ବଲ ଟାମ୍ପରିଂ ବିବାଦ: ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ପଦ ଛାଡ଼ିଲେ ଡେରେନ ଲେହମାନ୍‌

ଜୋହନସ୍‌ବର୍ଗ: ବଲ ଟାମ୍ପରିଂ ବିବାଦ ନେଇ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଡେରେନ୍‌ ଲେହମାନ୍‌ ଗୁୁରୁବାର ନିଜର ପଦରୁ ଓହରିଛନ୍ତି। ଆଗାମୀ ମାର୍ଚ୍ଚ ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ର୍ଥ ତଥା ଶେଷ ଟେଷ୍ଟ ତାଙ୍କ ପାଇ ଶେଷ ଦାୟିତ୍ୱ ରହିବ। ଘଟଣା ଯେତେବେଳେ ଘଟିଥିଲା, ସେହି ସମୟରେ ସେ ଡ୍ରେସିଂ ରୁମ୍‌ରେ ବସିଥିଲେ। ପଦରୁ ବାହାରିଯିବା ଉପଯୁକ୍ତ ସମୟ ଆସିଛି ବୋଲି ଲେହମାନ କହିଛନ୍ତି।

ଅନ୍ତିମ ମୂହୁର୍ତ୍ତରେ ଖେଳାଳିଙ୍କୁ ଲେହମାନ କହିଛନ୍ତି, ସେମାନେ(ଷ୍ଟିଭ୍‌ ସ୍ମିଥ, ଡେଭିଡ଼ ଓ୍ଵାର୍ଣ୍ଣର ଓ କ୍ୟାମରନ୍‌ ବେନ୍‌କ୍ରଫ୍ଟ) ଭୁଲ କରିଛନ୍ତି। ସେମାନେ ବଲକୁ ବାଲି ପେପରରେ ଘଷି ବିରାଟ ଭୁଲ କରିଛନ୍ତି ବୋଲି ଲେହମାନ କହିଛନ୍ତି। ପରିବାରକୁ ଲେହମାନ କହିଛନ୍ତି, ସେମାନେ ୩୦୦ ଦିନ ବାହାରେ ବୁଲି ସାରିଲେଣି। ଏହା ମୋର ନିଷ୍ପତ୍ତି ଯେ, ମୁଖ୍ୟ କୋଚ୍‌ ପଦ ଛାଡୁଛି। କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥ, ଓ୍ଵାର୍ଣ୍ଣର ଓ ବେନ୍‌କ୍ରଫ୍ଟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ଟେଷ୍ଟରେ ବଲକୁ ବିକୃତ କରିଥିଲେ।

ଅଷ୍ଟ୍ରେଲିୟ କ୍ରିକେଟ୍‌ ତାରକା ଡେଭିଡ଼୍‍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ଗୁରୁବାର ବଲ-ଟାମ୍ପରିଂରେ ସଂପୃକ୍ତି ନେଇ ନିଜର ଫ୍ୟାନ୍‌ ଓ କ୍ରିକେଟ୍‌ ଜଗତକୁ କ୍ଷମା ପ୍ରାର୍ଥନା କରିଛନ୍ତି।ବଲ୍‌-ଟାମ୍ପରିଂ ଭଳି କଳା-କାର୍ଯ୍ୟ ଲାଗି ମଧ୍ୟ ସେମାନେ ନିଜକୁ ଦାୟୀ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଅଷ୍ଟ୍ରେଲୀୟ କ୍ରିକେଟ୍‌ ଦଳ ବଲ-ଟାମ୍ପରିଂ କରିବା କ୍ୟାମେରାରେ ଧରାପଡ଼ିଥିଲା।ଏହାପରେ ନୀରବ ରହିଥିବା ଏହି ଦୁଇ କ୍ରିକେଟର୍‌ ଗୁରୁବାର ମୁହଁ ଖୋଲିଛନ୍ତି। ଡେଭିଡ଼୍‍ ଓ୍ଵାର୍ଣ୍ଣର୍‌ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି କି ବଲ-ଟାମ୍ପରିଂରେ ସଂପୃକ୍ତି ଲାଗି ମୁଁ ନିଜକୁ ଦାୟୀ କରୁଛି ଏବଂ ଏଥିପାଇଁ କ୍ଷମା ମାଗୁଛି। ମୋର ଏହି ତୃଟି ଯୋଗୁଁ କ୍ରିକେଟ୍‌ର ଭାବମୂର୍ତ୍ତି ନଷ୍ଟ ହୋଇଛି।

ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା କ୍ରିକେଟର ଷ୍ଟିଭ୍‌ ସ୍ମିଥ୍‌ ମଧ୍ୟ ଏଥିଲାଗି କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ ସମ୍ବାଦିକ ସମ୍ମିଳନୀରେ ନିଜର ଦୋଷ ସ୍ୱୀକାର କରିଛନ୍ତି । ଏହି ସମୟରେ ସେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ସ୍ମିଥ୍‌ କହିଛନ୍ତି ‘ମୁଁ ବଲ୍‌ -ଟାମ୍ପରିଂ ଲାଗି ସଂପୂର୍ଣ୍ଣ ଭାବେ ଦାୟୀ। ମୁଁ ଦୁଃଖିତ। ମୁଁ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛି। ଟାମ୍ପରିଂ କରିବା ବେଳେ ମୁଁ ବୁଝିପାରି ନଥିଲି କି ଏହାର ପରିଣତି ଏଭଳି କ୍ଷତିକାରକ ହେବ। ଜୀବନରେ ଅବଶିଷ୍ଟ ଅଂଶ ମୁଁ ଜଣେ ଦୋଷୀଭାବେ ଅତିବାହିତ କରିବି। ଜଣେ ଅଧିନାୟକ ଭାବେ ଏହା ମୋର ଚରମ ବିଫଳତା।’

 

ସମ୍ବନ୍ଧିତ ଖବର