କିଂବଦନ୍ତିଙ୍କ ମୁହଁରୁ ହକି କଥା, ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ କରୋନା ପ୍ରଭାବ ପଡ଼ିବ: ଧନରାଜ

ହକି ବିକାଶ ଲାଗି ‘ଏଚ୍‌ଡିସି’ ଉତ୍ସର୍ଗୀକୃତ: ଦିଲୀପ, ଡ୍ରାଗ୍‌ ଫ୍ଲିକିଂ ପାଇଁ ଦରକାର କଠିନ ଅଭ୍ୟାସ: ଆୟପ୍ପା

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ‘‘୮-୯ ମାସର ପ୍ରସ୍ତୁତିକୁ ୩-୪ ମାସରେ ଶେଷ କରି ହୁଏନା। ଏଣୁ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ କରୋନା ମହାମାରୀର କିଛିଟା ପ୍ରଭାବ ତ ନିଶ୍ଚିତ ପଡ଼ିବ। ଆମର କିଛି ପିଲା କରୋନା ପଜିଟିଭ୍ ବି ହୋଇଯାଇଥିଲେ। ପୁଣି ଏହା ଅଲିମ୍ପିକ୍ସ। ଏହି ପ୍ରତିଯୋଗିତା ସଂପୂର୍ଣ୍ଣ ଭିନ୍ନ ଓ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ। ଆମ ପାଇଁ ଗୋଟିଏ ଗୋଟିଏ ମ୍ୟାଚ୍ ଅତ୍ୟନ୍ତ ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଆମ ପୁରୁଷ ଓ ମହିଳା ଦଳ ଯେମିତି ଖେଳୁଥିଲା ସେଥିରେ ଲାଗୁଥିଲା, ହଁ ଏହି ଦଳ ଫିଟନେସ୍‌କୁ ଢେର ମହତ୍ବ ଦେଉଛି। ଆଜି ଭାରତର ପ୍ରତ୍ୟେକ ଖେଳାଳି ଫିଟ୍ ଓ ସୁସ୍ଥ। ଆମ ବେଳେ କିନ୍ତୁ ଏସବୁ ପ୍ରାୟତଃ ନଥିଲା। ଫିଟନେସ୍ ତ’ ଥିଲା, ‌ହେଲେ ଆମେ ହକି କଳା କୌଶଳ ଏବଂ ପଡ଼ିଆ ଭିତରେ ସମୟକୁ କେମିତି ଅଧିକ ଉପଯୋଗ କରିବୁ ତାହା ଉପରେ ଅଧିକ ଧ୍ୟାନ ଦେଉଥିଲୁ। ଏବେ କିନ୍ତୁ ଫିଟନେସ୍‌କୁ ହକି ଖେଳର ଏକ ମହତ୍ବପୂର୍ଣ୍ଣ ଅଙ୍ଗ ଭାବେ ବିବେଚନା କରାଯାଉଛି। ଗତ ୧୦ ବର୍ଷ ଭିତରେ ଆମ ଖେଳାଳିଙ୍କ ଫିଟନେସ୍ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ତା’ର ପ୍ରତିଫଳନ ସଦୃଶ ଆମ ପୁରୁଷ ଦଳ ଏବେ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିଲା ବେଳେ ମହିଳା ଦଳ ସଫଳତାର ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି’’। ତିନି ଦିନିଆ ଘରୋଇ ଗସ୍ତରେ ଓଡ଼ିଶା ଆସିଥିବା ଭାରତୀୟ ହକି କିଂବଦନ୍ତି ଧନରାଜ ପିଲ୍ଲେ ଏକ ସ୍ଥାନୀୟ ହୋଟେଲରେ ‘ସମ୍ବାଦ’ ସହ ସ୍ବତନ୍ତ୍ର ଆଳାପ ବେଳେ ଏହା କହିଛନ୍ତି।

ସିଡ୍‌ନି ଅଲିମ୍ପିକ୍ସ ଦୁଃଖ ଦୂର ‌ହୋଇନି
ହକିର ନୀତି ନିୟମ ପରିବର୍ତ୍ତନକୁ ତାଳ ଦେଇ ଦେଶରେ ଥିବା ହକି ଭିତ୍ତିଭୂମିର ବ୍ୟାପକ ବିକାଶ ପିଲ୍ଲେଙ୍କୁ ବେଶ୍ ପ୍ରଭାବିତ କରିଛି। ବ୍ୟକ୍ତିଗତ ଭାବେ ଏଥିନେଇ ଖୁସୀ ଜାହିର କରି ସେ କହିଥିଲେ ଯେ ଆମ ସମୟଠାରୁ ଏବେ ସାରା ଦେଶର ହକି ଭିତ୍ତିଭୂମି ଦୁଇ ତିନି ଗୁଣ ବଢ଼ି ଗଲାଣି। ଅବଶ୍ୟ ଯେତେବେଳେ ବିଦେଶୀ ପ୍ରଶିକ୍ଷକ ନଥିଲେ ଏବଂ ଭିତ୍ତିଭୂମି ସେତେଟା ଭଲ ନଥିଲା ସେତେବେଳେ ମଧ୍ୟ ଆମେ ବହୁତ ଭଲ ପ୍ରଦର୍ଶନ ଦେଇଛୁ। ୧୯୯୪ ବିଶ୍ବକପ୍‌ରେ ଆମେ ପଞ୍ଚମ ସ୍ଥାନରେ ରହିଥିଲୁ। ୧୯୯୦ରୁ ୨୦୦୨ ପର୍ଯ୍ୟନ୍ତ ଆମେ ନିୟମିତ ଏସୀୟ କ୍ରୀଡ଼ା ଫାଇନାଲ୍ ଖେଳିଥିଲୁ। ଏସୀୟ ଦେଶଗୁଡ଼ିକ ଭିତରେ ଆମର ବହୁତ ଭଲ ନାଁ ଥିଲା। ଆମେ ଚୀନ, ପାକିସ୍ତାନ, ଦକ୍ଷିଣ କୋରିଆ, ଜାପାନ, ମାଲେସିଆ ଭଳି ଦେଶକୁ ପଛରେ ପକାଇ ଶୀର୍ଷରେ ଥିଲୁ। ଅଲିମ୍ପିକ୍ସରେ ଆମେ ପଦକ ଦ୍ବାରରେ ପହଞ୍ଚି ବି ଦୁର୍ଭାଗ୍ୟଜନକ ଭାବେ ପଦକ ପାଇପାରିନଥିଲୁ। ସିଡ୍‌ନି ଅଲିମ୍ପିକ୍ସ କଥା କହି‌ଲେ ଶେଷ ଦେଢ଼ ମିନିଟ୍‌ରେ ଆମେ ଗୋଲ୍ ବରଣ କରି ଦୁଃଖଦ ବିଦାୟ ନେଇଥିଲୁ। ଅନ୍ୟଥା ଆମେ ଜର୍ମାନୀ, ଅଷ୍ଟ୍ରେଲିଆ ଭଳି ଦଳ ବିପକ୍ଷରେ ବହୁତ ଭଲ କରିଥିଲୁ। ସେହି ମ୍ୟାଚ୍‌କୁ ଆମେ ଜିତି ପାରିଥାଆନ୍ତୁ ହେଲେ ଭାଗ୍ୟ ସାଥ୍ ଦେଇ ନଥିଲା।

ସହଯୋଗୀ ସଦସ୍ୟଙ୍କ ସ୍ବୀକୃତି ପ୍ରତ୍ୟାହାର ସୁସ୍ଥ ପରମ୍ପରା ହୋଇନପାରେ
ହକି ଇଣ୍ଡିଆ ଚଳିତ ବର୍ଷ ବହୁ ସହଯୋଗୀ ସଦସ୍ୟଙ୍କ ସ୍ବୃୀକୃତି ପ୍ରତ୍ୟାହାର କରିନେଇଛି। ହକି ଇଣ୍ଡିଆର ଏହି ନିଷ୍ପତ୍ତି ଉପରେ କୌଣସି ମନ୍ତବ୍ୟ ଦେବାକୁ ଇଚ୍ଛୁକ ନଥିଲେ ମଧ୍ୟ ଏହା ଏକ ସୁସ୍ଥ ପରମ୍ପରା ହୋଇନପାରେ ବୋଲି ଧନରାଜ ମତ ରଖିଥିଲେ। ସେହିଭଳି ଥରେ ସ୍ବୀକୃତି ଦେବା ପରେ ଏହାକୁ ପ୍ରତ୍ୟାହାର କରିନେବା ଭଲ କଥା ନୁହେଁ ବୋଲି କହିଥିଲେ। ‘‘ବହୁ ରାଜ୍ୟର ସହଯୋଗୀ ସଦସ୍ୟ ସଂଗଠନଠାରୁ ସ୍ବୀକୃତି ପ୍ରତ୍ୟାହାର କରିନିଆଯାଇଛି। ତେବେ ସେମାନେ ସହଯୋଗୀ ସଦସ୍ୟ ବା ଆସୋସିଏଟ୍ ମେମ୍ବରଙ୍କ ପାଇଁ ଏକ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଚାହୁଛନ୍ତି। ଏବେ ସୁଦ୍ଧା ସେମାନେ ଏହାକୁ ଚୂଡ଼ାନ୍ତ କରିଛନ୍ତି କି ନାହିଁ ମୁଁ ଜାଣିନି। ଏକାଡେମିଗୁଡ଼ିକର ମଧ୍ୟ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ସେମାନେ ଚିନ୍ତା କରୁଥିବା ମୁଁ ଶୁଣିବାକୁ ପାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଠୋସ୍ ଘୋଷଣା କରାଯାଇ ନାହିଁ।’’ ବୋଲି ଧନରାଜ ମତ ଦେଇଥିଲେ।

‘ଆଗାମୀ ସମୟରେ ଓଡ଼ିଶାରୁ ଆହୁରି ଅଧିକ ଅନ୍ତର୍ଜାତୀୟ ତାରକା ବାହାରିବେ’
ହକି ଇଣ୍ଡିଆ ଲିଗ୍ ଆୟୋଜନଠାରୁ ଆରମ୍ଭ କରି ୨୦୧୮ ବିଶ୍ବକପ୍ ପର୍ଯ୍ୟନ୍ତ, ଭୁବନେଶ୍ବରରେ ଆୟୋଜିତ ହେଉଥିବା ଅଧିକାଂଶ ବୃହତ୍ ପ୍ରତିଯୋଗିତା ବେଳେ ଧନରାଜଙ୍କୁ ନିୟମିତ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଦେଖିବାକୁ ମିଳେ। କହିବାକୁ ଗଲେ ଓଡ଼ିଶା ହକି ପ୍ରେମୀଙ୍କ ପାଇଁ ସେ ଏକ ଚିହ୍ନାମୁହଁ। ତଥାପି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ନୀଳ ଟର୍ଫ ମୋହକୁ ଛାଡ଼ି ପାରୁନାହାନ୍ତି ଧନରାଜ। ସେଥିପାଇଁ କରୋନା କାଳର ଆହ୍ବାନପୂର୍ଣ୍ଣ ଓ ଅସ୍ବାଭାବିକ ସମୟରେ ମଧ୍ୟ ଓଡ଼ିଶା ଆସିବାକୁ ଭୁଲି ନହାନ୍ତି ଧନରାଜ। ସଂପ୍ରତି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଧନରାଜ କେବଳ କଳିଙ୍ଗର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିକୁ ପୁନର୍ବାର ବୁଲି ଦେଖି ନଥିଲେ, ପୁରୀ ବେଳାଭୂମିରେ ସମୟ କଟାଇ ଉତ୍କଳର ମହନୀୟ ସଂସ୍କୃତିକୁ ମଧ୍ୟ ପ୍ରଣାମ କରିଥିଲେ। ଧନରାଜଙ୍କ ସହ ଥିଲେ ଭାରତୀୟ ହକିର ଆଉ ଜଣେ ମହାନ ତାରକା ତଥା ପଦ୍ମଶ୍ରୀ ଦିଲୀପ ତିର୍କି। ଡ୍ରାଗଫ୍ଲିଂକିଂର ଡନ୍ ଭାବେ ପରିଚିତ କର୍ଣ୍ଣାଟକର ପୂର୍ବତନ ଭାରତୀୟ ହକି ତାରକା ଲେନ୍ ଆୟପ୍ପା ମଧ୍ୟ ଧନରାଜଙ୍କ ସହ ଓଡ଼ିଶା ଆସିବା ପରେ କଳିଙ୍ଗ ଷ୍ଟାଡିୟମ୍‌ର କ୍ରୀଡ଼ା ଭିତ୍ତିଭୂମି ବିଶେଷ କରି ହକି ଷ୍ଟାଡିୟମର ସୁବିଧା‌ ସୁଯୋଗକୁ ଭୂୟଶୀ ପ୍ରଶଂସା କରିଛନ୍ତି। ସେହିଭଳି ହକିକୁ ଓଡ଼ିଶା ସରକାର ଦେଉଥିବା ସମର୍ଥନ ଏବଂ ସ୍ଥାନୀୟ ପ୍ରଶଂସକ ଦେଇ ଆସୁଥିବା ଭଲ ପାଇବା ବିଶ୍ବର ଅନ୍ୟପ୍ରାନ୍ତରେ ବିରଳ ବୋଲି ଧନରାଜ ଖୋ‌ଲାଖୋଲି ଭାବେ କହିଥିଲେ। ଆୟପ୍ପା ମଧ୍ୟ ତାଙ୍କୁ ଏହି କ୍ଷେତ୍ରରେ ଦୃଢ଼ ସମର୍ଥନ ଦେଇଥିଲେ। ସେହିଭଳି ଉଭୟ ଗୁରୁବାର ପୂର୍ବାହ୍ନରେ ନାଭାଲ ଟାଟା ହକି ଏକାଡେମିର ଅନ୍ତେବାସୀଙ୍କ ସହ କିଛି ସମୟ କଟାଇ ସେମାନଙ୍କୁ ବିଜୟ ମନ୍ତ୍ର ବାଣ୍ଟିଥିଲେ। ତା’ ସହ ଏଠାରେ ଥିବା ୧୬-୧୭ ବର୍ଷର ପିଲା ଯଦି ଏକାଗ୍ରତାର ସହ କଠିନ ପରିଶ୍ରମ କରନ୍ତି, ତାହାଲେ ଆଗକୁ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାର ସୌଭାଗ୍ୟ ନିଶ୍ଚିତ ଭାବେ ପାଇବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର