ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟ୍ରେ ଭାରତୀୟ ତାରକା ରୋହିତ ଶର୍ମା ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବୋଲି ଏଥିରେ ସନ୍ଦେହ ନାହିଁ। ୨୦୧୯ ମସିହାରେ ସେ ଦିନିକିଆର ସର୍ବାଧିକ ରନ୍ ହାସଲକାରୀ ରହିବା ସହ ବିଶ୍ବକପ୍ରେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ୫ ଶତକ ହାସଲ କରିଥିଲେ। ହେଲେ ଦିନିକିଆ ଓ ଟ୍ବେଣ୍ଟି-୨୦ ଭଳି ସଫଳତା ସେ ଟେଷ୍ଟ୍ରେ ପାଇ ନାହାନ୍ତି। କିନ୍ତୁ ତାଙ୍କ ପୂର୍ବତନ ଦଳୀୟ ସାଥୀ ଗମ୍ଭୀର ଅନୁଭବ କରିଛନ୍ତି ଯେ ରୋହିତ ସଂପ୍ରତି ଟେଷ୍ଟ୍ରେ ସଫଳତା ପାଇନଥିଲେ ମଧ୍ୟ ଆଗକୁ ଏଥିରେ ଉନ୍ନତି କରିବେ।
ସେ ଜଣେ ଚମତ୍କାର ଧଳା ବଲ୍ ବ୍ୟାଟ୍ସମ୍ୟାନ୍। ବୀରେନ୍ଦ୍ର ସେହବାଗଙ୍କ ପରେ ତାଙ୍କର ଭଲ କୀର୍ତ୍ତିମାନ ରହିଛି। କିନ୍ତୁ ଟେଷ୍ଟ୍ କ୍ରିକେଟ୍ ହେଉଛି ଭିନ୍ନ ଧରଣର ବୋଲି ଗମ୍ଭୀର ଷ୍ଟାର ସ୍ପୋର୍ଟ୍ସ ସୋ 'କ୍ରିକେଟ୍ କନେକ୍ଟେଡ୍'ରେ ପ୍ରକାଶ କରିଛନ୍ତି। ହଁ, ତାଙ୍କର ଉଜ୍ବଳ ପ୍ରଦର୍ଶନ ଦେଖିପାରୁଛି। ଆଗକୁ ତାଙ୍କ କ୍ରିକେଟ୍ କୁଆଡ଼େ ଯାଉଛି ଦେଖିବାର ବାକି ରହିଛି। କାରଣ ବୀରୁ ଟେଷ୍ଟ୍ରେ ୨ଟି ତ୍ରିଶତକ ହାସଲ କରିଛନ୍ତି। ତେଣୁ ମୋର ବିଶ୍ବାସ ବୀରୁଙ୍କ ପରି ରୋହିତ ବି ଟେଷ୍ଟ୍ରେ ସଫଳ ହେବେ ବୋଲି କ୍ରିକେଟର୍ରୁ ରାଜନେତା ପାଲଟିଥିବା ଦିଲ୍ଲୀ ସାଂସଦ ଗମ୍ଭୀର କହିଛନ୍ତି। ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ଚଳିତ ବର୍ଷ ବିସିସିଆଇ ରୋହିତଙ୍କ ନାମ ସୁପାରିସ କରିଛି। ରୋହିତ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ କ୍ରିକେଟ୍ରେ ୪ ଶତକ ଏବଂ ଦିନିକିଆରେ ସର୍ବାଧିକ ୮ ଥର ୧୫୦ରୁ ଅଧିକ ରନ୍ କରିବାର କୀର୍ତ୍ତିମାନ କରିଛନ୍ତି। ୨୦୧୭ରୁ ଏପର୍ଯ୍ୟନ୍ତ ରୋହିତ (୧୮ ଶତକ) ସର୍ବାଧିକ ଦିନିକିଆ ଶତକ ହାସଲକାରୀ। ୨୮ ଶତକ ସହ ସେ ମଧ୍ୟ ସର୍ବକାଳୀନ ସର୍ବାଧିକ ଶତକ ହାସଲକାରୀଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ୨୦୧୯ ବର୍ଷର ଶ୍ରେଷ୍ଠ ଆଇସିସି କ୍ରିକେଟର୍ ପୁରସ୍କାରପ୍ରାପ୍ତ ରୋହିତ ଭାରତ ମାଟିରେ ସର୍ବାଧିକ ଅନ୍ତର୍ଜାତୀୟ ଛକା ମାରିବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠୁ ଆଗରେ ଅଛନ୍ତି। ଟେଷ୍ଟ ଓପନର୍ ଭାବେ ପଦାର୍ପଣରେ ଦୁଇଟି ଶତକ ହାସଲ କରିବାରେ ରୋହିତ ଏକମାତ୍ର ଖେଳାଳି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Rohit-Sharma-2-.jpg)