ଆଉ ଏକ ମୁଣ୍ଡ ଗଡ଼ିଲା: ଲିମ୍ୟାନ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: କେପ୍‌ଟାଉନ ଟେଷ୍ଟ୍‌ରେ ଅଷ୍ଟ୍ରେଲୀୟ ଖେଳାଳିମାନେ କରିଥିବା ବଲ୍‌ ବିକୃତ ବା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଗୁରୁବାର ଆଉ ଏକ ମୁଣ୍ଡ ଗଡ଼ିଛି। ତିନି ଅଭିଯୁକ୍ତ ଖେଳାଳି କାମେରୁନ୍‌ ବନ୍‌କ୍ରଫ୍ଟ, ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ଡେଭିଡ୍‌ ଓ୍ଵାର୍ନର କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ୯ରୁ ୧୨ ମାସ ପର୍ଯ୍ୟନ୍ତ ବାସନ୍ଦ ହେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟେଷ୍ଟ୍‌ ପରେ ପଦ ଛାଡ଼ିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ଡାରେନ୍‌ ଲିମ୍ୟାନ୍‌ ଗୁରୁବାର ଘୋଷଣା କରିଛନ୍ତି। ଏହି ମାମଲାରେ ସିଏ କିନ୍ତୁ ଲିମ୍ୟାନଙ୍କୁ ଦୋଷମୁକ୍ତ କରିଥିଲା। ଏପରିକି ବଲ୍‌ ଟ୍ୟାମ୍ପରିଂ କରିବାରେ ତାଙ୍କର କୌଣସି ହାତ ନଥିଲା ବୋଲି କଙ୍ଗାରୁ କ୍ରିକେଟ୍‌ ସଂଘ ଘୋଷଣା କରିଥିଲା। ତଥାପି ଅଷ୍ଟ୍ରେଲିଆର ପ୍ରଶିକ୍ଷକ ପଦ ଛାଡ଼ିବାକୁ ଲିମ୍ୟାନଙ୍କ ଉପରେ ଚାରିଆଡ଼ୁ ଚାପ ପଡ଼ୁଥିଲା। ଶେଷରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଲିମ୍ୟାନ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୪୮ ବର୍ଷୀୟ ଲିମ୍ୟାନ୍‌ ୨୦୧୩ ମସିହା ଜୁନ୍‌ ମାସରେ ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ବିବାଦୀୟ ପରିସ୍ଥିତିରେ ମିକି ଆର୍ଥର ବିଦା ହେବା ପରେ ସେ ଏହି ପଦ ପାଇଥିଲେ। ଲିମ୍ୟାନଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷର ଆସେସ୍‌ ଶୃଙ୍ଖଳା ପର୍ଯ୍ୟନ୍ତ ଥିଲା। ତେବେ ଏହାର ବହୁ ପୂର୍ବରୁ ସେ ନିଜ ପଦ ପରିତ୍ୟାଗ କରିଛନ୍ତି। ଦୁଇଦଶନ୍ଧିର ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନରେ ଲିମ୍ୟାନ୍‌ ୨୭ ଟେଷ୍ଟ୍‌ ଏବଂ ୧୧୭ ଦିନିକିଆରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୨୫,୬୨୮ ରନ୍‌ କରିଛନ୍ତି। ଲିମ୍ୟାନ୍‌ ତିନି ଥର ଅଷ୍ଟ୍ରେଲିଆର ଶ୍ରେଷ୍ଠ ଘରୋଇ ଖେଳାଳି ବିବେଚିତ ହୋଇଥିଲେ। ୨୦୦୧ରେ ଓ୍ଵିଜଡେନ୍‌ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିବା ସହ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିଥିଲେ। ସେ ମଧ୍ୟ ଇଂଲିସ୍‌ କାଉଣ୍ଟି କ୍ଲବ୍‌ ୟର୍କସାୟାରର ଅଧିନାୟକ ଥିଲେ। ବଲ୍‌ ଟ୍ୟାମ୍ପରିଂ ବିବାଦ ତାଙ୍କ ଇସ୍ତଫାର ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ପରିବାର ସହ ଅଧିକ ସମୟ କଟାଇବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଲିମ୍ୟାନ୍‌ ସଫେଇ ଦେଇଛନ୍ତି। ପରିବାର ସହ କଥା ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବା ଲାଗି ଏହା ସଠିକ୍‌ ସମୟ ବୋଲି ଭାବୁଛି। ଗତ ସପ୍ତାହରେ ଯାହା ସବୁ ଘଟଣା ଘଟିଲା ସେଥିପାଇଁ ମୁଁ ପ୍ରଶଂସକଙ୍କୁ କ୍ଷମା ମାଗୁଛି। ଇସ୍ତଫା ସଂପୂର୍ଣ୍ଣ ଭାବେ ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଗତ ଦୁଇ ଦିନ ହେଲା ମୁଁ ଏହି ବିଷୟରେ ଚିନ୍ତା କରୁଥିଲି ବୋଲି ଗୁରୁବାର ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଆବେଗଭରା କଣ୍ଠରେ ଲିମ୍ୟାନ୍‌ କହିଥିଲେ। ଏହି ସମୟରେ ତାଙ୍କ ଆଖିରୁ ଲୋତକ ଝରି ପଡ଼ିଥିଲା।

ସ୍ମିଥ୍‌ ଭୋ ଭୋ କାନ୍ଦିଲେ, କ୍ଷମା ମାଗିଲେ

ବଲ୍‌ ଟ୍ୟାମ୍ପରିଂ ବିବାଦରେ ଅଧିନାୟକ ପଦ ହରାଇବା ସହ ଏକବର୍ଷ ପାଇଁ ବାସନ୍ଦ ହେବା ପରେ ଷ୍ଟିଭେନ୍‌ ସ୍ମିଥ୍‌ ଗୁରୁବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଆଜି ସିଡ୍‌ନିରେ ସାମ୍ବାଦିକଙ୍କ ସହ କଥା ହେଲା ବେଳେ କେପ୍‌ଟାଉନ ଟେଷ୍ଟ୍‌ରେ ବଲ୍‌ ଟ୍ୟାମ୍ପରିଂ ଭଳି କୁକର୍ମ କରିବା ଏକ ମସ୍ତବଡ଼ ଭୁଲ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି। ଗୁରୁବାର ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲା ବେଳେ ସ୍ମିଥ୍‌ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସବୁକିଛି ହରାଇବାର ଗ୍ଲାନି ଏବଂ ଦୁଃଖ ତାଙ୍କ ମୁଖ ମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ଯାଇଥିଲା। ଏହି ଅବସରରେ ସେ କହିଥିଲେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ଭାବେ ଏହି ଘଟଣାର ପୂରା ଦାୟିତ୍ୱ ମୁଁ ନେଉଛି। ମୁଁ ଏକ ଖରାପ ନିଷ୍ପତ୍ତି ନେଇଥିଲି ଏବଂ ତା’ର ପରିଣାମ ଭୋଗୁଛି। ଏଭଳି କାମ କରିବାର ଦୁଃଖ ସାରା ଜୀବନ ରହିବ। ଏହାକୁ କେବେବି ଭୁଲି ପାରିବି ନାହିଁ। ଆଶା କରୁଛି ସମୟକ୍ରମେ ହରାଇଥିବା ସମ୍ମାନକୁ ପୁଣି ଥରେ ଅର୍ଜନ କରିପାରିବି ଏବଂ ପ୍ରଶଂସକମାନେ ମୋତେ କ୍ଷମା ଦେବେ।

ଏମିତି ଭୁଲ ଆଉ କରିବିନି: ଓ୍ଵାର୍ନର
ବଲ୍‌ ଟ୍ୟାମ୍ପରିଂ ମାମଲାର ମୁଖ୍ୟ କାର୍ପଟଦାର ତଥା ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନର ମଧ୍ୟ ଗୁରୁବାର ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏଭଳି ଏକ ଲଜ୍ଜାଜନକ କାମ କରି କ୍ରିକେଟ୍‌ ଏବଂ କ୍ରିକେଟ୍‌ ପ୍ରଶଂସକଙ୍କ ମନରେ ସୃଷ୍ଟି କରିଥିବା ବିଷାଦ ପାଇଁ ସେ ହାତଯୋଡ଼ି କ୍ଷମା ମାଗିଛନ୍ତି। ନିଜ ଟ୍ଵିଟର ପୃଷ୍ଠାରେ ଲେଖିଥିବା କ୍ଷମା ପତ୍ରରେ ଓ୍ଵାର୍ନର ଉଲ୍ଲେଖ କରିଛନ୍ତି ଯେ ମୁଁ ଭୁଲ କରିଛି। ଏଥିପାଇଁ କ୍ରିକେଟ୍‌ର ଭାବମୁର୍ତି କ୍ଷୁଣ୍ଣ ହୋଇଥିବାରୁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଆମେ ଭଲ ପାଉଥିବା ଖେଳରେ ଏହା ଏକ କଳା ଦାଗ। ଏମିତି ଭୁଲ ଜୀବନରେ ଆଉ କେବେ ବି କରିବି ନାହିଁ। ସମସ୍ତଙ୍କୁ ଆଜି ଏହି ପ୍ରତିଶ୍ରୁତି ଦେଉଛି। ସୂଚନାଯୋଗ୍ୟ ଯେ ବଲ୍‌ ଟ୍ୟାମ୍ପରିଂ ବିବାଦରେ ଷ୍ଟିଭେନ୍‌ ସ୍ମିଥ୍‌ ୧୨ ମାସ ପାଇଁ ବାସନ୍ଦ ହୋଇଥିଲା ବେଳେ ପରବର୍ତୀ ୧୨ ମାସ ଅଧିନାୟକ ପଦକୁ ଫେରି ପାରିବେ ନାହିଁ। ସେହିଭଳି ଓ୍ଵାର୍ନର ମଧ୍ୟ ବର୍ଷକ ପାଇଁ ବାସନ୍ଦ ହୋଇଥିଲା ବେଳେ ଆଜୀବନ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ପଦ ଅଳଙ୍କୃତ କରି ପାରିବେ ନାହିଁ।

ଜୀବନସାରା ପସ୍ତେଇବି: ବନ୍‌କ୍ରଫ୍ଟ
ଯୁବ ଖେଳାଳି କାମେରୁନ୍‌ ବନ୍‌କ୍ରଫ୍ଟ ମଧ୍ୟ ନିଜ କଲା କର୍ମ ପାଇଁ ଗୁରୁବାର ଘୋର ପଶ୍ଚାତାପ କରିଛନ୍ତି। ମିଛ କହିଥିବାରୁ ଭୁଲ ମାଗିଛନ୍ତି। ଦକ୍ଷିଣ ଆଫ୍ରିକାରୁ ଅଷ୍ଟ୍ରେଲିଆ ଫେରି ପର୍ଥରେ କରିଥିବା ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୋତେ କ୍ଷମା କରି ଦିଅନ୍ତୁ। ମୁଁ ଏମିତି ଭୁଲ କରିଛି ଯାହାକୁ ସାରା ଜୀବନ ଭୁଲି ପାରିବି ନାହିଁ। ମୁଁ ବାଲିକାଗଜ ବିଷୟରେ ମିଛ କହିଥିଲି। ସେତେବେଳେ ଏକବାର ହଡ଼ବଡ଼େଇ ଯାଇଥିଲି। ମୁଁ ଅଷ୍ଟ୍ରେଲିଆବାସୀଙ୍କୁ ଲଜ୍ଜିତ କରିଛି। ଗୋଟିଏ ଝଟ୍‌କାରେ ସବୁକିଛି ହରାଇ ବସିଛି। ସଫଳତା ପାଇବା ଲାଗି ବହୁତ ପରିଶ୍ରମ କରିଛି। ହେଲେ ବିନା କାରଣରେ ଦଳରେ ପାଇଥିବା ସ୍ଥାନକୁ ହାତଛଡ଼ା କଲି। ସେଥିପାଇଁ ମୁଁ ପୂରା ହତାଶ।

ପଡ଼ିଆ ଭିତର ଦୂରାଚାର ରୋକିବାକୁ ସମିତି
ପଡ଼ିଆ ଭିତରେ ଖେଳାଳିମାନେ କରୁଥିବା ଅଶୋଭନୀୟ ଆଚରଣ, ଠକାମି, ଗାଳିଗୁଲଜ ଏବଂ ବଲ୍‌ ବିକୃତ ବିବାଦରେ ଅଙ୍କୁଶ ଲଗାଇବା ଲାଗି ଆଇସିସିି କେତେକ ପୂର୍ବତନ ଖେଳାଳିଙ୍କୁ ନେଇ ଏକ ଶୃଙ୍ଖଳା ସମିତି ଗଠନ କରିବାକୁ ଚିନ୍ତା କରୁଛି। ଏହି ସମିତି ବଲ୍‌ ବିକୃତ ଭଳି ଘଟଣାରେ ଖେଳାଳିଙ୍କ ବିରୋଧରେ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ନେଇ ଆଇସିସିକୁ ପରାମର୍ଶ ଦେବ। ସମିତି ନିରପେକ୍ଷ ଭାବେ କାମ କରିବ। ଏଥିରେ ଆଲାନ ବର୍ଡର, ସନ୍‌ ପୋଲକ, ଅନୀଲ କୁମ୍ବଲେ, ମାହେଲା ଜୟବର୍ଧନେ ଓ ରିଚି ରିଚାର୍ଡସନଙ୍କ ଭଳି ମହାନ ଖେଳାଳି ସ୍ଥାନ ପାଇବେ। ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଗୁରୁବାର ଟ୍ଵିଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର