପ୍ରଥମ ପାଳିରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ୭ ଛକା ମାରିଛନ୍ତି। ଯାହାକି ଅଷ୍ଟ୍ରେଲିଆରେ ଗୋଟିଏ ପାଳିରେ ଭାରତର ସର୍ବାଧିକ। ପୂର୍ବରୁ ଭାରତର ୫ ଛକା ସର୍ବାଧିକ ଥିଲା। ଯାହାକି ୨୦୦୩-୦୪ରେ ମେଲ୍‌ବର୍ନ ଟେଷ୍ଟ୍‌ର ପ୍ରଥମ ପାଳିରେ ଏହି ୫ ଯାକ ଛକା କେବଳ ବୀରେନ୍ଦ୍ର ସେହବାଗ୍‌ଙ୍କ ବ୍ୟାଟ୍‌ରୁ ହିଁ ଆସିଥିଲା।

୧୪: ଆଡିଲେଡ୍‌ ଓଭାଲ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦ୍ବାରା ୧୪ଟି ବ୍ୟକ୍ତିଗତ ଶତକ ଦେଖିବାକୁ ମିଳିଛି। ଯାହାକି କୌଣସି ବିଦେଶୀ ପଡ଼ିଆରେ ଯୁଗ୍ମ ସର୍ବାଧିକ। ଶ୍ରୀଲଙ୍କାର ସିଂହଳୀ ସ୍ପୋର୍ଟସ୍‌ କ୍ଲବ୍‌ (କଲମ୍ବୋ)ରେ ସମାନ ସଂଖ୍ୟକ ଶତକ ହୋଇଛି। ତେବେ ପୋର୍ଟ ଅଫ୍ ସ୍ପେନ୍‌ (ତ୍ରିନିଦାଦ୍‌)ର କୁଇନ୍‌ସ ପାର୍କ ଓଭାଲ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ସର୍ବାଧିକ ୧୫ ଶତକ ଜମାଇଛନ୍ତି।

୦: ମୁରଲୀ ବିଜୟ ଓ ଲୋକେଶ ରାହୁଲ୍‌ ଯୋଡ଼ି ଭାରତ ପାଇଁ ଦେଶ ବାହାରେ ୧୦ ପାଳି ଆରମ୍ଭ କରିଥିଲେ ମଧ୍ୟ ୫୦ ରନ୍‌ର ଭାଗୀଦାରି କେବେ ବି କରିପାରିନାହାନ୍ତି।

ସମ୍ବନ୍ଧିତ ଖବର