ଲିଜେଣ୍ଡସ କ୍ରିକେଟ ଲିଗ୍ : ୨୬ରେ ବାରବାଟୀରେ ଭଜି-ଇରଫାନ ମୁକାବିଲା

ଭୁବନେଶ୍ବର: ସେପ୍ଟେମ୍ବର ୧୬ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସହରରେ ଖେଳାଯିବ ଲିଜେଣ୍ଡସ୍  ଲିଗ କ୍ରିକେଟର ଦ୍ଵିତୀୟ ସିଜିନ୍ । ଏହି କ୍ରମରେ  ସେପ୍ଟେମ୍ବର ୨୬, ୨୭ ଏବଂ ୨୯ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ତିନୋଟି ଲିଗ ମ୍ୟାଚ । ଆୟୋଜକଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମିଳନୀ କରି ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ୨୬ ରେ ବାରବାଟୀରେ ହେବାକୁଥିବା ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଦୁଇ ପୁରୁଣା ଖେଳାଳି ହରଭଜନ ସିଂ ଓ ଇରଫାନ ପଠାନ ମୁହାଁମୁହିଁ ହେବେ । ଇରଫାନ୍ ପଠାନ୍ ଭିଲୱାରା କିଙ୍ଗସର ନେତୃତ୍ବ ନେଉଥିବାବେଳେ ହରଭଜନ ସିଂ କ୍ୟାପଟେନ୍ ମହିପାଲ ଟାଇଗର୍ସର ନେତୃତ୍ବ ନେଉଛନ୍ତି ।

ପ୍ରଥମ ସିଜିନକୁ ଓମାନରେ ସଫଳତା ସହ ଆୟୋଜନ ପରେ ଚଳିତ ବର୍ଷ ଏହା ଭାରତରେ  ଆୟୋଜନ ହେବ।  ଏଥିରେ ଭାରତର ୨୫ଜଣ ଲିଜେଣ୍ଡସ୍ ବା କିମ୍ବଦନ୍ତୀ ଖେଳାଳିଙ୍କୁ ମିଶାଇ ଏଥିରେ ବିଦେଶର ବହୁ କ୍ରିକେଟ୍ ଲିଜେଣ୍ଡସ୍ ମଧ୍ୟ ନଜର ଆସିବେ।  ଏହି ଟୁର୍ଣ୍ଣାମେଣ୍ଟର  ବ୍ରାଣ୍ଡ ଅମ୍ବାସାଡର ବଲିଉଡ ଲିଜେଣ୍ଡ ଅଭିନେତା ଅମିତାଭ ବଚନ ରହିଥିବା ବେଳେ କମିସନର ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ। ଟୁର୍ଣ୍ଣାମେଣ୍ଟରେ  ୪ଟି ଦଳକୁ ନେଇ ୧୫ଟି ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୨୫ରୁ ଓଡିଶାରେ ପହଂଚିବା ଆରମ୍ଭ କରିବେ ଖେଳାଳି। ଟୁର୍ଣ୍ଣାମେଣ୍ଟର  ପୁରସ୍କାର ରାଶି ୪ କୋଟି ରହିଛି। ବିଜେତା ଦଳକୁ ୨.୫ କୋଟି, ଉପବିଜେତାକୁ ୧ କୋଟି ଅର୍ଥ ପୁରସ୍କାର ରହିଛି। ଏହି ଟୁର୍ନାମେଣ୍ଟ ଖେଳାଯିବା ସହ ମହିଳା ସଶକ୍ତୀକରଣର ବାର୍ତ୍ତା ଦିଆଯାଇଛି। ଏହି ଟୁର୍ନାମେଣ୍ଟର ମ୍ୟାଚର ଟିକେଟ ବୁକମାଇଁମୋ’ରେ ଉପଲବ୍ଧ ରହିଛି।

 

ଏହି ଟୁର୍ନାମେଣ୍ଟରେ ମହମ୍ମଦ କୈଫ, ଜ୍ୟାକ୍ କାଲିସ, ବୀରେନ୍ଦ୍ର ସେହୱାଗ, ଇରଫାନ୍ ପଠାନ୍, ୟୁସୁଫ୍ ପଠାନ୍, ମୁଠିୟା ମୁରଲୀଥରନ୍, ଆରପି ସିଂ, କ୍ରିସ୍ ଗେଲ୍, ଡାନିଏଲ୍ ଭିଟୋରି ଏବଂ ମଣ୍ଟି ପାନସରଙ୍କ ପରି ୭୯ ରୁ ଅଧିକ ଅବସରପ୍ରାପ୍ତ ଖେଳାଳି ଅଛନ୍ତି । ଲିଗର ମୋଟ ୧୬ ଟି ମ୍ୟାଚ୍ କୋଲକାତା, ଲକ୍ଷ୍ନୌ, ଦିଲ୍ଲୀ, କଟକ ଏବଂ ଯୋଧପୁରରେ ଖେଳାଯିବ ।

କିମ୍ବଦନ୍ତୀ ଲିଗ୍ କ୍ରିକେଟ୍ ର ସହ-ପ୍ରତିଷ୍ଠାତା ତଥା ସିଇଓ ରମଣ ରାହେଜା କହିଛନ୍ତି, “କଟକ ଠାରେ ନିଜ ପଡ଼ିଆରେ କିମ୍ବଦନ୍ତୀ ଲିଗ୍ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିଥିବାରୁ ଆମେ ଓଡିଶା କ୍ରିକେଟ୍ ଆସୋସିଏସନ୍ ପାଇଁ ଧନ୍ୟବାଦ ଅର୍ପଣ କରୁଛୁ ।

କିମ୍ବଦନ୍ତୀ ଲିଗ୍ ଅନୁଷ୍ଠିତ ହେବା ସହ ରାଜ୍ୟ ସରକାର ଖୋ-ଖୋ ଏବଂ ହକି ଭଳି ଖେଳକୁ ପ୍ରୋତ୍ସାହିତ କରୁଛନ୍ତି । ଏଠାରେ ଯୁବକମାନେ ନିଶ୍ଚିତ ଭାବରେ ଅଧିକରୁ ଅଧିକ କ୍ରୀଡା ଗ୍ରହଣ କରିବେ ବୋଲି ସେ ଆହୁରି ମଧ୍ୟ କହିଛନ୍ତି ।

ଏହି ଲିଗ୍ ୧୬ ସେପ୍ଟେମ୍ବରରେ ବିରେନ୍ଦର ସେହୱାଗଙ୍କ ନେତୃତ୍ୱରେ ଭାରତୀୟ ମହାରାଜା ଏବଂ ଜ୍ୟାକ୍ କାଲିସ୍  ଙ୍କ ନେତୃତ୍ୱରେ ୱାର୍ଲ୍ଡ ଜାୟାଣ୍ଟସ ମଧ୍ୟରେ ଏକ ସ୍ୱତନ୍ତ୍ର ମ୍ୟାଚ୍ ସହିତ ଆରମ୍ଭ ହେବ । ମ୍ୟାଚ୍‌ର ଆୟ ଖୁସି ଫାଉଣ୍ଡେସନକୁ ଦିଆଯିବ, ଯାହା ଶିକ୍ଷା ମାଧ୍ୟମରେ ବାଳିକା ଶିଶୁକୁ ସଶକ୍ତ କରିବାରେ ସାହାଯ୍ୟ କରୁଛି।

ସମ୍ବନ୍ଧିତ ଖବର