ଲେୱାଣ୍ଡୋସ୍କିଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଜୁରିକ: ବେୟର୍ନ ମ୍ୟୁନିକର ଫରୱାର୍ଡ ରର୍ବଟ ଲେୱାଣ୍ଡୋସ୍କି ଚଳିତ ବର୍ଷ ପାଇଁ ଫିଫାର ଶ୍ରେଷ୍ଠ ଫୁଟ୍‌ବଲ୍‌ ଖେଳାଳି ପୁରସ୍କାର ପାଇଛନ୍ତି। ମ୍ୟୁନିକରେ ଆୟୋଜିତ ଏକ ଉତ୍ସବରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଦୌଡ଼ରେ ଥିବା ଗତଥରର ବିଜେତା ‌ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ପଛରେ ପକାଇ ପ୍ରଥମ ଥର ଲାଗି ଲେୱାଣ୍ଡୋସ୍କି ଏହି ପୁରସ୍କାର ଜିତିଛନ୍ତି। ଲେୱାଣ୍ଡୋସ୍କିଙ୍କ ପ୍ରଦର୍ଶନ ବଳରେ ବେୟର୍ନ ଜର୍ମାନି ଲିଗ୍‌ ଓ କପ୍‌ ସହ ଚାମ୍ପିଅନ୍ସ ଲିଗ୍‌ ବିଜେତା ହୋଇଥିଲା। ଏହି ୩ ପ୍ରତିଯୋଗିତାରେ ‌ସେ ଶ୍ରେଷ୍ଠ ସ୍କୋରର୍‌ ଥିଲେ। ପୋଲାଣ୍ଡକୁ ୟୁରୋ ୨୦୨୦ ଯୋଗ୍ୟତା ଦେଇଥିବା ଏହି ୩୨ ବର୍ଷୀୟ ତାରକା ଅକ୍ଟୋବରରେ ୨୦୧୯-୨୦ ୟୁଫା ପୁରୁଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମାଞ୍ଚେଷ୍ଟର ସିଟିର ଲୁସି ବ୍ରୋଞ୍ଜ ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ପାଇଛନ୍ତି। ଏଥିସହ ଏହି ପୁରସ୍କାର କରାୟତ୍ତ କରିବାରେ ସେ ପ୍ରଥମ ଇଂଲିସ ମହିଳା ହୋଇଛନ୍ତି। ପୁରୁଷ ଓ ମହିଳାରେ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ଯଥାକ୍ରମେ ଲିଭରପୁଲର ଜୁର୍ଗେନ ‌କ୍ଲପ୍‌ ଓ ନେଦରଲାଣ୍ଡର ସାରିନା ୱିଗମାନଙ୍କୁ ମିଳିଥିଲା। ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ବେୟର୍ନର ମାନୁଏଲ ନୁଏର (ପୁରୁଷ) ଓ ଫ୍ରାନ୍ସର ସାରା ବୌହାଦି (ମହିଳା) ପାଇଥିଲେ।

ସମ୍ବନ୍ଧିତ ଖବର