ଭାରତ-ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟର ଟେଷ୍ଟ୍ରେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଭଙ୍ଗା ପାଦରେ ବ୍ୟାଟିଂକୁ ଆସି ଦେଶ ପାଇଁ ଲଢ଼ିଥିଲେ। ସେହିଭଳି ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍ ଓକ୍ସ ଆହତ ସତ୍ତ୍ବେ ଦ ଓଭାଲ୍ରେ ବ୍ୟାଟିଂକୁ ଆସି ମହାନତା ଦେଖାଇଛନ୍ତି। ଏହି ଟେଷ୍ଟ୍ର ପ୍ରଥମ ଦିନରେ ଫିଲ୍ଡଂ କରୁଥିଲା ବେଳେ ଡାଇଭ୍ ମାରି ବାଉଣ୍ଡରି ନିକଟରେ ବଲ୍ ଅଟକାଇଲା ବେଳେ ତାଙ୍କ କାନ୍ଧହାଡ଼ ଖସିଯାଇଥିଲା। ଫଳରେ ସେ ଆଉ ପଡ଼ିଆକୁ ଆସି ନଥିଲେ। ଏପରିକି ପ୍ରଥମ ପାଳିରେ ସେ ବ୍ୟାଟିଂ ମଧ୍ୟ କରି ନଥିଲେ। ହେଲେ ଦ୍ବିତୀୟ ପାଳିରେ ଦଳକୁ ବିଜୟ ପାଇଁ ୧୭ରନ୍ ଆବଶ୍ୟକ ଥିଲା ବେଳେ ୯ ୱିକେଟ୍ ଝଡ଼ି ଯାଇଥିଲା। ତେଣୁ ଦଳକୁ ବିଜୟ ଦେବା ଆଶାରେ ସେ ଗୋଟିଏ ହାତବନ୍ଧା ଅବସ୍ଥାରେ ପଡ଼ିଆକୁ ଆସିଥିଲେ।
ଏପରିକି ସେ ଦଶମ ୱିକେଟ୍ରେ ଗସ୍ ଆଟ୍କିନ୍ସନ୍ଙ୍କ ସହ ୧୦ ରନ୍ ଭାଗୀଦାରି ଗଢ଼ି ଦଳକୁ ବିଜୟ ନିକଟତର କରିଥିଲେ। ଆଟ୍କିନ୍ସନ୍ ତାଙ୍କୁ ଗୋଟିଏ ବି ବଲ୍ ସମ୍ମୁଖୀନ ହେବା ପରିସ୍ଥିତି ସୃଷ୍ଟି କରିନଥିଲେ। ହେଲେ ମହମ୍ମଦ ସିରାଜଙ୍କ ବଲ୍ରେ ଆଟ୍କିନ୍ସନ୍ ବୋଲ୍ଡ ହୋଇଯିବାରୁ ଭାରତ ୬ ରନ୍ରେ ବିଜୟୀ ହୋଇଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ୍ରେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। କ୍ରିସ୍ ଓକ୍ସଙ୍କ ବଲ୍ ତାଙ୍କ ପାଦରେ ବାଜି ଫାଟିଯାଇଥିଲା। ଏହା ପରେ ପନ୍ତ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଯାଇଥିଲେ। କିନ୍ତୁ, ୱିକେଟ୍ରକ୍ଷଣ କରି ନଥିଲେ ମଧ୍ୟ ଯେତେବେଳେ ଦଳକୁ ତାଙ୍କର ଆବଶ୍ୟକତା ଥିଲା, ସେହି ଭଙ୍ଗାପାଦରେ ସେ ବ୍ୟାଟିଂକୁ ଆସିଥିଲେ। ଦ୍ବିତୀୟ ପାଳିରେ ଗିଲ୍, ଜାଡ଼େଜା, ସୁନ୍ଦର ଶତକ ମାରି ଭାରତକୁ ଡ୍ର’ ରଖିବାରୁ ପନ୍ତ୍ଙ୍କ ବ୍ୟାଟିଂର ଆବଶ୍ୟକତା ପଡ଼ିନଥିଲା।