ପ୍ରଥମ ଥର ଏଫ୍‌ଏ କପ୍‌ ଜିତିଲା ଲିସେଷ୍ଟର ସିଟି

ଲଣ୍ଡନ: ୟୁରି ଟିଲେମାନ୍ସଙ୍କ ଚମତ୍କାର ଗୋଲ୍‌ ବଳରେ ଲିସେଷ୍ଟର ସିଟି ଏଫ୍‌ କପ୍‌ କରାୟତ୍ତ କରିଛି। ୧୪୯ ବର୍ଷର ଏହି ବଡ଼ ପ୍ରତିଯୋଗିତା ଇତିହାସରେ ଲିସେଷ୍ଟର ସିଟିର ଏହା ପ୍ରଥମ ଟ୍ରଫି। ପୂର୍ବରୁ ୩ ଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ପ୍ରତ୍ୟେକ ଥର ପରାଜୟ ବରଣ କରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା‌। ପୁଣି ଲିସେଷ୍ଟର ପ୍ରବନ୍ଧକ ବ୍ରେଣ୍ଡନ ରୋଜର୍ସଙ୍କ ଇଂଲିସ୍‌ ଫୁଟ୍‌ବଲ୍‌ରେ ଏହା ପ୍ରଥମ ଟ୍ରଫି। ପୂର୍ବରୁ ସେ ସ୍କଟ୍‌ଲାଣ୍ଡ୍‌ରେ ସେଲ୍‌ଟିକ୍‌ ପାଇଁ ଟ୍ରଫି ଜିତିଥିଲେ।

ତେବେ ୧୯୬୯ ପରେ ଲିସେଷ୍ଟରର ଏହା ପ୍ରଥମ ଫାଇନାଲ୍‌ ପ୍ରବେଶ ଥିଲା। ୱେମ୍ବଲେ ଷ୍ଟାଡିୟମରେ ଖେଳାଯାଇଥିବା ରବିବାର ଫାଇନାଲ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ଚେଲ୍‌ସିକୁ ପରାସ୍ତ କରିଥିଲା। ‌ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଟିଲେମାନ୍ସ (୬୩ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଦଳ ଆଗୁଆ ହୋଇଥିଲା। ୮୯ ମିନିଟ୍‌ରେ ‌‌ୱେସ୍‌ ମୋର୍ଗାନ୍‌ଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ଚେଲ୍‌ସି ମ୍ୟାଚ୍‌ ଅତିରିକ୍ତ ସମୟକୁ ଯିବା ନେଇ ଆଶା କରିଥିଲା। ହେଲେ ଭାର୍‌ ସହାୟତା‌ ନେବାରୁ ଏହା ଅଫ୍‌ସାଇଡ୍‌ ହୋଇଯାଇଥିଲା ଏବଂ ଅମ୍ପାୟାର ଗୋଲ୍‌ ନାକଚ କରିଦେଇଥିଲେ। ‌ଫଳରେ ଲିସେଷ୍ଟର ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର