ଯୋଧପୁର: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହେବ। ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଥିବା ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ଶୁକ୍ରବାର ହରଭଜନ ସିଂହଙ୍କ ନେତୃତ୍ବାଧୀନ ତଥା ଗତଥରର ବିଜେତା ମଣିପାଲ ଟାଇଗର୍ସ ବିପକ୍ଷରୁ ଅଭିଯାନ ଆରମ୍ଭ। ଯୋଧପୁରର ବର୍କତୁଲ୍ଲା ଖାନ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ଇର୍ଫାନ ପଠାନଙ୍କ ନେତୃତ୍ବଧୀନ ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ଜୋରଦାର ଅଭ୍ୟାସ କରିଛି।  ଦଳରେ ଓଡ଼ିଶାରୁ ପୂର୍ବତନ ରଣଜୀ ତାରକା ନଟରାଜ ବେହେରାଙ୍କ ସହ ୪ଜଣ ରହିଛନ୍ତି। ନଟରାଜ ଖେଳାଳି ଭାବେ ସ୍ଥାନ ପାଇଥିଲା ବେଳେ ଦୀପକ ମଙ୍ଗରାଜ ସହଯୋଗୀ ପ୍ରଶିକ୍ଷକ, ଅରବିନ୍ଦ ସିଂହ ଫିଲ୍ଡିଂ ପ୍ରଶିକ୍ଷକ ଏବଂ ସରୋଜ ବାରିକ ସହକାରୀ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ଓଡ଼ିଶାର ଖେଳାଳିଙ୍କୁ ଦଳରେ ସାମିଲ କରି ଓଡ଼ିଆ ସଂସ୍କୃତିର ବିକାଶ ଲାଗି ପ୍ରୟାସ କରାଯାଇଛି ‌ବୋଲି ସାନ୍‌ପ୍ରିୟା ଗ୍ରୁପ୍‌ର ମାଲିକାନାରେ ଥିବା ଏହି ଦଳ ପକ୍ଷରୁ କୁହାଯାଇଛି।

Advertisment

ଗ୍ରୁପର ସିଓଓ ଏନାକ୍ଷୀ ପ୍ରିୟମ୍ କହିଛନ୍ତି ଯେ, ଓଡ଼ିଶାର କ୍ରୀଡ଼ା ଓ ପ୍ରତିଭାର ସମୃଦ୍ଧ ଇତିହାସ ରହିଛି। ଇର୍ଫାନ ପଠାନ ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ଦଳର ନେତୃତ୍ୱ ନେଉଥିବା ବେଳେ ଅମ୍ବାତି ରାୟୁଡୁଙ୍କ ସମେତ ଅନ୍ୟ ପ୍ରତିଭାବାନ ଖେଳାଳିମାନେ ଏହି ଲିଗ୍ ମାଧ୍ୟମରେ ରାଜ୍ୟରେ ଉଭୟ କ୍ରିକେଟ୍ ଓ କ୍ରୀଡ଼ାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାବାସୀ ସବୁବେଳେ ଖୋଲା ହୃଦୟରେ ଖେଳକୁ ଗ୍ରହଣ କରି ଆସୁଛନ୍ତି ଏବଂ ଆମେ କେବଳ କ୍ରିକେଟ୍ ନୁହେଁ, ଏକ ସୁସ୍ଥ ଓ ଅଧିକ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାକୁ ଚାହୁଛୁ। ସାନପ୍ରିୟା ଗ୍ରୁପରେ ଆମେ ଓଡ଼ିଶାର କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ସମ୍ବଳ ବିନିଯୋଗ କରିବାକୁ ଚାହୁଛୁ। କୋଣାର୍କ ସୂର୍ଯ୍ୟସ ଓଡ଼ିଶା, ସେହି ଦିଗରେ ପ୍ରଥମ ପଦକ୍ଷେପ। ଭୁବନେଶ୍ୱରରେ ଆଗାମୀ ଆସୋଟେକ୍ ୱାର୍ଲ୍ଡ ଟାଉନସିପରେ ଏକ ବିଶ୍ୱସ୍ତରୀୟ ମଲ୍ଟିସ୍ପୋର୍ଟସ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଯାହା ସ୍ଥାନୀୟ ପ୍ରତିଭାମାନଙ୍କୁ ସାହାଯ୍ୟ କରିବା ସହ ଓଡ଼ିଶାରେ ଏକ ସୁଦୃଢ଼ କ୍ରୀଡ଼ା ପରିବେଶ ସୃଷ୍ଟି କରିବାରେ ନିଶ୍ଚିତ ସହାୟକ ହେବ।

ପ୍ରଥମ ମ୍ୟାଚ୍‌ରେ କୋଣାର୍କ ସୂର୍ଯ୍ୟସ ଓଡ଼ିଶା-ମଣିପାଲ ଟାଇଗର୍ସ ଭେଟ
ଦଳରେ ନଟରାଜଙ୍କ ସହ ୪ ଓଡ଼ିଆ, ଇର୍ଫାନ୍ ପଠାନ ଅଧିନାୟକ

କୋଣାର୍କ ସୂର୍ଯ୍ୟସ ଓଡ଼ିଶା ଦଳ: ଇର୍ଫାନ ପଠାନ (ଅଧିନାୟକ), ଅମ୍ବାତି ରାୟୁଡ଼ୁ, ୟୁସୁଫ ପଠାନ, ଶାହବାଜ ନଦୀମ, ନବୀନ ଷ୍ଟିୱାର୍ଟ, ରସ୍‌ ଟେଲର, ବିନୟ କୁମାର, ରିଚାର୍ଡ ଲେଭି, ଫିଡେଲ ଏଡୱାର୍ଡ୍ସ, ଡି. ମୁନାବୀରା, କେଭିନ ଓ’ବ୍ରାଏନ, କେପି ଅପ୍ପନ୍ନା, ପ୍ରବୀଣ ତାମ୍ବେ, ଦୀବେଶ ପଠାନିଆ, ବେନ୍‌ ଲଫ୍‌ଲିନ, ରାଜେଶ ବିଷ୍ଣୋଇ ଓ ନଟରାଜ ବେହେରା। ମଣିପାଲ ଟାଇଗର୍ସ ଦଳ: ହରଭଜନ ସିଂହ (ଅଧିନାୟକ), ସୌରଭ ତିୱାରୀ, ରବିନ ଉଥପ୍ପା, ଥିସାରା ପେରେରା, ଡାନ୍‌ ଖ୍ରୀଷ୍ଟିଆନ୍‌, ରାହୁଲ ଶୁକ୍ଳା, ପ୍ରବୀଣ ଗୁପ୍ତା, ଅନୁରିତ ସିଂହ, ଆଞ୍ଜେଲୋ ପେରେରା, ଅମିତ ବର୍ମା, ସୋଲୋ‌ମନ ମିର, ଆବୁ ନେଚିମ, ଆସେଲା ଗୁଣରତ୍ନେ, ମନୋଜ ତିୱାରୀ, ସେଲଡନ୍‌ କଟ୍ରେଲ, ଇମ୍ରାନ ଖାନ, ଇମିତୋଜ ସିଂହ।

ଓଡ଼ିଶା ‌କ୍ରିକେଟ୍‌ପ୍ରେମୀଙ୍କ ଆଶା ପୂରଣ କରିବୁ: ପଠାନ୍‌
ଓଡ଼ିଶା ଦଳର ମାଲିକଙ୍କ ସହ ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କର ଅନେକ ଆଶା ଆମ ଉପରେ ରହିଛି। ଓଡ଼ିଶା ସହ ଯୋଡ଼ି ହୋଇ ବହୁତ ଖୁସି ଲାଗୁଛି। ଆମ ଦଳରେ ରସ୍ ଟେଲର, ଅମ୍ବାତି ରାୟୁଡୁଙ୍କ ଭଳି ଖେଳାଳି ଅଛନ୍ତି। ଦକ୍ଷ ପ୍ରଶିକ୍ଷକ ମଣ୍ଡଳି ବି ରହିଛି। ଓଡ଼ିଆ ଖେଳାଳି ନଟରାଜ ବେହେରା ମଧ୍ୟ ଆମ ସହ ଯୋଡ଼ି ହୋଇଛନ୍ତି। ମଣିପାଲ ଟାଇଗର୍ସ ହେଉଛି ଗତଥରର ବିଜେତା। ଏଣୁ ଆମକୁ ଶୁକ୍ରବାର ମ୍ୟାଚ୍‌ରେ ନିଜନିଜର ଶ୍ରେଷ୍ଠ ଦେବାକୁ ହେବ। ଆମ ପାଖରେ ୩ ଜଣ ପ୍ରବୀଣ ତାମ୍ବେ, ଶାହାବାଜ, ଆପ୍ପାନ୍ନାଙ୍କ ରୂପରେ ତିନି ଜଣ ଭଲ ସ୍ପିନର ରହିଛନ୍ତି। ଭଲ ଦ୍ରୁତ ବୋଲିଂ ବାହିନୀ ବି ଅଛି। ଦଳକୁ ନେଇ ବ୍ୟକ୍ତିଗତ ଭାବେ ମୁଁ ସନ୍ତୁଷ୍ଟ ଅଛି। ମ୍ୟାଚ୍ ଦିନର ପାଗ, ପରିବେଶ ଓ ସ୍ଥିତି ଅନୁଯାୟୀ ଯୋଜନା କରି ଖେଳିବୁ।