ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଶୃଙ୍ଖଳା: ଅଦଳବଦଳରେ ଖେଳିବେ ବୁମ୍‌ରା, ସାମି

ଅଷ୍ଟ୍ରେଲିଆ ଦିନିକିଆ ଦଳରୁ ରିଚାର୍ଡସନ୍ ଓହରିଲେ, ଟାଇ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଦଳର ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର (୬ ମ୍ୟାଚ୍‌) ଶୃଙ୍ଖଳାରେ ଏକାଠି ସବୁ ମ୍ୟାଚ୍‌ ଖେଳିବାର ସମ୍ଭାବନା କମ୍‌। ଉଭୟ ବୁମ୍‌ରା ଓ ସାମି ଭାରତୀୟ ଟେଷ୍ଟ୍‌ ଦଳରେ ସାମିଲ ଥିବାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଯୋଜନା କରିଛି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)। ବରଂ ଉଭୟଙ୍କୁ ସୀମିତ ଓଭର ଶୃଙ୍ଖଳାରେ ଅଦଳବଦଳ କରି ଖେଳାଇବାକୁ ବିସିସିଆଇ ମନସ୍ଥ କରିଛି। ଏହା ହେଲେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଉଭୟଙ୍କ ଉପରୁ ଶ୍ରମ ବୋଝ ଲାଘବ ହୋଇପାରିବ ବୋଲି ବିସିସିଆଇର ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଅନ୍ୟତମ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଯଦି ଫିଟ୍‌ ହୋଇନଥା’ନ୍ତି, ତାହାଲେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଚୂଡାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି। ତଥାପି ଶାସ୍ତ୍ରୀ ଓ ଅରୁଣଙ୍କ ସହିତ ଅଧିନାୟକ ବିରାଟ କୋହଲି ବି ସେମାନଙ୍କୁ ସବୁ ମ୍ୟାଚ୍‌ରେ ଏକାଠି ଖେଳାଇ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ କୌଣସି ରିସ୍କ ନେବାକୁ ଉଚିତ ମଣୁନାହାନ୍ତି। ଭାରତ ତା’ର ଦୁଇମାସିଆ ଅଷ୍ଟ୍ରେଲିଆ ଗସ୍ତକୁ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରୁ ଆରମ୍ଭ କରିବ। ଏହାପରେ ତିନିଟି ଟି-୨୦ ମ୍ୟାଚ୍‌ ଖେଳି ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଯିବ। ଚଳିତ ମାସ ୨୭ରୁ ଡିସେମ୍ବର ୮ ତାରିଖ ମଧ୍ୟରେ ଧଳା ବଲ୍‌ର ୬ଟିଯାକ ମ୍ୟାଚ୍‌ ସିଡ୍‌ନି ଓ କାନ୍‌ବେରାରେ ଖେଳାଯିବ।

ଅଷ୍ଟ୍ରେଲିଆ ଦିନିକିଆ ଦଳରୁ ରିଚାର୍ଡସନ୍ ଓହରିଲେ, ଟାଇ ସାମିଲ
ସିଡ୍‌ନି: କରୋନା ସଙ୍କଟ ଭିତରେ ନିଜ ପରିବାର ସହ ରହିବା ପାଇଁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ଫଳରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ ଟାଇ’ଙ୍କୁ ନିଜ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ସାମିଲ କରିଛି। ରିଚାର୍ଡସନ୍ ଭାରତ ବିପକ୍ଷ ସୀମିତ ଓଭର ପର୍ଯ୍ୟାୟ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ମଙ୍ଗଳବାର ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଚୟନକର୍ତ୍ତାଙ୍କୁ ଜଣାଇ ଦେଇଥିଲେ। ପତ୍ନୀ ଓ ନବଜାତକ ସହ ଅଧିକ ସମୟ କଟାଇବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ସେ ସୂଚନା ଦେଇଥିଲେ। ‘‘ଏଭଳି ଏକ ନିଷ୍ପତ୍ତି ନେବା ରିଚାର୍ଡସନ୍‌ଙ୍କ ପାଇଁ ଅତ୍ୟନ୍ତ କଠିନ ବ୍ୟାପାର ଥିଲା। ହେଲେ ଚୟନକର୍ତ୍ତା ଏବଂ ସମଗ୍ର ଦଳ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଏ’’ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ତେବେ ଦଳ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ ବୋଲି ସ୍ପଷ୍ଟ କରିଛି। ଚଳିତ ସପ୍ତାହରେ ଦକ୍ଷିଣ ଅଷ୍ଟ୍ରେଲିଆ ବିଶେଷ କରି ଆଡିଲେଡ୍‌ରେ କରୋନା ସଂକ୍ରମଣର ଅନେକ ନୂଆ ମାମଲା ପଦାକୁ ଆସିବା ପରେ ରିଚାର୍ଡସନ୍ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଆଡିଲେଡ୍ ଏବେ ଅସ୍ବାଭାବିକ ସ୍ଥିତି ନେଇ ଗତି କରୁଥିଲେ ମଧ୍ୟ ଏଠାରେ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆଡି‌ଲେଡ୍ ନହେଲେ ଗାବା ପାଇଁ ହାଜେଲଉଡ୍‌ଙ୍କ ଦାବି
ଆଡିଲେଡ୍: କରୋନା ସଂକ୍ରମଣ ଭୟ ସତ୍ତ୍ବେ ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟ୍‌କୁ ଆଡିଲେଡ୍ କ୍ରିକେଟ୍ ପଡ଼ିଆରେ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ତଥାପି କୌଣସି କାରଣ ପାଇଁ ଯଦି ଏହି ଟେଷ୍ଟ୍ ଆଡିଲେଡ୍ ବାହାରକୁ ଯାଏ, ତାହାଲେ ଏହାକୁ ବ୍ରିସବନ୍‌ର ଗାବା ଷ୍ଟାଡିୟମ୍‌ରେ ଆୟୋଜନ କରିବାକୁ ଏହି ଦଳର ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ଦାବି କରିଛନ୍ତି। ‘‘ଆଡିଲେଡ୍‌ରେ ଗୋଲାପି ବଲ୍ ଟେଷ୍ଟ୍‌ ଆୟୋଜନ ହୋଇନପାରିଲେ, ମୁଁ ଗାବା ଷ୍ଟାଡିୟମକୁ ଏହାକୁ ସ୍ଥାନାନ୍ତର କରିବାକୁ ପସନ୍ଦ କରିବି। ଆମେ ଯେତେ ଅଧିକ ଦିନ ଅପେକ୍ଷା କରିବା ଗରମ ସେତେ ବଢ଼ିବ। ଏଣୁ ଦ୍ରୁତ ବୋଲରମାନେ ଏହି ମ୍ୟାଚ୍ ଡିସେମ୍ବର ପୂର୍ବରୁ ଖେଳାଯାଉ ବୋଲି ଚାହାନ୍ତି। ଗାବାରେ ମଧ୍ୟ ଆମ ରେକର୍ଡ ବହୁତ ଭଲ ରହିଛି। ଶୃଙ୍ଖଳା ଆରମ୍ଭ କରିବା ଲାଗି ଏହା ଏକ ଚମତ୍କାର ସ୍ଥାନ’’ ବୋଲି ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ହାଜେଲଉଡ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ୧୯୮୮ ମସିହାରୁ ବ୍ରିସବନ୍‌ର ଗାବା ଷ୍ଟାଡିୟମ୍‌ରେ ଟେଷ୍ଟ୍ ମ୍ୟାଚ୍ ହାରିନାହିଁ।

ଶେଷ ୩ ଟେଷ୍ଟ୍‌ରେ କୋହଲିଙ୍କ ନେତୃତ୍ବକୁ ଝୁରିବ ଭାରତ: ବୁକାନନ
ପ୍ରଥମ ସନ୍ତାନର ଜନ୍ମ ପାଇଁ ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ଶେଷ ତିନି ମୁକାବିଲାରେ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଖରେ ରହିବା ଲାଗି ଦିବାରାତ୍ର ଭିତ୍ତିରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ପରେ ହିଁ ସ୍ବଦେଶ ଫେରିଆସିବେ ସେ। ଭାରତୀୟ ଦଳ ପାଇଁ ଏହା ଏକ ବିରାଟ କ୍ଷତି ବୋଲି ଅଷ୍ଟ୍ରେଲିଆର ପୂର୍ବତନ ପ୍ରଶିକ୍ଷକ ଜନ୍ ବୁକାନନ କହିଛନ୍ତି। ବୁଧବାର ଦେଇଥିବା ଏକ ସାକ୍ଷାତକାରରେ ଶେଷ ତିନି ଟେଷ୍ଟ୍‌ରେ ଭାରତ ନିଶ୍ଚିତ ଭାବେ ପଡ଼ିଆ ଓ ପଡ଼ିଆ ବାହାରେ କୋହଲିଙ୍କ ବଳିଷ୍ଠ ନେତୃତ୍ବକୁ ଝୁରିବ ବୋଲି କହିଛନ୍ତି। ସେପଟେ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ହିଁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏକପ୍ରକାର ଅଷ୍ଟ୍ରେଲିଆକୁ ବିଜେତା ଘୋଷିତ କରିଦେଇଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିମାନେ ସଂଘର୍ଷ କରିବା ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି। ଶେଷ ୩ ଟେଷ୍ଟ୍‌ରେ କୋହଲି ନରହିବା ମଧ୍ୟ ସେମାନଙ୍କ କାମକୁ ଆହୁରି କଷ୍ଟକର କରିଦେବ ବୋଲି ଅଖତର ମତ ରଖିଛନ୍ତି।

ସମ୍ବନ୍ଧିତ ଖବର