ଭୁବନେଶ୍ୱର: ଷାଠିଏ ଓ ସତୁରି ଦଶକରେ ଦେଶର ଶ୍ରେଷ୍ଠ ଫୁଟ୍ବଲ୍ ଗୋଲ କିପର କୁହାଯାଉଥିବା ଭାରତୀକୃଷ୍ଣ ମିଶ୍ର ଓ ସଫଳ ହକି ପ୍ରଶିକ୍ଷକ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ପରଲୋକଗତ ବିଶିଷ୍ଟ କ୍ରିକେଟ୍ ପ୍ରଶିକ୍ଷକ କମଲ ଗାଙ୍ଗୁଲୀଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସହିଦ ସ୍ପୋର୍ଟିଂ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା ବେଳେ ମାରୁତି ଇଷ୍ଟେଟ ଇଣ୍ଡିଆ (ପ୍ରା) ଲିମିଟେଡ୍ ଏହି ପୁରସ୍କାର ପ୍ରାୟୋଜକ ଅଛନ୍ତି। ଅମୂଲ୍ୟ ବେହେରା କମଲ ଗାଙ୍ଗୁଲୀ ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଭାରତୀକୃଷ୍ଣ ସହିଦ ସ୍ପୋର୍ଟିଂ ଜୀବନବ୍ୟାପୀ ସେବା ପୁରସ୍କାର ଲାଭ କରିବେ। ଫେବ୍ରୁଆରି ୧୮ରେ କ୍ଲବ୍ ପରିସରରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକ ଜଣାଇଛନ୍ତି।
କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ୨୦୧୨ରୁ ପ୍ରଦାନ କରାଯାଉଛି। ପ୍ରଥମ ବର୍ଷ ବିଶିଷ୍ଟ କ୍ରିକେଟ୍ ପ୍ରଶିକ୍ଷକ କିଶୋର ମାଣିଆ, ୨୦୧୩ରେ ଜୋସ ଜ୍ୟାକବ, ୨୦୧୪ରେ ନନ୍ଦ କିଶୋର ପଟ୍ଟନାୟକ, ୨୦୧୫ରେ ନୀଳ ମାଧବ ଦେଓ, ୨୦୧୭ରେ ଅଶୋକ ମିଶ୍ର, ୨୦୧୮ରେ ରଶ୍ମିତା ମହାନ୍ତି, ୨୦୧୯ ପାଇଁ ଶିବପ୍ରସାଦ ଦାସ ଓ ୨୦୨୦-୨୧ ପାଇଁ ହରିପ୍ରସାଦ ପଟ୍ଟନାୟକ ଏହି ପୁରସ୍କାର ଲାଭ କରିଛନ୍ତି। ୨୦୧୪ ମସିହାରୁ ସହିଦ ସ୍ପୋର୍ଟିଂ ଜୀବନବ୍ୟାପୀ ସେବା ପୁରସ୍କାର ପ୍ରଦାନ ଧାରା ଆରମ୍ଭ ହୋଇ ମଦନ ମୋହନ ମହାନ୍ତିଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୫ରେ ବିଜୟ ଶତପଥୀ, ୨୦୧୭ରେ ଅରୂପାନନ୍ଦ ରାଉତରାୟ, ୨୦୧୮ରେ ଅଶୋକାନନ୍ଦ ଜେନା, ୨୦୧୯ରେ ଅଶୋକ ମହାନ୍ତି ଓ ୨୦୨୦-୨୧ରେ ପିଟର ତିର୍କି ଏହାକୁ ହାସଲ କରିଛନ୍ତି। ସହିଦ ସ୍ପୋର୍ଟିଂ କ୍ଲବ୍ର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥରର ଚୟନ ବୈଠକରେ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ୱାଇଁ, ସଂଜୀବ ବିଶ୍ୱାଳ, ସମ୍ବିତ ମହାପାତ୍ର, ତପନ ସ୍ୱାଇଁ, ଉମାକାନ୍ତ ମିଶ୍ର, ସମୀକ୍ଷା ପଟ୍ଟନାୟକ, ସମୀର ରାଉତ, ନିରଞ୍ଜନ ରେଡ୍ଡୀ ଏବଂ ଶକ୍ତି ପ୍ରକାଶ ନନ୍ଦ, ବିଶିଷ୍ଟ କ୍ରିକେଟର ରଶ୍ମିରଞ୍ଜନ ପରିଡ଼ା, ମାରୁତି ଇଷ୍ଟେଟ୍ର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ଓ ଆୟୋଜକ କ୍ଲବ୍ର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ସାମିଲ ହୋଇଥିଲେ।