ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳରେ ଲିଙ୍ଗରାଜ

ଭୁବନେଶ୍ୱର: ପୁଣି ଜଣେ ଓଡ଼ିଆ ପୁଅକୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳରେ ସାମିଲ କରାଯାଇଛି। ଉଦୀୟମାନ ଅଲ୍‌ରାଉଣ୍ଡର୍‌ ଲିଙ୍ଗରାଜ ରାଉତରାଙ୍କୁ ମିଳିଛି ଏହି ସୁଯୋଗ। ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତରେ ଖେଳାଯିବାକୁ ଥିବା ସର୍ବପ୍ରଥମ ଦ୍ୱିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍‌ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ବାଲିଅନ୍ତା ବ୍ଲକ୍‌ ସାତକାବାଦ ଗାଁର ଲିଙ୍ଗରାଜ। ଏହି ୧୦ ଦିନିଆ ଗସ୍ତରେ ଭାରତୀୟ ଦଳ ୫ଟି ଟେ୍ଵଣ୍ଟି-୨୦ ଏବଂ ତିନିଟି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ବିଶ୍ୱକପ୍‌ ବିଜେତା ଅଧିନାୟକ ଅଜୟ ରେଡ୍ଡୀଙ୍କ ନେତୃତ୍ୱରେ ଯାଉଥିବା ଏହି ଦଳରେ ଲିଙ୍ଗରାଜଙ୍କ ସାମିଲ ଖବର ରାଜ୍ୟ କ୍ରୀଡ଼ା ଦୁନିଆରେ ଖୁସିର ଲହରି ଖେଳାଇ ଦେଇଛି। ଚତୁର୍ଥ ଓଡ଼ିଆ ଭାବେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି ବାମହାତୀ ବ୍ୟାଟିଂ ଏବଂ ଡାହାଣହାତୀ ମଧ୍ୟମଗତି ବୋଲିଂ କରୁଥିବା ଲିଙ୍ଗରାଜ। ପୂର୍ବରୁ ମହମ୍ମଦ ଜାଫର୍‌ ଇକ୍‌ବାଲ୍‌, ପଙ୍କଜ ଭୁଏ, ସୁଖରାମ ମାଝୀ ଭାରତୀୟ ଦଳରୁ ଖେଳି ଏକାଧିକ ଗୌରବ ଆଣିଛନ୍ତି। ଏବେ ଗୌରବ ପଥରେ ସାମିଲ ହୋଇଛନ୍ତି ୨୧ ବର୍ଷୀୟ ଲିଙ୍ଗରାଜ। ଗତ ୪ ବର୍ଷ ଧରି ଲିଙ୍ଗରାଜ ଓଡ଼ିଶା ଦଳରୁ ଖେଳି ଆସୁଥଲେ ଏବଂ ଚଳିତ ବର୍ଷ ଭାରତୀୟ ଶିବିରରେ ଥାଇ ଦୁବାଇ ଗସ୍ତରୁ ବଞ୍ଚିତ ହୋଇଥିଲେ। ଏବେ କିନ୍ତୁ ନିଜର ଅଧୁରା ସ୍ୱପ୍ନକୁ ସାକାର ରୂପ ଦେବାକୁ ଯାଉଛନ୍ତି।
ବାଲିଅନ୍ତା ବ୍ଲକ୍‌ ସାତକାବାଦର ଏକ କୃଷକ ପରିବାରରୁ ଆସିଥିବା ଲିଙ୍ଗରାଜ ଦୈନିକ ୨୦ କିଲୋମିଟର୍‌ ଆସି ବିଜେବି କଲେଜ ପଡ଼ିଆରେ ଅଭ୍ୟାସ କରିଥାନ୍ତି। ଓଡ଼ିଶାର ସଫଳତମ ଦୃଷ୍ଟିହୀନ କ୍ରିକେଟର୍‌ ତଥା ଦୁୁଇ ଦୁଇ ଥର ବିଶ୍ୱକପ୍‌ ବିଜେତା ମହମ୍ମଦ ଜାଫର୍‌ ଇକ୍‌ବାଲଙ୍କୁ ନିଜର ଗୁରୁ ଓ ଆଦର୍ଶ ମାନି ଆଗକୁ ବଢ଼ିଛନ୍ତି। ‘ଭାରତୀୟ ଦଳରେ ସ୍ଥାନ ପାଇବା ଖବର ମୁଁ ପ୍ରଥମେ ସୋମବାର ସକାଳେ ଜାଫର ଭାଇଙ୍କଠାରୁ ପାଇଲି। ଖୁସିର ସୀମା ରହିଲା ନାହିଁ। ଜାଫରଭାଇଙ୍କୁ ମୁଁ ଆଦର୍ଶ ଖେଳାଳି ଭାବେ ଦେଖି ଆସିଛି ଏବଂ ତାଙ୍କଠାରୁ ହିଁ ସବୁ ଖେଳ ଶିଖିଛି’ ବୋଲି କହିଥିଲେ ଭାବବିହ୍ଵଳ ଲିଙ୍ଗରାଜ। ଏବେ ରାଜ୍ୟ ଓ ଦେଶର ଗୌରବ ବଢ଼ାଇବାକୁ ମୁଁ ଚେଷ୍ଟା କରିବି। ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ହେବାକୁ ପ୍ର୍ରୟାସ କରିବି ବୋଲି କହିଥିଲେ ଲିଙ୍ଗରାଜ। ପରିବାରର ସମର୍ଥନ ଏବଂ କ୍ୟାଭି ଓଡ଼ିଶାର ସହଯୋଗ କାରଣରୁ ମୁଁ ଏତେ ବାଟ ଆସିପାରିଥିବାରୁ ସବୁ ସଫଳତାର ଶ୍ରେୟ ମୁଁ ସେମାନଙ୍କୁ ଦେବି। ଜାଫର ଭାଇଙ୍କ ବ୍ୟତୀତ ପ୍ରଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକ, କ୍ୟାଭି ଓଡ଼ିଶାର ଯୁଗ୍ମ ସମ୍ପାଦକ ବିରଞ୍ଚିନାରାୟଣ ସାହୁ, ଯୋଗେନ୍ଦ୍ର ଜାନି ପ୍ରମୁଖଙ୍କ ସହଯୋଗକୁ ମଧ୍ୟ ଭୁଲି ହେବ ନାହିଁ ବୋଲି ଲିଙ୍ଗରାଜ କହିଛନ୍ତି।
ଅନେକ ପ୍ରତିକୂଳ ପରିସ୍ଥିତି, ଆର୍ଥିକ ଅବସ୍ଥା ଏବଂ ପରିବେଶ ବାଧକ ସାଜିଥିଲେ ମଧ୍ୟ ଲିଙ୍ଗରାଜଙ୍କ ଈଚ୍ଛାଶକ୍ତି ଆଗରେ ଏବେ ସବୁ ହାର୍‌ ମାନିଛି। ରମେଶ ବାରିକଙ୍କ ୩ ସନ୍ତାନ ମଧ୍ୟରୁ ଲିଙ୍ଗରାଜ ଅନ୍ୟତମ। ୨୦୧୧ ମସିହାରୁ ମା’ ଗୋଲାପ ବାରିକଙ୍କୁ ହରାଇଛନ୍ତି। ଜନ୍ମରୁ ଦୃଷ୍ଟିଶକ୍ତି ହରାଇନଥିଲେ ଲିଙ୍ଗରାଜ। ନିଜ ଗାଁରେ ଖେଳୁଥିବା ବେଳେ ଆଖି ପତାରେ ବଲ୍‌ ବାଜିବାରୁ ବାମ ଆଖି ନଷ୍ଟ ହୋଇଯାଇଥିଲା। ଭିଙ୍ଗାରପୁର ନିକଟସ୍ଥ ବେଣ୍ଟପୁର ମହାବିଦ୍ୟାଳୟରୁ ସମ୍ପ୍ରତି ସେ ବିଏ ପାସ୍‌ କରିଛନ୍ତି। ୨୦୧୧ ମସିହାରେ ଖବରକାଗଜରୁ ଜାଫରଙ୍କ ସମ୍ପର୍କରେ ଜାଣିବା ପରେ କ୍ରିକେଟ୍‌କୁ ଆସିଥିଲେ। ୨୦୧୫ ମସିହାରୁ ଓଡ଼ିଶା ପାଇଁ ଖେଳି ଆସିଛନ୍ତି ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ। ପୂର୍ବାଞ୍ଚଳ ପ୍ରତିଯୋଗିତା ବେଳେ ବେଙ୍ଗଲ ଏବଂ ତ୍ରିପୁରା ବିପକ୍ଷରେ ଖେଳିଥିବା ଦୁଇଟି ଅପରାଜିତ ପାଳି (୮୦* ଏବଂ ୫୮*) ତାଙ୍କ ପାଇଁ ଅଧିକ ସ୍ମରଣୀୟ ରହିଛି ବୋଲି କହିଥିଲେ। ଏହା ପରେ ବାଙ୍ଗାଲୋର୍‌ ଜାତୀୟ ଶିବିର ଅବସରରେ ସେ ଚୟନକର୍ତାଙ୍କ ପ୍ରଭାବିତ କରିଥିଲେ ନିଜ ପ୍ରଦର୍ଶନ ଜରିଆରେ। ଯାହା ତାଙ୍କୁ ଭାରତୀୟ ଦଳରେ ସାମିଲ ହେବାର ସୁବର୍ଣ୍ଣ ସୁଯୋଗ ଦେଇଛି। ଲିଙ୍ଗରାଜଙ୍କୁ ମଧ୍ୟ କ୍ୟାଭି ଓଡ଼ିଶାର ମୁଖ୍ୟ ଉପଦେଷ୍ଠା ତଥା କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ କୁମାର ରଥ ଅଭିନନ୍ଦନ ଜଣାଇଛନ୍ତି।
ଭବିଷ୍ୟତ ଉଜ୍ୱଳ
ଲିଙ୍ଗରାଜଙ୍କ ଭବିଷ୍ୟତ ଅତି ଉଜ୍ୱଳ। ଭାରତୀୟ ଦଳ ଯେଉଁ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅନେକ ବର୍ଷ ଧରି ଖୋଜି ଆସୁଥିଲା ଏବେ ପାଇଛି ଲିଙ୍ଗରାଜଙ୍କ ରୂପରେ। ତାଙ୍କଠାରୁ ଅନେକ ଆଶା ରହିଛି। କାରଣ ଦଳରେ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ଙ୍କ ଆବଶ୍ୟକତା ଅନେକ ଦିନରୁ ଅଭାବ ରହିଥିଲା ବୋଲି କହିଛନ୍ତି ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ମହମ୍ମଦ ଜାଫର୍‌ ଇକ୍‌ବାଲ୍‌। ବାମ-ଡାହାଣ ସମନ୍ଵୟ ବ୍ୟାଟିଂରେ ପ୍ରତିପକ୍ଷ ବୋଲିଂକୁ ବିଗାଡ଼ିବାର ଯେଉଁ ବିଶ୍ୱାସ ରହିଛି ଲିିଙ୍ଗରାଜ ତାହା ପୂରଣ କରିବେ ବୋଲି ବିଶ୍ୱାସ ଆସିଛି। ତାକୁ ଯାହା କୁହାଯାଏ ସେ ଶୁଣିବା ପିଲା। ଭାରି ବିଶ୍ୱାସୀ ଏବଂ ଦୃଢ଼ମନା। ଯାହାର ସୁଫଳ ସେ ଏବେ ପାଇଛି ବୋଲି କହିଥିଲେ ବିଶ୍ୱକପ୍‌ ବିଜେତା ଜାଫର।

ସମ୍ବନ୍ଧିତ ଖବର