ସିଡ୍ନି: ଅଫସ୍ପିନର୍ ନାଥନ୍ ଲାୟନ୍ସଙ୍କ ୫ ୱିକେଟ୍ ସଫଳତା ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳିକୁ ୨୫୧ ରନ୍ରେ ଶେଷ କରି ଦେଇଛି। ଅଷ୍ଟ୍ରେଲିଆକୁ ୨୦୩ ରନ୍ର ଅଗ୍ରଣୀ ମିଳିଥିଲେ ମଧ୍ୟ ଘରୋଇ ଦଳ ଫଲୋଅନ୍ ନଡାକି ଦ୍ବିତୀୟ ପାଳି ଖେଳିଛି। ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୪୦ ରନ୍ ସଂଗ୍ରହ କରିନେଇଛି। ମୋଟ ଉପରେ ଟିମ୍ ପେନ୍ଙ୍କ ଦଳ ୨୪୩ ରନ୍ରେ ଆଗୁଆ ହୋଇ ସାରିଥିବାରୁ ସ୍ଥିତି ଦୃଢ଼ କରି ନେଇଛି। ଦୁଇ ଦିନ ଖେଳ ବାକି ଥିବାରୁ ଫଳାଫଳ ବାହାରିବା ସମ୍ଭାବନା ମଧ୍ୟ ବଢ଼ିଯାଇଛି। ରବିବାର ନ୍ୟୁଜିଲାଣ୍ଡ୍ ୬୩/୦ରୁ ଖେଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲା। ନାଥନ୍ ଲାୟନ (୫/୬୮) ନିଜ ୯୬ତମ ଟେଷ୍ଟ୍ରେ ୧୭ତମ ୫ ୱିକେଟ୍ ସଫଳତା ପାଇବାରୁ ନ୍ୟୁଜିଲାଣ୍ଡ୍ ପଛରେ ପଡ଼ିଯାଇଛି।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୫୪ (ମାର୍ନସ ଲବୁସାନ୍-୨୧୫, ଷ୍ଟିଭେନ୍ ସ୍ମିଥ୍-୬୩, ନିଲ୍ ୱାଗ୍ନର୍-୩/୬୬, କଲିନ୍ ଗ୍ରାଣ୍ଡ୍ହୋମ୍-୩/୭୮, ଟଡ୍ ଆସଲେ-୨/୧୧୧)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୯୫.୪ ଓଭରରେ ୨୫୧ (ଗ୍ଲେନ୍ ଫିଲିପ୍ସ-୫୨, ଟମ୍ ଲଥାମ୍-୪୯, ଟମ୍ ବ୍ଲଣ୍ଡେଲ୍-୩୪, ନାଥନ୍ ଲାୟନ୍-୫/୬୮, ପ୍ୟାଟ୍ କମିନ୍ସ-୩/୪୪, ମିଚେଲ ଷ୍ଟାର୍କ-୧/୫୭)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୧୬ ଓଭରରେ ୪୦/୦ (ଡେଭିଡ୍ ୱାର୍ନର-୨୩*, ଜୋ ବର୍ନସ-୧୬*)।
ଅଷ୍ଟ୍ରେଲୀୟ ସ୍ପିନର ନାଥନ୍ ଲାୟନ୍ ଅଗ୍ରଣୀ ଟେଷ୍ଟ୍ ୱିକେଟ୍ ଦଖଲ ତାଲିକାରେ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ତଥା କିଂବଦନ୍ତୀ ଅଲ୍ରାଉଣ୍ଡର ଇଆନ୍ ବୋଥାମ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥି ସହିତ ଲାୟନ୍ ଟେଷ୍ଟ୍ରେ ତାଙ୍କ ମୋଟ ୱିକେଟ୍ ସଂଖ୍ୟାକୁ ୩୮୫ରେ ପହଞ୍ଚାଇଛନ୍ତି। ବୋଥାମ୍ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେବା ପୂର୍ବରୁ ୩୮୩ ଟେଷ୍ଟ୍ ୱିକେଟ୍ ନିଜ ନାମରେ ରଖିଥିଲେ। ଲାୟନ୍ ଏବେ ଏହି ତାଲିକାର ସପ୍ତଦଶ ସ୍ଥାନକୁ ବଢ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/download-2-2.jpg)