ଲିଲିମା ପାଇବେ ଏକଲବ୍ୟ ପୁରସ୍କାର ଝିଲି, ଋତୁପର୍ଣ୍ଣା ହେବେ ସମ୍ମାନିତ

ଭୁବନେଶ୍ୱର: ମହିଳା ହକି ତାରକା ଲିଲିମା ମିଞ୍ଜ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ସେହିଭଳି ଭାରୋତ୍ତୋଳନ ତାରକା ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଯୁଗ୍ମ ଉପବିଜେତା ଭାବେ ସମ୍ମାନିତ ହେବେ। ଉଭୟ ୫୦ ହଜାର ଟଙ୍କା ଲେଖାଏଁ ପାଇବା ସହ ମାନପତ୍ର ଅର୍ଜନ କରିବେ। ରବିବାର ଏହି ପୁରସ୍କାର ପ୍ରଦାନ କରୁଥିବା ଇମ୍ପାକ୍ଟ ପ୍ରତିଷ୍ଠାନର ବିଚାରକ ମଣ୍ଡଳିର ଏକ ବୈଠକ ବସି ସର୍ବସମ୍ମତିକ୍ରମେ ଲିଲିମାଙ୍କୁ ଚଳିତ ବର୍ଷର ବିଜେତା ଭାବେ ବାଛିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ବିହାବନ୍ଧ-ତାନାତୋଲି ଗ୍ରାମରେ ୧୯୯୪ ମସିହା ଏପ୍ରିଲ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ଲିଲିମା ୨୦୦୫ରେ ରାଉରକେଲାର ପାନପୋଷ୍‌ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ୬ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଆଜେଣ୍ଟିନାରେ ଅନୁଷ୍ଠିତ ଚର୍ତୁଦେଶୀୟ ପ୍ରତିଯୋଗିତାରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ୧୦୦ରୁ ଉର୍ଧ୍ବ ମ୍ୟାଚ୍‌ରେ ସେ ଭାରତୀୟ ଦଳର ପ୍ରତିନିଧିତ୍ବ କରି ସାରିଲେଣି। ୨୦୧୬ ରିଓ ଅଲିମ୍ପିକ୍ସ ସହ ଚଳିତ ବର୍ଷ ଇଣ୍ଡୋନେସିଆରେ ଆୟୋଜିତ ଅଷ୍ଟାଦଶ ଏସୀୟ କ୍ରୀଡ଼ା ଖେଳିଥିବା ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ। ସେହିଭଳି ଗତବର୍ଷ ମହିଳା ହକି ଏସିଆ କପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ।

ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଉତ୍ପାଦ ଝିଲି ପି ଧର୍ମାରାଓଙ୍କ ପ୍ରଶିକ୍ଷଣରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ଉଜବେକିସ୍ତାନର ଉର୍ଗାଞ୍ଚଠାରେ ଅନୁଷ୍ଠିତ ୨୫ତମ ଏସୀୟ କନିଷ୍ଠ ଭାରୋତ୍ତୋଳନରେ ରୌପ୍ୟ ଏବଂ ଉଜବେକିସ୍ତାନର ତାସକେଣ୍ଟଠାରେ ଅନୁଷ୍ଠିତ ବିଶ୍ବ କନିଷ୍ଠ ଭାରୋତ୍ତୋଳନରେ କାଂସ୍ୟ ପଦକ ପାଇଥିଲେ। ଋତୁପର୍ଣ୍ଣ ମଧ୍ୟ ବହୁ ଜାତୀୟ ପ୍ରତିଯୋଗିତାରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ପରେ ଜାକର୍ତାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ା‌େର ଭାରତୀୟ ଯୁଗଳ ଦଳର ପ୍ରତିନିଧିତ୍ବ କରିଥିଲେ। ୧୯୯୩ ମସିହାରେ ଆରମ୍ଭ ହୋଇଥିବା ଏକଲବ୍ୟ ପୁରସ୍କାର ଚଳିତ ବର୍ଷ ୨୬ତମ ବର୍ଷରେ ପଦାର୍ପଣ କରିଛି। ପୂର୍ବରୁ ଦିଲ୍ଲୀପ ତିର୍କି, ପ୍ରବୋଧ ତିର୍କି, ଇଗ୍ନେସ ତିର୍କି, ଦୀପସାନ୍ ତିର୍କି, ଦେବାଶିଷ ଦାସ, ପଦ୍ମିନୀ ରାଉତ, ଶିବ ସୁନ୍ଦର ଦାସ, ଦେବାଶିଷ ମହାନ୍ତି, କେ ରବି କୁମାର, ଶ୍ରୀୟଙ୍କା ଷଡ଼ଙ୍ଗୀ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କ ଭଳି ଖେଳାଳି ଏହି ପୁରସ୍କାର ପାଇ ସାରିଛନ୍ତି।

ସମ୍ବନ୍ଧିତ ଖବର