ଲିଲିମା ମିଞ୍ଜ ପାଇବେ ୨୬ତମ ଏକଲବ୍ୟ ପୁରସ୍କାର, ଝିଲି ଓ ଋତୁପର୍ଣ୍ଣା ହେବେ ସମ୍ମାନୀତ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଏକଲବ୍ୟ ପୁରସ୍କାର ୨୦୧୮’ ରବିବାର ଘୋଷଣା କରାଯାଇଛି। ଏକଲବ୍ୟ କମିଟିର ଚୟନକାରୀ ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଓଡ଼ିଶାର ଉଦୀୟମାନ ମହିଳା ହକି ତାରକା ଲିଲିମା ମିଞ୍ଜଙ୍କୁ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପାଇଁ ଚୟନ କରାଯାଇଛି। ଏକ ଭବ୍ୟ ସମାରୋହରେ ଲିଲିମା ମିଞ୍ଜଙ୍କୁ ପାଞ୍ଚ ଲକ୍ଷ ନଗଦ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

ଲିଲିମା ମିଞ୍ଜ ପ୍ରଥମ ଥର ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଏକ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ସିନିୟର ଟିମରୁ ପ୍ରତିନିଧିତ୍ୱ କରିଥିଲେ। ସେ ଜାତୀୟ ଦଳରେ ୧୦୦ଟି ମ୍ୟାଚ ଖେଳିଛନ୍ତି। ସମର ଅଲମ୍ପିକ ୨୦୧୬ ପାଇଁ ସେ ଜଣେ ସ୍କାର୍ଡ ଭାବେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବର୍ଷ ୨୦୧୭ ନଭେମ୍ବର ୫ରେ ଜାପାନର କାକାମିଗହାରା ସହରରେ ଅନୁଷ୍ଠିତ ମହିଳା ହକି ଏସିଆ କପରେ ୧୩ ବର୍ଷର ବ୍ୟବଧାନ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଦଳରେ ସେ ସାମିଲ ଥିଲେ।

ଲିଲିମାଙ୍କ ବ୍ୟତୀତ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରୋତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନୀତ କରାଯିବ।

ସମ୍ବନ୍ଧିତ ଖବର