ଅକ୍ଲାଣ୍ଡ: ଦିନେ ଯିଏ କ୍ରିକେଟ୍ ପଡ଼ିଆରେ ବଡ଼ ବଡ଼ ଛକା ମାରି ଅଜସ୍ର କରତାଳି ସାଉଁଟୁଥିଲେ ଆଜି ତାଙ୍କ ଜୀବନ ହ୍ବିଲ୍ ଚେୟାରରେ ଆବଦ୍ଧ। ଏହା ହେଉଛି ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ୍ କେର୍ଣ୍ଣସ୍ଙ୍କ କରୁଣ କାହାଣୀ। ୫୧ ବର୍ଷୀୟ କେର୍ଣ୍ଣସ୍ଙ୍କ ଜୀବନ ଯୁଦ୍ଧ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ମାତ୍ର ୧୯ ବର୍ଷ ବୟସରେ ନ୍ୟୁଜିଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିବା, ବିଦ୍ରୋହୀ କ୍ରିକେଟ୍ ଲିଗ୍ ଆଇସିଏଲ୍ ଖେଳି ବାସନ୍ଦ ହେବା, ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଜଡ଼ିତ ହେବା ଏବଂ ଗୁଜୁରାଣ ମେଣ୍ଟାଇବା ଲାଗି ଶେଷରେ ବସ୍ ଧୋଇବା ଭଳି କାର୍ଯ୍ୟ କରିବା କେର୍ଣ୍ଣସ୍ ନିଜ ଜୀବନର ୫୧ ବସନ୍ତ ଭିତରେ ଅନେକ ଉଥାନ ପତନ ଦେଇ ଗତି କରିଛନ୍ତି। ଆଜିକାଲି ସେ ସାଧାରଣ ଲୋକଙ୍କ ଭଳି ଜୀବନ ଅତିବାହିତ କରିବା ସହ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ୱିଲ୍ ଚେୟାରରେ ହିଁ ଚଲାବୁଲା କରୁଛନ୍ତି। କିଛି ଦିନ ତଳେ ହଠାତ୍ ତାଙ୍କର ମେରୁଦଣ୍ଡାଘାତ ହୋଇଥିଲା। ଫଳରେ ଅଣ୍ଟାଠାରୁ ତଳକୁ ଏକପ୍ରକାର ଅଚଳ ହୋଇଯାଇଥିଲା।
ଦୀର୍ଘଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ନିଜଟରେ ଘରକୁ ଫେରି ବ୍ୟାୟାମ କରିବା ଆରମ୍ଭ କରିଛନ୍ତି କେର୍ଣ୍ଣସ୍। ଜୀବନ ବଞ୍ଚିଯାଇଥିବାରୁ ନିଜକୁ ଭାଗ୍ୟଶାଳୀ ମଣନ୍ତି ବିଗତ ଦିନର ଏହି ଦୁର୍ଦ୍ଧର୍ଷ ଅଲରାଉଣ୍ଡର। ନ୍ୟୁଜିଲାଣ୍ଡ ପକ୍ଷରୁ ୬୨ ଟେଷ୍ଟ୍, ୨୧୫ ଦିନିକିଆ ଏବଂ ୨ ଟ୍ବେଣ୍ଟି-୨୦ ଖେଳିଥିବା କେର୍ଣ୍ଣସ୍ଙ୍କୁ ପତ୍ନୀ ମେଲନିଙ୍କ ଦୃଢ଼ ସମର୍ଥନ ହିଁ ତାଙ୍କୁ ଏତେବଡ଼ ବିପଦରୁ ବାହାରି ଆସିବାକୁ ସାହସ ଦେଇଛି। ଏକ କ୍ରିକେଟ୍ ପରିବାରରୁ ଆସିଥିବା କେର୍ଣ୍ଣସ୍ଙ୍କ ପିତା ଲାନ୍ସ କେର୍ଣ୍ଣସ୍ ମଧ୍ୟ ନ୍ୟୁଜିଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ଏବେ କ୍ରିକେଟ୍ ପଡ଼ିଆକୁ ଯିବାର କୌଣସି ସମ୍ଭାବନା ନଥିବା ବେଳେ ଏହା ହିଁ ତାଙ୍କୁ ସବୁଠାରୁ ଅଧିକ ଦୁଃଖିତ କରୁଛି।