‘ନେତୃତ୍ବ ଛାଡ଼ିବି, ସେବା‌ ଜାରି ରଖିବି’

ଅବଦାନ ଅତୁଳନୀୟ, ତାଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍ ଜିତିପାରିବ: ରାଜୀବ ଶୁକ୍ଳା

ଭାରତୀୟ ଦଳର କେବଳ ପ୍ରତିନିଧିତ୍ବ ନୁହେଁ ବରଂ ପୂର୍ଣ୍ଣ କ୍ଷମତା ସହ ଏହାର ‌ନେତୃତ୍ବ ନେବାର ସୁଯୋଗ ପାଇଥିବାରୁ ନିଜକୁ ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ ମନେ କରୁଛି। ଭାରତୀୟ ଦଳର ଅଧିନାୟକ ଭାବେ ମୋର ଏହି ଯାତ୍ରାକୁ ସମର୍ଥନ ଦେଇଥିବା ସମସ୍ତଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି। ସାଥୀ ଖେଳାଳି, ସପୋର୍ଟ ଷ୍ଟାଫ୍, ଚୟନ ସମିତି, ମୋ ପ୍ରଶିକ୍ଷକ ଏବଂ ଆମ ବିଜୟ ପାଇଁ ନିରନ୍ତର ପ୍ରାର୍ଥନା କରିଆସୁଥିବା ପ୍ରତ୍ୟେକ ଭାରତୀୟଙ୍କ ବିନା ମୋ ପାଇଁ ଏସବୁ କରିବା ଏକପ୍ରକାର ଅସମ୍ଭବ ଥିଲା। ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି।

ଜଣେ ଖେଳାଳି ପାଇଁ ତା’ ଉପରେ ଥିବା କାର୍ଯ୍ୟଭାରକୁ ବୁଝିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଗତ ୮-୯ ବର୍ଷ ହେବ ମୁଁ ଲଗାତାର ତିନିଟି ଯାକ ଫର୍ମାଟ୍‌ରେ ଖେଳି ଆସୁଛି। ଗତ ୫-୬ ବର୍ଷ ହେବ ଭାରତୀୟ ଦଳର ଅଧିନାୟକତ୍ବ ବି କରିଆସୁଛି। ଟେଷ୍ଟ୍ ଓ ଦିନିକିଆରେ ଭାରତର ନେତୃତ୍ବ ନେବା ଜାରି ରଖିବା ଲାଗି ମୋତେ ନିଜ ପାଇଁ କିଛି ସମୟ ଛାଡ଼ିବା ଉଚିତ ହେବ ବୋଲି ହୃଦୟଙ୍ଗମ କରୁଛି। ଟ୍ବେଣ୍ଟି-୨୦ ଅଧିନାୟକ ଭାବେ ଦଳ ପାଇଁ ମୁଁ ମୋର ସବୁକିଛି ଦେଇଛି। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଟ୍ବେଣ୍ଟି-୨୦ ଦଳ ଲାଗି ମୁଁ ଏହି ସେବା ଦେଇଚାଲିବି ବୋଲି ପ୍ରତିଶ୍ରୁତି ଦେଉଛି।

ଏକଥା ମଧ୍ୟ ସତ ଯେ ଏଭଳି ଏକ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ରବି ଭାଇ (ରବି ଶାସ୍ତ୍ରୀ) ଏବଂ ଆମ ନେତୃତ୍ବ ମଣ୍ଡଳିର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ରହି ଆସିଥିବା ରୋହିତ (ରୋହିତ ଶର୍ମା) ତଥା ଶୁଭେଚ୍ଛୁ ଓ ନିକଟତମ ବନ୍ଧୁଙ୍କ ସହ ଅନେକ ବିଚାରବିମର୍ଶ କରିଛି। ଦୁବାଇରେ ଅକ୍ଟୋବର ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ପରେ ଟ୍ବେଣ୍ଟି-୨୦ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ମୁଁ ଏହି ବିଷୟ ବିସିସିଆଇ ସଂପାଦକ ଜୟ ଶାହ, ସଭାପତି ସୌରଭ ଗାଙ୍ଗୁଲି ଏବଂ ସମସ୍ତ ଚୟନକର୍ତ୍ତାଙ୍କୁ ମଧ୍ୟ ଜଣାଇ ଦେଇଛି। ଭାରତୀୟ କ୍ରିକେଟ୍ ଏବଂ ଭାରତୀୟ ଦଳର ସେବା ପୂର୍ଣ୍ଣ କ୍ଷମତାର ସହ ଜାରି ରଖିବି। ଟ୍ବେଣ୍ଟି-୨୦ ଅଧିନାୟକ ପଦ ଛାଡ଼ିବା ବିଷୟ ଘୋଷଣା କରି ଏଭଳି ସାରଗର୍ଭକ ଲେଖା କୋହଲି ଗୁରୁବାର ତାଙ୍କ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ଲେଖିଛନ୍ତି।

ଅବଦାନ ଅତୁଳନୀୟ, ତାଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍ ଜିତିପାରିବ: ରାଜୀବ ଶୁକ୍ଳା
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ବକପ୍‌‌ ପରେ ଟି-୨୦ ନେତୃତ୍ବ ଛାଡ଼ିବାକୁ ଗୁରୁବାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ କୋହଲିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଜଣାଉଛି ଏବଂ ଦଳ ତାଙ୍କ ନେତୃତ୍ବରେ ବିଶ୍ବକପ୍‌ ଜିତିପାରିବ। ‘‘ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲିଙ୍କ ଅବଦାନ ଅତୁଳନୀୟ, ଖାଲି ବ୍ୟାଟ୍ସମ୍ୟାନ୍‌ ନୁହେଁ ଅଧିନାୟକ ଭ‌ାବେ ମଧ୍ୟ। ନେତୃତ୍ବ ଛାଡ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ଏହାକୁ ସମ୍ମାନ ଜଣାଉଛୁ ଏବଂ ମୋର ବିଶ୍ବାସ ଯେ ତାଙ୍କ ନେତୃତ୍ବରେ ଆମେ ବିଶ୍ବକପ୍‌ ଜିତିପାରିବୁ’’ ବୋଲି ଶୁକ୍ଳା ଗଣମାଧ୍ୟମକୁ କହିଛନ୍ତି।

 

ସମ୍ବନ୍ଧିତ ଖବର