ଭୁବନେଶ୍ବର : ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ (ଏଲସିଏ) ଆନୁକୂଲ୍ୟରେ ‘ଲିଙ୍ଗରାଜ ଚ୍ୟାଲେଞ୍ଜ ସର୍ବଭାରତୀୟ ଦିବା-ରାତ୍ର ଭଲିବଲ୍’ ପ୍ରତିଯୋଗିତାର ଦ୍ବାଦଶ ସଂସ୍କରଣ ଶନିବାରଠାରୁ ସୁନ୍ଦରପଦା ସାକ୍ସ ଫୁଟବଲ୍ ପଡ଼ିଆଠାରେ ଆରମ୍ଭ ହୋଇଛି। ଏହି ୫ ଦଳୀୟ ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଗତଥରର ବିଜେତା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ୨-୧ ସେଟ୍‌ରେ ଭିଏଲ୍‌ଡବ୍ଲ୍ୟୁ ବାରଣାସୀକୁ ପରାସ୍ତ କରିଛି। ଦ୍ବିତୀୟ ମ୍ୟାଚ୍‌ରେ ତାମିଲନାଡୁ କ୍ରୀଡ଼ା ଛାତ୍ରାବାସକୁ ରାଇଜିଂ କ୍ଲବ୍ ରାଉରକେଲା ଏବଂ ତୃତୀୟରେ ଆନ୍ଧ୍ରପ୍ରଦେଶକୁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ପରାସ୍ତ କରିଛି। ସେହିଭଳି ସବା ଶେଷ ମ୍ୟାଚ୍‌ରେ ଭିଏଲ୍‌ଡବ୍ଲ୍ୟୁ ବାରଣାସୀକୁ ଆନ୍ଧ୍ରପ୍ରଦେଶ ହରାଇଛି। ଫଳରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ, ତାମିଲନାଡୁ, ରାଇଜିଂ କ୍ଲବ୍‌ ଓ ଆନ୍ଧ୍ରପ୍ରଦେଶ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରତିଯୋଗିତାର ସେମିଫାଇନାଲ୍ ଏବଂ ଫାଇନାଲ୍ ରବିବାର ଖେଳାଯିବ। ଅନ୍ୟପକ୍ଷରେ ଭିଏଲ୍‌ଡବ୍ଲ୍ୟୁ ବାରାଣାସୀ ଲଗାତାର ଦୁଇଟି ମ୍ୟାଚ୍‌ ହାରି ଲିଗ୍‌ ପର୍ଯ୍ୟାୟରୁ ବାଦ୍‌ ପଡିଛି।

Advertisment

ଶନିବାର ଅପରାହ୍ନରେ ଓଡ଼ିଶା ଭଲିବଲ୍ ସଂଘର ସଭାପତି ସୁବୋଧ କୁମାର ରାଉତରାୟ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଖେଳ ମଝିରେ କେନ୍ଦ୍ର ତୈଳ ଇସ୍ପାତ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହେବା ସହ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଥିଲେ। ଶନିବାର ଓ ରବିବାର ଦୁଇ ଦିନ ଧରି ଲିଗ୍ କମ୍ ନକଆଉଟ୍ ଭିତ୍ତିରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକ ହେଲେ କ୍ରୀଡ଼ା ଛାତ୍ରାବାସ ଭୁବନେଶ୍ବର, ରାଇଜିଂ କ୍ଲବ୍ ରାଉରକେଲା, ଡିଏଲ୍‌ଡବ୍ଲ୍ୟୁ ବାରଣାସୀ ଉତ୍ତର ପ୍ରଦେଶ, ତାମିଲନାଡୁ କ୍ରୀଡ଼ା ଛାତ୍ରାବାସ ଓ ଆନ୍ଧ୍ରପ୍ରଦେଶ । ଏହି ଅବସରରେ କ୍ଲବ୍‌ର ସଭାପତି ବାବୁ ସିଂହ, ସଂପାଦକ ରଜତ ତ୍ରିପାଠୀ, ଉପସଭାପତି ଶିବ ନାରାୟଣ ବାରିକ, ସଂଯୋଜକ ସଞ୍ଜୟ କୁମାର ଦାସ, ସୁବାଷ ମିଶ୍ର, ନିହାର ମହାନ୍ତି,, ସୀତାକାନ୍ତ ନନ୍ଦ, ମାନଭଞ୍ଜନ ସାହୁ, ଅଭିମନ୍ୟୁ ପ୍ରଧାନ, ଅଭିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।