କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ୱିକ୍ସଙ୍କ ଦେହାନ୍ତ, ଭାରତକୁ ଦେଇଥିଲେ ଉଚିତ୍ ଶିକ୍ଷା

ସେଣ୍ଟ୍ ଜନ୍ସ, ଆଣ୍ଟିଗୁଆ ଓ ବରବୁଡା: ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ର ବିଖ୍ୟାତ ‘ଥ୍ରି ଡବ୍‌ଲୁ’ଙ୍କ ମଧ୍ୟରୁ ଶେଷ ଖେଳାଳି ଏଭର୍ଟନ ୱିକ୍ସଙ୍କର ବୁଧବାର ୯୫ ବର୍ଷ ବୟସରେ ପରଲୋକ ଘଟିଛି। କାରବୀୟ କ୍ରିକେଟ୍‌ର ‘ପ୍ରତିଷ୍ଠାତା ପିତା’ ଭାବେ ପରିଚିତ ଏଭର୍ଟନଙ୍କ ବିୟୋଗ ଖବରକୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟ୍ବିଟ୍‌ କରି ଜଣାଇଛି। ‘ଆମେ ଜଣେ ମହାନ ଖେଳାଳି, କିଂବଦନ୍ତି ତଥା ମହାନାୟକଙ୍କୁ ହରାଇବାରୁ ଗଭୀର ଦୁଃଖ ପ୍ରକାଶ କରୁଛୁ। ପରିବାର, ପରିଜନ ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛୁ ଏବଂ ତାଙ୍କ ଆତ୍ମା ଶାନ୍ତିରେ ରହୁ’ ବୋଲି ବୋର୍ଡ ଟ୍ବିଟ୍‌ କରିଛି। ୧୯୪୮ରୁ ୧୯୫୮ ମସିହା ମଧ୍ୟରେ ଏଭର୍ଟନ୍‌ ୪୮ ଟେଷ୍ଟ୍ ଖେଳି ୪୪୫୫ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୧୫ ଶତକ ଏବଂ ୧୯ ଅର୍ଧଶତକ ସାମିଲ ଥିଲା। ‘ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ରେ‌ ସେ ଥିଲେ ସବୁଠାରୁ ଚମତ୍କାର ତଥା ଅଗ୍ରଗାମୀ ପୁରୁଷ’ ବୋଲି ନିଜ ଶୋକ ବାର୍ତାରେ କହିଛନ୍ତି କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ର ସଭାପତି ରିକି ସ୍କିରିଟ୍‌। ‌ସେ ଜଣେ ଅତ୍ୟନ୍ତ ଭଦ୍ରଲୋକ ଓ ସୁନ୍ଦର ମଣିଷ। ଏଭର୍ଟନ ବସ୍ତୁତଃ ଥିଲେ ଆମ କ୍ରିକେଟ୍‌ର ପିତୃ୍ ପୁରୁଷ। ଜଣେ ଭଲ ଖେଳାଳି ଓ ଭଲ ମଣିଷ ପାଇଁ ସେ ଥିଲେ ଉତ୍ତରାଧିକାରୀ। ଏଭର୍ଟନଙ୍କ ବି‌ୟୋଗରେ ଆଇସିସି ମଧ୍ୟ ଶୋକ ବ୍ୟକ୍ତ କରିଛି। ‘ଏଭର୍ଟନ ଜଣେ ମହାନ ବ୍ୟାଟସମ୍ୟାନ୍‌ ଓ ଆଇସିସି ମ୍ୟାଚ୍‌ ରେଫରି ଥିଲେ’ ବୋଲି ଆଇସିସି ନିଜ ଟ୍ବିଟ୍‌ରେ ଉଲ୍ଲେଖ କରିଛି। ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେ‌ଫ୍ରେ ଷ୍ଟୋଲ୍‌ମେୟର ଏଭର୍ଟନଙ୍କୁ ‘ଜଣେ ୫ ଫୁଟ ୬ ଇଞ୍ଚିଆ ମାଂଶପେଶୀର ମଣିଷ’ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବ କ୍ରିକେଟ୍‌ରେ ଦୁର୍ଦ୍ଦଶ ସାବ୍ୟସ୍ତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦଳର ‘ଥ୍ରି ଡବ୍‌ଲ୍ୟୁ’ଙ୍କ ମଧ୍ୟରୁ ଏଭର୍ଟନ ଥିଲେ ଶେଷ ଜୀବନ୍ତ। କ୍ଲାଇଡ୍‌ ୱାଲକଟ୍‌, ଫ୍ରାଙ୍କ ୱରେଲ ଏବଂ ଏଭର୍ଟନ ୱିକ୍ସଙ୍କୁ ନେଇ ‘ଥ୍ରି ଡବ୍ଲୁ’ ବିଶ୍ବ କ୍ରିକେଟ୍‌କୁ ବେଶ ରାଜ କରିଥିଲେ। ୱାଲକଟ୍‌ ୨୦୦୬ ମସିହାରେ ୮୨ ବର୍ଷ ବୟସରେ ଏବଂ ୱରେଲ୍‌ ୧୯୬୭ ମସିହାରେ ମାତ୍ର ୪୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମାତ୍ର ୧୮ ମାସ ଭିତରେ ଏମାନଙ୍କ ଜନ୍ମ ହୋଇଥିଲେ ମଧ୍ୟ ଜୀବନଧାରଣରେ ଏଭର୍ଟନ ସବୁଠୁ ଅଧିକ ବର୍ଷ ବଞ୍ଚିଥିଲେ। ବ୍ରିଜଟାଉନ୍‌ର ନ୍ୟାସନାଲ୍ ଷ୍ଟାଡିୟମ୍‌ ‘ଥ୍ରି ଡବ୍‌ଲ୍ୟୁସ ଓଭାଲ୍‌’ ନାମରେ ନାମିତ ହୋଇଛି।

୧୯୪୮ ମସିହାର ଇଂଲଣ୍ଡ ବିପକ୍ଷ ଜାମାଇକା ଟେଷ୍ଟ୍‌ରେ ଗୁବି ଆଲେନ୍‌, ମରିସ୍‌ ଟ୍ରେମଲେଟ୍‌ ଓ ଜିମ୍ ଲେକରଙ୍କ ଘାତକ ବୋଲିଂକୁ ମୁକାବିଲା କରି ଏଭର୍ଟନ୍‌ ୧୪୧ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍‌କୁ ମଧ୍ୟ ୧୦ ୱିକେଟ୍ ବିଜୟ ଦେଇଥିଲେ। କ୍ୟାରିୟର୍ ପ୍ରାରମ୍ଭରେ ସେ ମାରିଥିବା ଲଗାତାର ୫ ଶତକର କୀର୍ତ୍ତିମାନ ଏବେ ବି ଅତୁଟ ରହିଛି। ୧୯୫୦ ଇଂଲଣ୍ଡ ଗସ୍ତରେ ସେ ୱେଷ୍ଟଇଣ୍ଡିଜ୍‌ର ୩-୧ ବିଜୟରେ‌ ସୋନି ରାମଦିନ ଓ ଆଲଫ ଭାଲେଣ୍ଟିନଙ୍କ ସହ ସହାୟକ ସ୍ପିନର୍‌ ଭୂମିକା ବି ତୁଲାଇଥିଲେ। ସେହି ଗସ୍ତରେ ସେ ୩ ଅର୍ଧଶତକ ଏବଂ‌ ଟ୍ରେଣ୍ଡ୍‌ବ୍ରିଜ୍‌ରେ ୧୨୯ ରନ୍‌ର ଶତକୀୟ ପାଳି ଖେଳିଥିଲେ। ୧୯୫୭ ଇଂଲଣ୍ଡ ଗସ୍ତରେ କିନ୍ତୁ ଇଣ୍ଡିଜ୍‌ ୮୦/୪ରେ ସଂଘର୍ଷ କରି ପରାଜୟ ମୁହାଁ ଥିଲା ବେଳେ ଗ୍ୟାରି ‌ସୋବର୍ସଙ୍କ ସହ ମିଶି ୯୫ ମିନିଟରେ ୧୦୦ ରନ୍ ଯୋଡ଼ିଥିଲେ। ଆଙ୍ଗୁଠିରେ ଆଘାତ ସତ୍ତ୍ବେ ସେ ୩ ଘଣ୍ଟା କାଳ ବ୍ୟାଟିଂ କରି ଅସାଧାରଣ ସାହସ ଦେଖାଇଥିଲେ। ଏଭର୍ଟନଙ୍କ ବିୟୋଗରେ ଦେଶର ଖେଳାଳି ସଂଘ ଏବଂ ଏମ୍‌ସିସି ମଧ୍ୟ ଶୋକ ପ୍ରକାଶ କରିଛି। ୱେଷ୍ଟଇଣ୍ଡିଜ୍ ଖେଳାଳି ସଂଘ ଏଭର୍ଟନଙ୍କ ଅବଦାନକୁ ସଲାମ କରି କ୍ରିକେଟ୍ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ମନେ ପକାଇଛି। ବିଗତ ଦୁଇ ଦଶନ୍ଧି ଧରି ଏଭର୍ଟନଙ୍କ ସାନ୍ନିଧ୍ୟ ଲଭିଥିବାରୁ ପୂର୍ବତନ ଦ୍ରୁତ ବୋଲର ମାଇକେଲ୍ ହୋଲ୍‌ଡିଂ ମଧ୍ୟ ନିଜକୁ ଧନ୍ୟ ମନେ କରୁଥିବା ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ସାର୍ ଏଭର୍ଟନ ୱିକ୍ସଙ୍କ ପରଲୋକ ସହିତ ଏକ କ୍ରିକେଟ୍ ଯୁଗର ଅବସାନ ଘଟିଛି। ଚାଳିଶ ଓ ପଚାଶ ଦଶକରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌କୁ ବିଶ୍ବର ଏକ ଶକ୍ତି ଭାବେ ଉଭା କରାଇଥିଲେ। କ୍ଲାଇବ୍ ଲୟଡଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଏଭର୍ଟନ ୱିକ୍ସଙ୍କ ପାଇଁ ବିଶ୍ବ ବିଦିତ ପ୍ରଦର୍ଶନ ଦେଇଥିଲା। ୧୯୪୮-୪୯ ମସିହାରେ ନୂଆ ନୂଆ ସ୍ବାଧୀନତା ପାଇଥିବା ଭାରତକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳ ଉଚିତ୍ ଶିକ୍ଷା ଦେଇଥିଲା। ଭାରତ ଗସ୍ତରେ ଏଭର୍ଟନ ଲଗାତାର ୪ ଶତକ (୧୨୮-ଦିଲ୍ଲୀ, ୧୯୪-ବମ୍ବେ, ୧୬୨ ଓ ୧୦୧-କୋଲକାତା, ୯୦-ମାଡ୍ରାସ) ହାସଲ କରିଥିଲେ। ମାଡ୍ରାସରେ ରନ୍‌ ଆଉଟ୍ ହୋଇ ଶତକରୁ ବଞ୍ଚିତ ହେବାକୁ ସେତେବେଳେ ଅନ୍ୟତମ କିଂବଦନ୍ତି ସାଥୀ ୱାଲକଟ୍‌ ସନ୍ଦେହ ନଜରରେ ଦେଖିଥିଲେ। କିନ୍ତୁ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଏକ ଶତକ ମାରି ଆସିଥିବାରୁ ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ବିଶ୍ବ କ୍ରିକେଟ୍‌ରେ ଲଗାତାର ୫ ଶତକ ଜମାଇଥିଲେ। ୯୫ ବର୍ଷ ବୟସରେ ଦେହାନ୍ତ ହେବା ବେଳକୁ ବି ଏହି ବିଶ୍ବ କୀର୍ତ୍ତିମାନ ଦୀର୍ଘ ୭୨ ବ‌ର୍ଷ ହେବ ଅତୁଟ ରହିଛି। ୨୦୦୨ ମସିହାରେ କେବଳ ରାହୁଲ ଦ୍ରାବିଡ଼ ଲଗାତାର ୪ ଶତକ ମାରି ଏହାର ନିକଟତର ହୋଇପାରିଥିଲେ। ଏଭର୍ଟନଙ୍କ ସେହି ୫ଟି ଚମତ୍କାର ପାଳି ସତ୍ତ୍ବେ ଇଣ୍ଡିଜ୍ ମାତ୍ର ୧-୦ ବ୍ୟବଧାନରେ ଶୃଙ୍ଖଳା ଜିତିଥିଲା।

ସଚିନ, କୁମ୍ବଲେ, ଭୋଗଲେ, ବେଦୀଙ୍କ ଶୋକ
କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌, ଆଇସିସି, ଏମ୍‌ସିସି ସହିତ ଭାରତୀୟ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ମଧ୍ୟ ସାର୍‌ ଏଭର୍ଟନ ୱିକ୍ସଙ୍କ ପରଲୋକ ପାଇଁ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଯୁଗରେ ଖେଳିନଥିଲେ ମଧ୍ୟ ସଚିନ କହିଛନ୍ତି ‘ମୁଁ ଏଭର୍ଟନ ୱିକ୍ସଙ୍କ ବ୍ୟାଟିଂ ସମ୍ପର୍କରେ ବହୁ କାହାଣୀ ଶୁଣିଛି। ଅନ୍ୟ ଦୁଇ ଡବଲ୍ୟୁ (ଫ୍ରାଙ୍କ ୱରେଲ୍‌ ଓ କ୍ଲାଇଡ୍‌ ୱାଲକଟ୍)ଙ୍କ କାହାଣୀ ମଧ୍ୟ ଶୁଣିଛି। ଆପଣଙ୍କୁ ମିସ୍ କରିବୁ, ଶାନ୍ତିରେ ଥାଆନ୍ତୁ’ ବୋଲି ସଚିନ ଟ୍ବିଟ୍‌ କରିଛନ୍ତି। ଏଭର୍ଟନ୍‌ ୨୨ ବର୍ଷ ବୟସ‌ରେ ଇଂଲଣ୍ଡ ବିପକ୍ଷରେ କେନସିଙ୍ଗଟନ୍‌ ଓଭାଲରେ ଜର୍ଜ ହେଡଲିଙ୍କ ଅଧିନରେ ପଦାର୍ପଣ କରିଥିଲେ। ୧୦ ବର୍ଷ ପରେ ତ୍ରିନିଦାଦରେ ପାକିସ୍ତାନ ବିପକ୍ଷରେ ଶେଷ ଟେଷ୍ଟ୍ ଖେଳିଥିଲେ। ନିଜ ଖେଳ ଜୀବନରେ ସେ ମାତ୍ର ଦୁଇଟି ଛକା ମାରିଥିଲେ। ୩ଟି ଟେଷ୍ଟ୍‌ ଏବଂ ୪ଟି ଦିନିକିଆରେ ବି ୱିକ୍ସ ଆଇସିସି ମ୍ୟାଚ୍‌ ରେଫରି ଥିଲେ।

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏବଂ କ୍ରିକେଟ୍ ଭାଷ୍ୟକାର ହର୍ଷ ଭୋଗ୍‌ଲେ ମଧ୍ୟ ଏଭର୍ଟନଙ୍କ ବି‌‌‌‌ୟୋଗରେ ଶୋକ ପ୍ରକାଶ କରିଛନ୍ତି। ‘ଥ୍ରି ଡବଲ୍ୟୁ ଏବେ ଶାନ୍ତିରେ ଏକାଠି ରହିବେ, ପରସ୍ପରର ପାଖରେ ଥିଲେ କ୍ରିକେଟ୍‌କୁ ସମୃଦ୍ଧ କରିଥିଲେ’ ବୋଲି ଭୋଗଲେ ନିଜ ଟ୍ବିଟ୍‌‌ରେ‌‌‌ ଲେଖିଛନ୍ତି। କୁମ୍ବଲେ କିନ୍ତୁ ବାର୍ବାଡୋସ୍‌ ଆଇସିସି ସମ୍ମିଳନୀ ବେଳେ ତାଙ୍କ ସହ ଭେଟକୁ ମନେ ପକାଇ ପରିବାର ଓ ପରିଜନଙ୍କ ଲାଗି ସମବେଦନା ଜଣାଇଛନ୍ତି। ସେ ବୋଲରଙ୍କ ହତ୍ୟାକାରୀ ଥିଲେ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ସ୍ପିନର୍‌ ବିଶନ ସିଂ ବେଦୀ।

ସମ୍ବନ୍ଧିତ ଖବର