ହକି ଭଳି ଓଡ଼ିଶାରୁ ବହୁ ଅନ୍ତର୍ଜାତୀୟ କ୍ରିକେଟର୍‌ ବାହାରିପାରିବେ: ଆଝାର

ଉତ୍କଳ ଗୌରବର ଅନ୍ତର୍ଜାତୀୟ କ୍ରୀଡ଼ା ଏକାଡେମି ସ୍ବପ୍ନ

ଭୁବନେଶ୍ବର, (ସୁରେଶ ସ୍ବାଇଁ): ଚାରିଆଡେ ଏବେ ହଜିଯାଇଥିବା ହକି ହୃତଗୌରବ ଫେରି ଆସିବାର ଚର୍ଚ୍ଚା ଚାଲିଥିବା ବେଳେ ଦେଶର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ୍‌ ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଭାରତୀୟ ହକିକୁ ଓଡ଼ିଶାର ଅବଦାନକୁ ପରୋକ୍ଷରେ ସ୍ବୀକାର କରି ଆଝାରୁଦ୍ଦିନ୍ କହିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଯେଭଳି ଓଡ଼ିଶା ଖେଳାଳିଙ୍କ ଉପସ୍ଥିତି ରହୁଛି ସେଭଳି ଭାରତୀୟ କ୍ରିକେଟ୍‌ ଦଳରେ ମଧ୍ୟ ରହୁ। ଓଡ଼ିଶାରୁ ବହୁ ଦିନ ହେବ କୌଣସି କ୍ରିକେଟର୍‌ ଭାରତୀୟ ଦଳରେ ସ୍ଥାନ ପାଉନାହାନ୍ତି। ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳଙ୍କ ପରେ ଲମ୍ବା ବ୍ୟବଧାନ ଦେଖିବାକୁ ମିଳିଛି। ବ‌‌‌ର୍ଷେ ଦୁଇ ବର୍ଷ ଖେଳି ଦଳରୁ ବାହାରିଯିବା ଉଚିତ୍ ନୁହେଁ ବୋଲି ଶନିବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପ୍ରକାଶ କରିଥିଲେ ୫୮ ବର୍ଷୀୟ ଆଝାରୁଦ୍ଦିନ୍‌। ଓଡ଼ିଶାରୁ ଯଦି ଏତେ ହକି ପ୍ରତିଭା ବାହାରି ପାରୁଛନ୍ତି, ଭାରତୀୟ ଦଳରେ ନିୟମିତ ସ୍ଥାନ ପାଉଛନ୍ତି ତେବେ କ୍ରିକେଟର୍‌ ନିଶ୍ଚିତ ବାହାରିପାରିବେ। ରାଜ୍ୟରେ କ୍ରିକେଟ୍‌ର ଉନ୍ନତି ପାଇଁ ଉତ୍କଳ ଗୌରବ ଫା‌ଉଣ୍ଡେସନ୍‌ ଏବଂ ଡାକ୍ତର ପ୍ରଦୀପ କୁମାର ସେଠୀ ଯେଉଁ ପ୍ରୟାସ କରିଛନ୍ତ ତାହା ପ୍ରଶଂସନୀୟ। ମୁଁ ଏହି ଫାଉଣ୍ଡେସନ୍‌ର ପରାମର୍ଶଦାତା ଭୂମିକାରେ ରହିଛି। ରାଜ୍ୟର ଗାଁ ଓ ଜିଲ୍ଲାସ୍ତରରୁ ପ୍ରତିଭା ଅନ୍ବେଷଣ କରି ସେମାନଙ୍କ ସମସ୍ୟା ସମାଧାନ କରିପାରିଲେ ବିନା ଚାପରେ ପ୍ରଶିକ୍ଷଣ ନେବା ସହ ଖେଳି ସେମାନେ ଆଗକୁ ବଢ଼ିପାରିବେ। ତେବେ ଲଗାତାର ସ୍ଥିର ପ୍ରଦର୍ଶନ ଦେଇ ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ହେବାରେ ଅଛି। ଏଥିପାଇଁ ନିରଂତର ସ୍କୋର୍‌ କରିବାକୁ ପଡ଼ିବ, କାରଣ ପ୍ରତିଦ୍ବନ୍ଦ୍ବିତା ବଢ଼ିଗଲାଣି‌ ବୋଲି ପ୍ରକାଶ କରିଥିଲେ ଏହି ହାଇଦ୍ରାବାଦୀ। ମୁଁ ଅନେକ ଥର ଭୁବନେଶ୍ବର ଆସିଛି ଏବଂ କଟକରେ‌ ଖେଳିଛି। ବାରବାଟୀରେ ମଧ୍ୟ ମୋର ସର୍ବୋଚ୍ଚ ବ୍ୟକ୍ତିଗତ ଦିନିକିଆ ସ୍କୋର୍‌ (୧୫୩* ବନାମ ଜିମ୍ବାୱେ, ୧୯୯୮) ରହିଛି, ମୋ ପାଇଁ ଏହା ସ୍ମରଣୀୟ ରହିଛି ବୋଲି ଆଝାରୁଦ୍ଦିନ୍ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଆଝାରୁଦ୍ଦିନ୍ ଦେଶ ପାଇଁ ୯୯ ଟେଷ୍ଟ୍ ଓ ୩୩୪ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୬୨୧୫ ଓ ୯୩୭୮ ରନ୍‌ ସଂଗ୍ରହ କରିଥିଲେ।

ବହୁଦିନ ହେବ ବିଶ୍ବକପ୍‌ ଜିତିନୁ
ଦିନିଆ ମ୍ୟାଚ୍‌ ଖେଳୁଛି। ତେଣୁ ସେଠାରେ ମନୋନିବେଶ କରି ଭଲ ଖେଳନ୍ତୁ। ଏହା ପରେ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ପ୍ରସ୍ତୁତି ଓ ପରିଶ୍ରମ କରାଯିବା ଉଚିତ୍‌। ଅନେକ ଦିନ ହେବ ଭାରତ କୌଣସି ଆଇସିସି ପ୍ରତିଯୋଗିତା ଜିତିପାରିନାହିଁ। ଆଶା କରିବା ଏବର୍ଷ ଜିତିବା। ଦୁଃର୍ଭାଗ୍ୟର କଥା ଭାରତରେ ଏହି ବିଶ୍ବକପ୍‌ ଖେଳ‌ାଯିବାକୁ ଥିଲେ ମଧ୍ୟ କୋଭିଡ୍ କାରଣରୁ ୟୁଏଇ ନେବାକୁ ପଡ଼ିଛି।
କୋହଲି ବଡ଼ ଖେଳାଳି
ଇଂଲଣ୍ଡରେ ରନ୍‌ ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ବିରାଟ କୋହଲି ଜଣେ ବଡ଼ ଖେଳାଳି। ଗୋଟିଏ ଦୁଇଟି ପାଳି ଖରାପ ଖେଳିଲେ ବୋଲି ତାଙ୍କ ଫର୍ମକୁ ନେଇ ଆଲୋଚନା କରାଯିବା କଥା ନୁହେଁ। ସବୁବେ‌ଳେ ଭାରତୀୟ କ୍ରିକେଟପ୍ରେମୀମା‌ନେ ଆଶା କରିଥା’ନ୍ତି କୋହଲି ଶତକ ହାସଲ କରନ୍ତୁ, ଯାହାକି ଅସମ୍ଭବ। ବର୍ତମାନର ଟେଷ୍ଟ୍‌ ଦଳରେ ମୟଙ୍କ ଅଗ୍ରୱାଲ୍ ପାଳି ଆରମ୍ଭ କରିବାର ଥିଲା, କିନ୍ତୁ ମସ୍ତିସ୍କାଘାତ କାରଣରୁ ସେ ବଞ୍ଚିତ ହୋଇଛନ୍ତି। ରୋହିତ ଶର୍ମା ଓ କେଏଲ୍‌ ରାହୁଲ ଏବେ ଭଲ ଖେଳୁଛନ୍ତି। ଲଗାତାର ଭଲ ଖେଳିଲେ ଆସିବାଯିବା ପଡ଼ିବ ନାହିଁ। ଏହା ଦଳ ପାଇଁ ଏବଂ ଖେଳାଳି ପାଇଁ ଭଲ ହେବ।
ପୂଜାରାଙ୍କ ବ୍ୟାଟିଂରେ ତ୍ରୁଟି
ଚେତେଶ୍ବର ପୂଜାରାଙ୍କ ବ୍ୟାଟିଂରେ ଏବେ ବୈଷୟିକ ତ୍ରୁଟି ଦେଖା ଦେଇଛି। ସେଥିପାଇଁ ସେ ସଂଘର୍ଷ କରୁଛନ୍ତି। ନ ହେଲେ ୬ ହଜାରରୁ ଊର୍ଧ୍ବ ରନ୍‌ (୬୨୯୨) କରିଥିବା ଏହି ଖେଳାଳି ନିଶ୍ଚିତ ଭା‌ବେ ଏତେ ଲମ୍ବା ସମୟ ଖରାପ ଖେଳିବା କଥା ନୁହେଁ। ଏହି ତ୍ରୁଟିକୁ ମୁଁ ଏଠାରୁ ଦେଖି କହିପାରିବି, କିନ୍ତୁ କେହି ପଚାରିଲେ ତ? ଦଳର ପ୍ରଶିକ୍ଷକ କିମ୍ବା ବ୍ୟାଟିଂ ପ୍ରଶିକ୍ଷକ ଏହି ଦାୟିତ୍ବ ତୁଲାଇଲେ ସେ ପୁଣି ଭଲ ଖେଳିପାରିବେ।
ଖେଳ ଓ ରାଜନୀତି
ଖେଳ ଓ ରାଜନୀତି ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ। ଏହା ସମ୍ପୂର୍ଣ୍ଣ ଅଲଗା ଅଲଗା। ରାଜନୀତିରେ ନିର୍ବାଚନ ଆସିଲେ ମାସେ ଦେଢ଼ ମାସ ଭିତରେ ବିଜୟ ପରାଜୟର ଫଳ ମିଳିଯାଇଥାଏ। ଖେଳରେ କିନ୍ତୁ ସଫଳତା ଅର୍ଜନ କରିବାକୁ ୧୦/୧୨ ବର୍ଷ ଲାଗିଯାଇଥାଏ। ଏହା ହିଁ ଫରକ। ପିଲାଦିନୁ କ୍ରିକେଟ୍ ଖେଳିଥିବାରୁ ଏହା ମୋ ପାଇଁ ଅପେକ୍ଷାକୃତ ସହଜ ଥିଲା।

ସମ୍ବନ୍ଧିତ ଖବର