ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ବିଜୁଳି ମାରିବାରୁ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି। ବାନଡଙ୍ଗର ସିଲିୱାଙ୍ଗି ଷ୍ଟାଡିୟମ୍‌ରେ ଇଣ୍ଡୋନେସିଆ କ୍ଲବ୍‌ ପ୍ରତିଯୋଗିତାର ଏଫ୍‌ସି ବାନଡଙ୍ଗ ଓ ଏଫ୍‌ବିଆଇ ସବାଙ୍ଗ ମଧ୍ୟରେ ଖେଳ ଚାଲୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଖେଳ ଚାଲୁଥିବା ସମୟରେ ଜଣେ ଖେଳାଳିଙ୍କୁ ବିଜୁଳି ମାରୁଥିବା ଭିଡିଓରେ ରେକର୍ଡ ହୋଇଥି‌ଲା। ପରେ ଖେଳାଳି ଜଣକ ତଳେ ପଡ଼ିଯାଇ ଛଟପଟ ହେଉଥିଲା ବେଳେ ତାଙ୍କର ଶ୍ବାସକ୍ରିୟା ଜୋର୍‌ରେ ଚାଲୁଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କୁ ମୃତ ‌ଘୋଷଣା କରାଯାଇଥିଲା। ଏଭଳି ଘଟଣା ଇଣ୍ଡୋନେସିଆରେ ନୂଆ ନୁହେଁ। ଗତବର୍ଷ ସୋଏରାଟିନ୍‌ ୧୩ ବର୍ଷରୁ କମ୍‌ ଫୁଟବଲ୍‌ ପ୍ରତିଯୋଗିତା ସମୟରେ ଜଣେ ଯୁବ ଖେଳାଳି ବିଜୁଳି ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିଲା। ସେହିପରି ପାରାନାରେ ୨୧ ବର୍ଷୀୟ ବ୍ରାଜିଲ୍‌ ଫୁଟବଲର୍‌ ସାଇଓ ହେନରିକ୍‌ ଡି ଲିମା ‌ଗନକ୍ଲେଭ୍ସ ମଧ୍ୟ ଖେଳୁଥିବା ସମୟରେ ବିଜୁଳି ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।