ନୂଆଦିଲ୍ଲୀ: ଲୋକସଭାରେ ସୋମବାର ଗୃହୀତ ହୋଇଥିବା ‘ଜାତୀୟ କ୍ରୀଡ଼ା ପରିଚାଳନା ବିଧେୟକ-୨୦୨୫’କୁ ଭାରତୀୟ କ୍ରୀଡ଼ାର ଦୁଇ କିଂବଦନ୍ତି ତାରକା ଦୌଡ଼ରାଣୀ ପିଟି ଉଷା ଏବଂ ହକି ମହାନାୟକ ଦିଲୀପ ତିର୍କି ଦୃଢ଼ ସମର୍ଥନ କରିଛନ୍ତି। ବିଧେୟକକୁ ଦୂରଦୃଷ୍ଟିସଂପନ୍ନ ତଥା ବହୁପ୍ରତୀକ୍ଷିତ ବୋଲି ବର୍ଣ୍ଣନା କରି ଉଷା କହିଛନ୍ତି ଯେ ନୂଆ କ୍ରୀଡ଼ା ବିଧେୟକ ବହୁଦିନ ହେବ ଭାରତୀୟ କ୍ରୀଡ଼ାରେ ଲାଗି ରହିଥିବା ଗତିରୋଧ ଦୂର କରିବାର କ୍ଷମତା ରଖୁଛି। ଏହା ଦ୍ବାରା କ୍ରୀଡ଼ା ପରିଚାଳନାରେ ସ୍ବଚ୍ଛତା ଆସିବ ଏବଂ ଉତ୍ତରଦାୟିତ୍ବ ଭାବ ବଢ଼ିବ। ସେହିଭଳି ବିଧେୟକରେ ଥିବା ଜାତୀୟ କ୍ରୀଡ଼ା ବୋର୍ଡ (ଏନ୍ଏସ୍ବି) ଗଠନ ପ୍ରାବଧାନକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି।
ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ବଢ଼ିବ: ପିଟି ଉଷା
ଭାରତୀୟ କ୍ରୀଡ଼ା ପାଇଁ ଐତିହାସିକ ମୁହୂର୍ତ୍ତ: ଦିଲୀପ ତିର୍କି
ଏନ୍ଏସ୍ବିକୁ ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘକୁ ମାନ୍ୟତା ପ୍ରଦାନ କରିବାର ଅଧିକାର ପ୍ରଦାନ, କେନ୍ଦ୍ରୀୟ ଅନୁଦାନ ପାଇଁ ଏନ୍ଏସ୍ବି ସ୍ବୀକୃତି ଲାଭ କରିବାକୁ ବାଧ୍ୟତାମୂଳକ କରାଯିବା ଭଳି ବ୍ୟବସ୍ଥା ଭାରତୀୟ କ୍ରୀଡ଼ାର ପରିଚାଳନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା ପ୍ରକାଶ କରିଛନ୍ତି ଉଷା। ବିଧେୟକରେ କ୍ରୀଡ଼ା ସଂପର୍କିତ ବିବାଦଗୁଡ଼ିକର ସମାଧାନ ଲାଗି ଜାତୀୟ କ୍ରୀଡ଼ା ଅଧିକରଣ ଗଠନ କରିବା ଏବଂ କ୍ରୀଡ଼ା ମହାସଂଘଗୁଡ଼ିକର ନିର୍ବାଚନ ପରିଚାଳନା ଓ ତଦାରଖ ଲାଗି ଜାତୀୟ କ୍ରୀଡ଼ା ନିର୍ବାଚନ ସମିତି ଗଠନ କରିବା ଲାଗି ଥିବା ପ୍ରସ୍ତାବକୁ ଉଷା ସ୍ବାଗତ କରିଛନ୍ତି।
ସେହିଭଳି ଦିଲୀପ ଏହି ବିଧେୟକ ଗୃହୀତ ହେବାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ତିର୍କି କହିଛନ୍ତି, କ୍ରୀଡ଼ା ପରିଚାଳନା ବିଧେୟକ-୨୦୨୫ ଲୋକସଭାରେ ଗୃହୀତ ହେବା ଏକ ଐତିହାସିକ ଘଟଣା। ପ୍ରଥମ ଥର ପାଇଁ ଭାରତୀୟ କ୍ରୀଡ଼ା ଜଗତ ଏକ ସ୍ପଷ୍ଟ, କ୍ରୀଡ଼ାବିତ୍ କୈନ୍ଦ୍ରିକ ଏବଂ ସ୍ବଚ୍ଛ ଆଇନଗତ ଢାଞ୍ଚାରେ ପରିଚାଳିତ ହେବାକୁ ଯାଉଛି। ଏଭଳି ଏକ ସଂସ୍କାରମୂଳକ ପଦକ୍ଷେପ ବିଶ୍ବସ୍ତରୀୟ ପରିଚାଳନା ମଡେଲ୍ ସୃଷ୍ଟି କରି କ୍ରୀଡ଼ାବିତ୍ ଏବଂ ସମସ୍ତ ସ୍ବତ୍ବାଧିକାରୀଙ୍କ ମନରେ ଆତ୍ମବିଶ୍ବାସ ବଢ଼ାଇବ।