ବ୍ରହ୍ମପୁର: ଅର୍ଜୁନ ପୁରସ୍କାର ବିଜେତା ଭା‌ରୋତ୍ତୋଳକ ବିଜୟ କୁମାର ଶତପଥୀ (୭୧)ଙ୍କ ଗତକାଲି ରାତି ସାଢ଼େ ୮ଟା ବେଳେ ସୋମନାଥନଗର ୪ର୍ଥ ଲାଇନ୍‌ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ନିଜ ଶୃଙ୍ଖଳିତ ଜୀବନଶୈଳୀ ଓ ନିଷ୍ଠାପର ବ୍ୟକ୍ତିତ୍ବକୁ ନେଇ ସେ ସର୍ବଦା କ୍ରୀଡ଼ାବିତ୍‌ଙ୍କ ପ୍ରିୟଭାଜନ ରହିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରି ସେ ବହୁ ପଦକ ହାସଲ କରିବା ସହ ଭାରୋତ୍ତୋଳନର ବିକାଶ ଓ ସଫଳ କ୍ରୀଡ଼ାବିତ୍‌ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସଫଳ କ୍ରୀଡ଼ାବିତ୍‌ ସ୍ଥାନୀୟ ବୀର ହନୁମାନ କ୍ଲବ୍‌ରୁ ପ୍ରଶିକ୍ଷଣ ନେଇ ଭାରୋତ୍ତୋଳନ ଆରମ୍ଭ କରିଥିଲେ। ଅବସର ଗ୍ରହଣ କରିବା ପରେ ମଧ୍ୟ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦେବାକୁ ନିୟମିତ ଆସୁଥିଲେ ବୋଲି କହିଛନ୍ତି କ୍ଲବ୍‌ର ମୁଖ୍ୟ ନାରାୟଣ ସାହୁ। ବିଦ୍ୟାଳୟସ୍ତରରୁ କ୍ରୀଡ଼ା ପ୍ରତି ରହିଥିବା ଦୁର୍ବଳତା ଯୋଗୁଁ ଜଣେ ସଫଳ ଭାରୋତ୍ତୋଳକ ଭାବେ ସୁନାମ ଅର୍ଜନ କରିବା ସହ ଅନେକଙ୍କୁ ଏ ଦିଗରେ ମାର୍ଗଦର୍ଶନ କରାଇଥିବା ତାଙ୍କ ସହଯୋଗୀମାନେ ପ୍ରକାଶ କରିଛନ୍ତି।

Advertisment

୧୯୭୪ ମସିହାରେ ସେ ଭାରତୀୟ ନୌସେନାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ। ୧୯୮୧ ମସିହାରେ ହୋଇଥିବା ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ, ୧୯୮୨ରେ ଇଂଲଣ୍ଡଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦୁଇଟି କାଂସ୍ୟ, ୧୯୮୨ରେ ପାକିସ୍ତାନର ପେଶାୱାରରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ସହ ଜାତୀୟସ୍ତରର ବରିଷ୍ଠ ବିଭାଗରେ ୧୯୭୭ରୁ ୧୯୮୨ ମସିହା ପର୍ଯ୍ୟନ୍ତ ଲଗାତାର ସ୍ୱର୍ଣ୍ଣ ପଦକ ହାସଲ କରି ସୁନାମ ଅର୍ଜନ କରିଥିଲେ। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ୧୯୮୨ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୦୯ରେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ୨୦୨୩ରେ ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ଏବଂ ଗତମାସରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତାଙ୍କୁ ଜୀବନବ୍ୟାପୀ ସାଧନା ଲାଗି ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୪ ମସିହାରୁ ପକ୍ଷାଘାତ ରୋଗର ଶିକାର ହୋଇ ସେ ଶଯ୍ୟାଶାୟୀ ରହିଥିଲେ।

ସୋମବାର ରାତିରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିବା ବେଳେ ସ୍ଥାନୀୟ ନୀଳକଣ୍ଠେଶ୍ବର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏଭଳି ଜଣେ ସଫଳ କ୍ରୀଡ଼ାବିତ୍‌ଙ୍କ ପରଲୋକଗତ ଖବର ପ୍ରଚାରିତ ହେବା ପରେ କ୍ରୀଡ଼ାବିତ୍‌ଙ୍କ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏହି ଦୁଃଖଦ ସମୟରେ ଦୁଇ ପୁତ୍ର ଜଗନ୍ନାଥ ଓ ସୋମନାଥଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସଂଘର ଶୋକ

ଭୁବନେଶ୍ବର: ଅର୍ଜୁନ ପୁରସ୍କାରପ୍ରାପ୍ତ ବିଶିଷ୍ଟ କ୍ରୀଡ଼ାବିତ୍‌ ବିଜୟ କୁମାର ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଭାରୋତ୍ତୋଳନର ଜାତୀୟ ଓ ରାଜ୍ୟ ସଂଘ ପକ୍ଷରୁ ଏକ ଶୋକସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଅର୍ଜୁନ ପୁରସ୍କାରପ୍ରାପ୍ତ ବିଶିଷ୍ଟ କ୍ରୀଡ଼ାବିତ୍‌ ବିଜୟ କୁମାର ଶତପଥୀଙ୍କ ବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଓଁ ଶାନ୍ତି। 

ଶ୍ରୀ ଶତପଥୀଙ୍କ ଦେହାନ୍ତ ଖବର ଆସିବା ପରେ ରାଜ୍ୟ ଭାରୋତ୍ତୋଳନ ସଂଘର କାର୍ଯ୍ୟକାରୀ ସଦସ୍ୟମାନଙ୍କୁ ନେଇ ଏକ ଆଭାସୀ ବୈଠକରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା। ‌ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ, ଅନ୍ତରୀଣ ସମ୍ପାଦକ ଗୋପାଳକୃଷ୍ଣ ଦାସ, କୋଷାଧ୍ୟକ୍ଷ ଯଜ୍ଞନାରାୟଣ ନନ୍ଦ, ସହସମ୍ପାଦକ ଜାନକୀବଲ୍ଲଭ ମିଶ୍ର, ଉପଦେଷ୍ଟା ବିଭିଜି ରାଓ, ସୁଧୀର କୁମାର ପାତ୍ର, ବିନୟ କୁମାର ପାଣ୍ଡେ, ନକୁଳ ସାହୁ, ଅଲିମ୍ପିଆନ୍‌ କେ ରବି କୁମାର ଯୋଗ ଦେଇ ଅମର ଆତ୍ମାର ସଦ୍‌ଗତି କାମନା କରିବା ସଙ୍ଗେ ତାଙ୍କ ପରିବାରକୁ ଏଭଳି କଠିନ ସମୟରେ ଧୈର୍ଯ୍ୟର ସହ କାମ କରିବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।