ଆର୍ଜେଣ୍ଟିନା ଗଲେ ଲିଲିମା, ଦୀପଗ୍ରେସ, ନମିତା, ରଶ୍ମିତା

ଭୁବନେଶ୍ବର : ପାଖାପାଖି ଏକ ବର୍ଷ ହେବ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନଥିବା ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ଅଲିମ୍ପିକ୍ସ ବର୍ଷ ୨୦୨୧ରେ ଭାରତୀୟ ଦଳର ଏହା ପ୍ରଥମ ଗସ୍ତ। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ୩୨ (୨୫ ଖେଳାଳି ଓ ୭ ସପୋର୍ଟ ଷ୍ଟାଫ୍‌) ଜଣିଆ ବିରାଟ ଦଳ ନୂଆଦିଲ୍ଲୀରୁ ବୁଏନ୍‌ସ ଏୟାର୍ସ ଅଭିମୁଖେ ଦେଶ ଛାଡ଼ିଛି। ଏହି ଦଳରେ ଓଡ଼ିଶାରୁ ୪ ଜଣ ଦୀପ୍‌ଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ ରହିଛନ୍ତି। ଭାରତ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଖେଳାଳିମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଆର୍ଜେଣ୍ଟିନାରେ ଯଦିଓ ସଂଗରୋଧରେ ରହିବାର ଆବଶ୍ୟକତା ପଡ଼ିବନି ତଥାପି ଉଭୟ ଭାରତ ଓ ଆର୍ଜେଣ୍ଟିନା ସରକାରଙ୍କ ପରାମର୍ଶକ୍ରମେ ନିରାପତ୍ତା ଓ ସ୍ବାସ୍ଥ୍ୟଗତ ସୁରକ୍ଷା ନୀତିକୁ ଅନୁସରଣ କରିବ ବୋଲି ଏକ ଇସ୍ତାହାରରେ କୁହାଯାଇଛି। ଭାରତୀୟ ଦଳ ମଧ୍ୟ ସେମାନଙ୍କ ପାଇଁ ଅଲଗା ଅଲଗା ରୁମ୍‌ ଉପଲବ୍‌ଧ ହୋ‌ଟେଲରେ ରହିବା ସାଙ୍ଗକୁ ବ୍ୟବସ୍ଥିତ ହଲ୍‌ରେ ଭୋଜନ କରିବେ ଓ ଦଳୀୟ ବୈଠକରେ ଏକାଠି ହୋଇପାରିବେ।

ଏହି ଗସ୍ତ ଅବସରରେ ଭାରତ ୧୮ ତାରିଖରୁ ଆୟୋଜକ ଦେଶ ବିପକ୍ଷରେ ୮ ମ୍ୟାଚ୍‌ ଖେଳିବ। ଉଭୟ ‌ଦଳର ଖେଳାଳି ‌ଜୈବ ସୁରକ୍ଷା ବଳୟରେ ରହି ମ୍ୟାଚ୍‌ ଖେଳିବେ। ସମସ୍ତ ମ୍ୟାଚ୍‌ ସେନାର୍ଡ ବୁଏନସ ଏୟାର୍ସରେ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚ୍‌ ୧୮ ଓ ୨୦ ତାରି‌ଖରେ ଆର୍ଜେଣ୍ଟିନା ବାଳିକା ଦଳ ସହ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ଏହା ପରେ ଅର୍ଜେଣ୍ଟିନା ବି’ ଦଳ ସହ ଦୁଇଟି ମ୍ୟାଚ୍‌ (୨୩ ଓ ୨୫ ତାରିଖ) ଖେଳିବ। ଶେଷରେ ଆର୍ଜେଣ୍ଟିନା ସହ ୪ ମ୍ୟାଚ୍‌ ଜାନୁଆରି ୨୭, ୨୯, ୩୧ ଓ ଫେବ୍ରୁଆରି ୧ ତାରିଖରେ ଖେଳି ଭାରତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ। ସୂଚନାଯୋଗ୍ୟ ଯେ ଭାରତ ଶେଷ ଥର ନ୍ୟୁଜିଲାଣ୍ଡ ଗସ୍ତ କରି ଆୟୋଜକ ଏବଂ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା। ଏଥିରୁ ଦଳ ୩ଟିରେ ବିଜୟୀ ହୋଇଥିଲା।

ଭାରତୀୟ ଦଳ: ରାଣୀ ରାମପାଲ (ଅଧିନାୟିକା), ସବିତା (ଉପଅଧିନାୟିକା), ରଜନୀ ଈତିମାର୍ପୁ, ବିଚୁଦେବୀ ଖରିବାମ, ଗୁରଜିତ କୌର, ଦୀପ୍‌ଗ୍ରେସ ଏକ୍କା, ରଶ୍ମିତା ମିଞ୍ଜ, ମନପ୍ରୀତ କୌର, ରୀନା ଖୋଖର, ସାଲିମା ଟେଟେ, ନିଶା, ସୁଶିଳା ଚାନୁ ‌ପୁଖ୍ରାମବାମ, ଲିଲିମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ମୋନିକା, ନିକ୍କି ପ୍ରଧାନ, ବନ୍ଦନା କାଟାରିୟା, ନଭନୀତ ‌କୌର, ନଭଜୋତ କୌର, ଜ୍ୟୋତି, ଉଦିତା, ରଜୱିନ୍ଦର କୌର, ଲାଲରେମ୍‌ସିଆମି, ଶର୍ମିଳା ଦେବୀ।

ସମ୍ବନ୍ଧିତ ଖବର