ଖେଳର ବିକାଶ ପାଇଁ ଖେଳାଳି, କ୍ରୀଡ଼ା ପ୍ରଶାସକ ଏବଂ କ୍ରୀଡ଼ା ସାମ୍ବାଦିକ ଏକାଠି ହୋଇ କାମ କରନ୍ତୁ: ଗାଭାସ୍କର

ଏସ୍‍ଜେଏଫ୍‍ଆଇର ମେଡାଲ ଓ ସଦସ୍ୟତା ଗ୍ରହଣ କଲେ ଗାଭାସ୍କର ଓ ଶାସ୍ତ୍ରୀ

ତିରୁଅନନ୍ତପୁରମ:  କେରଳର ରାଜଧାନୀ ତିରୁଅନ୍ତପୁରମସ୍ଥିତ ଏକ ପଞ୍ଚତାରକା ହୋଟେଲରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଭବ୍ୟ ଉତ୍ସବରେ ଭାରତୀୟ କ୍ରିକେଟର ଦୁଇ ଲିଜେଣ୍ଡ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଏସ୍‍ଜେଏଫ୍‍ଆଇର ବିଶେଷ ସମ୍ମାନ ଗ୍ରହଣ କରିଛନ୍ତି । ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବର୍ଷ କିଛି ଲିଜେଣ୍ଡ ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥାଏ । ହେଲେ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କୁ କରୋନା ମହାମାରୀ କାରଣରୁ ଏହି ସମ୍ମାନ ପ୍ରଦାନ ପାଇଁ ଏହି ଉତ୍ସବର ଆୟୋଜନ କରାଯାଇ ପାରି ନଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍‍ ପାଇଁ ଟେଲିଭିଜନ ଭାଷ୍ୟକାର ଭାବରେ ଦୁହେଁ ଏଠାରେ ଉପସ୍ଥିତ ଥିବାରୁ ଅଳ୍ପ ସମୟର ପ୍ରସ୍ତୁତିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।

ରବି ଶାସ୍ତ୍ରୀଙ୍କୁ ତାଙ୍କ ମିଡ଼ିଆରେ ଅବଦାନ ସକାଶେ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଗତ ୩ ବର୍ଷ ଧରି ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଦେଶର ପ୍ରମୁଖ ଖେଳାଳିଙ୍କୁ ଏକ ସ୍ୱତନ୍ତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରୁଛି । ପୂର୍ବରୁ ବିଜୟ ଅମୃତରାଜ ଓ ପ୍ରକାଶ ପାଦୁକୋନକୁ ଏହା ପଦକ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ଏହାକୁ ଗ୍ରହଣ କରିଥିଲେ ସୁନୀଲ ଗାଭାସ୍କର । ଏଥି ସହ ଏସ୍‍ଜେଏଫ୍‍ଆଇର ଆଜୀବନ ସଦସ୍ୟ ଭାବେ ମଧ୍ୟ ତାଙ୍କୁ ଗ୍ରହଣ କରାଯିବା ବିଷୟ ଘୋଷଣା ହୋଇଥିଲା । ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି ଏ ବିନୋଦ, ଉପସଭାପତି ସମ୍ବିତ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ କେନି, ଆର କୌଶିକ, ଏସ୍‍ ସବାନାୟକନ୍‍, ଜି ବିଶ୍ୱନାଥ, ଦେବେନ୍ଦ୍ର ପାଣ୍ଡେ, ନିଲେଶ ଦେଶପାଣ୍ଡେ ଏବଂ ସୁପ୍ରଭାତ ଆଦିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଭାରତୀୟ କ୍ରିକେଟ ବୋର୍ଡର ପୂର୍ବତନ ସମ୍ପାଦକ ଏସ୍‍କେ ନାୟାର ଗାଭାସ୍କର ଓ ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିଥିଲେ।

ନିଜ ଅଭିଭାଷଣରେ ଉଭୟ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ସେମାନଙ୍କ ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କର ରହିଥିବା ବିଶେଷ ଭୂମିକା ବାବଦରେ ବତାଇଥିଲେ । କିପରି ନିଜ ନିଜ ଲେଖା ଓ ଫଟୋ ସେବେଠାରୁ ସେମାନେ ସାଇତି ରଖିଛନ୍ତି ତାହା କରିଥିଲେ ପ୍ରକାଶ । କ୍ରୀଡ଼ା ସାମ୍ବାଦିକ ଓ ଖେଳାଳିଙ୍କ ମଧ୍ୟରେ ପୂର୍ବରୁ ପ୍ରଚଣ୍ଡ ବିଶ୍ୱାସ ଥିଲା । ହେଲେ ବର୍ତ୍ତମାନ ସେହି ବିଶ୍ୱାସ ଟିକିଏ କମୁଛି ବୋଲି ଗାଭାସ୍କର କହିବା ସାଙ୍ଗକୁ ଦେଶରେ ଖେଳର ପ୍ରକୃତ ବିକାଶ ପାଇଁ ଖେଳାଳି କ୍ରୀଡ଼ା ପ୍ରଶାସକ ଏବଂ କ୍ରୀଡ଼ା ସାମ୍ବାଦିକ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ସମ୍ବନ୍ଧିତ ଖବର