ଲିଜେଣ୍ଡସ ଲିଗ୍ କ୍ରିକେଟ୍ : ମଙ୍ଗଳବାର ଗୁଜୁରାଟ ଜାୟାଣ୍ଟସକୁ ଭେଟିବ ଭିଲଓ୍ବାରା କିଙ୍ଗସ୍

ଭୁବନେଶ୍ବର : ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜିତ ହେବା ପରେ ଗୁଜୁରାଟ ଜାୟାଣ୍ଟସ ମଙ୍ଗଳବାର ବାରବାଟି ଷ୍ଟାଡିୟମ ଠାରେ ଲିଜେଣ୍ଡ ଲିଗ କ୍ରିକେଟ (ଏଲ୍ଏଲ୍ସି)ର ଭିଲୱାରା କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଜବରଦସ୍ତ କମବ୍ୟାକ ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ଗୁଜୁରାଟ ଜାୟାଣ୍ଟସ ତିଲକରାନ୍ତେ ଦିଲସାନଙ୍କ ଉପରେ ଟିମ୍ ଅଧିକ ଭାବେ ନିର୍ଭରଶୀଳ ରହିବ, ଯେକି ନିଜ ସମୟରେ ତାଙ୍କର ଆକ୍ରାମଣାତ୍ମକ ବ୍ୟାଟିଙ୍ଗ ଶୈଳୀ, କୌଶଳ ଏବଂ ଟାଇମିଙ୍ଗ ପାଇଁ ପରିଚିତ ।

ଗତ ରବିବାର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଦିଲସାନ ୫୯ ବଲରେ ଚମତ୍କାର ୭୫ ରନ ହାସଲ କରିଥିଲେ । ସେହିଭଳି ବିରେନ୍ଦ୍ର ସେହୱାଗଙ୍କ ବଦଳରେ ଜାୟାଣ୍ଟସ ଟିମର ଅଧିକାୟକତ୍ୱ କରୁଥିବା ଏହି ପୂର୍ବତନ ଶ୍ରୀଲଙ୍କା ତାରକା ସମଗ୍ର ପାର୍କରେ ତାଙ୍କର ସୁନ୍ଦର ସଟ୍ ସହିତ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଯଦିଓ ପରିଶେଷରେ ତାଙ୍କର ଭୟଙ୍କର ନକ୍ ବୃଥା ହୋଇଯାଇଥିଲା । ତଥାପି ମଙ୍ଗଳବାର ମ୍ୟାଚରେ ଦିଲସାନ ନିଜର ସମାନ ଫର୍ମକୁ ବଜାୟ ରଖିବାର ଆଶା ରଖିଛନ୍ତି କିନ୍ତୁ ଏହା ସହଜ ହୋଇନପାରେ ।

ଅପରପକ୍ଷେ ଭିଲୱାର କିଙ୍ଗସ ପାଖରେ ଇରଫାନ ପଠାନ, ୟୁସୁଫ ପଠାନ ଏବଂ ଏସ. ଶ୍ରୀସାନ୍ଥଙ୍କ ଭଳି ଅନେକ ମ୍ୟାଚ ବିଜେତା ରହିଛନ୍ତି । ଯେଉଁମାନେ ବିଜୟ ହାସଲ କରିବାକୁ ବ୍ୟଗ୍ର ରହିଛନ୍ତି । ପୂର୍ବତନ ଇଣ୍ଡିଆ-ଅଲରାଉଣ୍ଡର ୟୁସୁଫ ଉଭୟ ବ୍ୟାଟ ଏବଂ ବଲ ଉପରେ ଚମତ୍କାର ଫର୍ମ ବଜାୟ ରଖିଛନ୍ତି । ଭିଲୱାରା କିଙ୍ଗ୍ସ ମଧ୍ୟ ୱେଷ୍ଟ ଇଣ୍ଡିଜ ପେସର ଫିଡେଲ ଏଡୱାର୍ଡଙ୍କ ଉପରେ ନିର୍ଭର ରହିବ ।

 

ସମ୍ବନ୍ଧିତ ଖବର