ବୁଦାପେଷ୍ଟ (ହଙ୍ଗେରି): ବିଶ୍ବର ସର୍ବାଧିକ ସଫଳ ମହିଳା ସନ୍ତରଣକାରୀ ଆମେରିକାର କାଟି ଲେଡେକି ଶନିବାର ରେକର୍ଡ ୧୬ତମ ବିଶ୍ବ ସନ୍ତରଣ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଠାରେ ଆୟୋଜିତ ଫିନା ବିଶ୍ବ ଚାମ୍ପିଅନ୍ସିପ୍ର ପ୍ରଥମ ଦିବସରେ ଅଲିମ୍ପିକ୍ ରୌପ୍ୟ ବିଜୟିନୀ ଲେଡେକି ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ୍ (୩ ମିନିଟ୍ ୫୮.୧୯ ସେକେଣ୍ଡ ସମୟ)ରେ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ଫାଇନାଲ୍ରେ ସେ କାନାଡାର ୧୫ ବର୍ଷ ବୟସ୍କ ସମର ମ୍ୟାକିଣ୍ଟୋସ୍ (ରୌପ୍ୟ)ଙ୍କୁ ପଛରେ ପକାଇ ଦେଇଥିଲେ। ଆମେରିକାର ଲିହ ସ୍ମିଥ୍ କାଂସ୍ୟ ପଦକ ପାଇଥିଲେ। ଏଥି ସହିତ ଲେଡେକି ବିଶ୍ବ ଚାମ୍ପିଅନ୍ସିପ୍ରେ ନିଜର ମୋଟ ପଦକ ସଂଖ୍ୟାକୁ ୧୯ରେ ପହଞ୍ଚାଇଛନ୍ତି। କେବଳ ନିଜ ଦେଶର ପୁରୁଷ ସନ୍ତରଣକାରୀ ମାଇକେଲ ଫେଲ୍ଫ୍ସ (୨୬ ପଦକ) ଏବଂ ରୢାନ୍ ଲୋଚ୍ଟେ (୧୮) ହିଁ ୨୫ ବର୍ଷ ବୟସ୍କା ଲେଡେକିଙ୍କଠାରୁ ଅଧିକ ସ୍ବର୍ଣ୍ଣ ଜିତିଛନ୍ତି। ଚଳିତ ବିଶ୍ବ ଚାମ୍ପିଅନ୍ସିପ୍ରେ ଆମେରିକାର ଆଧିପତ୍ୟ ମଧ୍ୟ ଜାରି ରହିଥିଲା। ପୁରୁଷ ୪ ଗୁଣା ୪୦୦ ମିଟର ଫ୍ରିଷ୍ଟାଇଲ ରିଲେରେ କାଇଲେବ ଡ୍ରେସେଲ, ରୢାନ୍ ହେଲ୍ଡ, ଜଷ୍ଟିନ୍ ରେସ୍ ଓ ବ୍ରୁକ୍ସ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ମହିଳା ୪ ଗୁଣା ୪୦୦ ମିଟର ଫ୍ରିଷ୍ଟାଇଲ ରିଲେରେ ଅଷ୍ଟ୍ରେଲିଆର ମୋଲି ଓ’କାଲାଘାନ, ମାଡିସନ୍ ୱିଲ୍ସନ, ମେଗ୍ ହାରିସ୍ ଓ ସାୟାନା ଜାକ୍ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ।
ୱିନିଙ୍ଗ୍ଟନ୍ ଓ ମର୍ଚାଣ୍ଡଙ୍କୁ ପ୍ରଥମ ସ୍ବର୍ଣ୍ଣ
ଅଷ୍ଟ୍ରେଲିଆର ଇଲିଜା ୱିନିଙ୍ଗ୍ଟନ୍ ଏବଂ ଫ୍ରାନ୍ସର ଲିଓନ ମର୍ଚାଣ୍ଡ ବିଶ୍ବ ଚାମ୍ପିଅନ୍ସିପ୍ରେ ନିଜ ନିଜର ପ୍ରଥମ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ୱିନିଙ୍ଗ୍ଟନ୍ (୩:୪୧.୨୨ ସେକେଣ୍ଡ ସମୟ) ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ଜିତିଥିଲା ବେଳେ ମର୍ଚାଣ୍ଡ ପୁରୁଷ ୪୦୦ ମିଟର ମିଡ୍ଲେରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଶ୍ବ ଚାମ୍ପିଅନ୍ସିପ୍ ଜାପାନର ଫୁକୁଓକାରେ ଆୟୋଜିତ ହେବାର ଥିଲା। ହେଲେ କୋଭିଡ୍-୧୯ କାରଣରୁ ଏହାକୁ ହଙ୍ଗେରି ରାଜଧାନୀକୁ ସ୍ଥାନାନ୍ତର କରାଯାଇଛି। ଏହି ପ୍ରତିଯୋଗିତା ଜୁଲାଇ ୩ ତାରିଖରେ ଶେଷ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dagdagdagdagdaggd.jpg)