ଲିଙ୍ଗରାଜଙ୍କୁ କଲମ୍ବୋ ଶୁଭେଚ୍ଛା ଓ ସମ୍ବର୍ଧନା

ଭୁବନେଶ୍ୱର: ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳରେ ସାମିଲ ହେବାକୁ ଯିବା ପୂର୍ବରୁ ଉଦୀୟମାନ ଅଲ୍‌ରାଉଣ୍ଡର୍‌ ଲିଙ୍ଗରାଜ ରାଉତରାଙ୍କୁ ମଙ୍ଗଳବାର ମିଳିଛି ବିପୁଳ ଶୁଭେଚ୍ଛା ଓ ସମ୍ବର୍ଧନା। ମଙ୍ଗଳବାର ରାତିରେ ବାଙ୍ଗାଲୋର୍‌ ଗସ୍ତ ପୂର୍ବରୁ ବୁଦ୍ଧମନ୍ଦିର ପରିସରରେ ଲିଙ୍ଗରାଜଙ୍କୁ କ୍ୟାଭି (କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ଭିଜୁଆଲି ଇମ୍ପାୟରଡ୍‌) ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶା ବିଧାନସଭାର ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ପକ୍ଷରୁ ଲିଙ୍ଗରାଜଙ୍କୁ କିଟ୍‌ ପ୍ରଦାନ କରାଯାଇଥିବା ବେଳେ ନକ୍ଷତ୍ର ନ୍ୟୁଜ୍‌ର ଅଧ୍ୟକ୍ଷ ଇଂଜିନିୟର୍‌ ପ୍ରଭାତ ରଂଜନ ମଲ୍ଲିକ ୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଦୁଇ ଦୁଇ ଥର ବିଶ୍ୱକପ୍‌ ବିଜେତା ମହମ୍ମଦ ଜାଫର ଇକ୍‌ବାଲ୍‌ ଏହି ଅବସରରେ କହିଥିଲେ, ଆମେ ୧୦ ବର୍ଷରେ ୨୦ ଅନ୍ତର୍ଜାତୀୟ କ୍ରିକେଟର୍‌ ଗଢ଼ିବା ନେଇ ଯେଉଁ ଯୋଜନା କରିଛୁ ଲିଙ୍ଗରାଜ ତାହାର ଆରମ୍ଭ ମାତ୍ର।

ଅନେକ ପ୍ରତିବଂଧକ ଭିତରେ ଦୃଷ୍ଟିହୀନ କ୍ରିକେଟର୍‌ମାନେ ସେମାନଙ୍କ ସଫଳତା ଦେବା ବଡ଼ କଥା ବୋଲି ସେ କହିଥିଲେ। ଏସ୍‌ଏସ୍‌ପିଡିର ରାଜ୍ୟ ଆୟୋଗ ମୀନତି ବେହେରା କହିଥିଲେ, ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ସହଯୋଗ ବଢ଼ିଛି ଏବଂ ଆଗକୁ ଏହା ଜାରି ରହିବ। ଏହି ଅବସରରେ ଲିଙ୍ଗରାଜ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ସସସ୍ତ ଶୁଭେଚ୍ଛୁ ଓ ହିତାକାଂକ୍ଷୀଙ୍କ ନିକଟରେ ଋଣି ବୋଲି ପ୍ରକାଶ କରିଥିଲେ। ଏହି ସମ୍ବର୍ଧନା ଉତ୍ସବରେ କ୍ୟାଭି ଓଡ଼ିଶାର ଉପ ସଭାପତି ତଥା ନକ୍ଷତ୍ର ନ୍ୟୁଜ୍‌ର ବାର୍ତା ସଂଯୋଜକ ଅଶୋକ କୁମାର ସାହୁ, କ୍ୟାଭି ସମ୍ପାଦକ ସନ୍ୟାସ କୁମାର ବେହେରା, ପୂର୍ବତନ ରଣଜୀ କ୍ରିକେଟର୍‌ ସତ୍ୟରଂଜନ ପଟ୍ଟନାୟକ, ଭିନ୍ନକ୍ଷମ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ, ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ଉପାଧ୍ୟକ୍ଷ ଦିଲୀପ କୁମାର ସ୍ୱାଇଁ, ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ, କ୍ୟାଭି ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ପ୍ରଜ୍ଞାପାରମିତା ବେହେରା, କାର୍ଯ୍ୟକାରୀ ସଦସ୍ୟା ଅର୍ପିତା ମହାପାତ୍ର, ଯୋଗେନ୍ଦ୍ର ଜାନି ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ଲେଖକ ରୁଦ୍ର ପ୍ରସନ୍ନ ରଥ ମଧ୍ୟ ମଙ୍ଗଳବାର ଲିଙ୍ଗରାଜଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତରେ ଖେଳାଯିବାକୁ ଥିବା ସର୍ବପ୍ରଥମ ଦ୍ୱିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍‌ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ବାଲିଅନ୍ତା ବ୍ଲକ୍‌ ସାତକାବାଦ ଗାଁର ୩୧ ବର୍ଷୀୟ ଲିଙ୍ଗରାଜ।

ସମ୍ବନ୍ଧିତ ଖବର