କେପଟାଉନ: ଦକ୍ଷିଣ ଆଫ୍ରିକାରେ କେମିତି ଖେଳିବାକୁ ହୁଏ, ସେକଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ କେହି ଭଲ ଭାବରେ ଜାଣି ନାହାନ୍ତି। ସବୁଦେଶ ଭଳି ଏହି ଦେଶରେ ମଧ୍ୟ ସଚିନ ନିଜ ଯାଦୁ ଦେଖାଇଛନ୍ତି। ଭାରତ ପକ୍ଷରୁ ସେଠାରେ ସର୍ବାଧିକ ରନ୍ କରିଛନ୍ତି। ସେଥିପାଇଁ ସେ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଯୁବ ଦଳ ସହ ନିଜ ସଫଳତା ମନ୍ତ୍ର ବାଣ୍ଟିଛନ୍ତି। ବୁଧବାର ଏକ ଇଂରାଜି େଓ୍ଵବସାଇଟ୍କୁ ସାକ୍ଷାତକାର ଦେଇ ସଚିନ କହିଛନ୍ତି ଯେ ସବୁକିଛି ନୂଆ ବଲ୍ ଉପରେ ନିର୍ଭର କରିବ। ଭାରତୀୟ ଖେଳାଳିମାନେ ନୂଆ ବଲ୍କୁ ଯେତେ ଭଲ ଭାବରେ ଖେଳିବେ ଦକ୍ଷିଣ ଆଫ୍ରିକାରେ ସେତେ ସଫଳ ହେବେ। ପ୍ରଥମ କିଛି ଓଭରରେ ରନ୍ କରିବା ସବୁଠୁ ମହତ୍ୱପୂର୍ଣ୍ଣ। ନୂଆ ବଲ୍ର ମୁକାବିଲା ସାହସ ଏବଂ ଚତୁରତାର ସହ କରି ପାରିଲେ ବଡ଼ ପାଳି ପାଇଁ ଦୃଢ଼ ମୂଳଦୁଆ ପଡ଼ି ପାରିବ। ସେହିଭଳି ଦ୍ରୁତ ଏବଂ ବାଉନ୍ସି ପିଚ୍ରେ ଶୃଙ୍ଖଳିତ ବ୍ୟାଟିଂ ସହ ପାଦ ଚାଳନା ମଧ୍ୟ ମହତ୍ୱପୂର୍ଣ୍ଣ ବୋଲି ସଚିନ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ପାଞ୍ଚଟି ଶତକ ଅର୍ଜନ କରିଥିବା ସଚିନ ବର୍ତମାନର ଦକ୍ଷିଣ ଆଫ୍ରିକା ଦଳକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ମାନ୍ୟତା ଦେଇଛନ୍ତି। ଏହି ଦଳ ବେଶ୍ ସନ୍ତୁଳିତ ବୋଲି ସେ କହିଛନ୍ତି। କିମ୍ବଦନ୍ତୀ ସ୍ପିନର ଏରାପଲ୍ଲୀ ପ୍ରସନ୍ନା ମଧ୍ୟ ବୁଧବାର ଭାରତୀୟ ଦଳକୁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଭାରତୀୟ ବୋଲିଂ ବାହିନୀକୁ ବିଶ୍ୱ ସ୍ତରୀୟ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ଜିତିବାକୁ ହେଲେ ଆମକୁ ପାଞ୍ଚ ଜଣ ବିଶେଷଜ୍ଞ ବୋଲର ଖେଳାଇବାକୁ ହେବ। କାରଣ ପ୍ରତିପକ୍ଷକୁ ରନ୍ କରିବାକୁ ରୋକିବା ଅଧିକ ରନ୍ କରିବାଠାରୁ ସବୁବେଳେ ଭଲ ହୋଇଥାଏ।
ଧାଓ୍ଵନ ସୁସ୍ଥ, ଜାଦେଜା ଅସୁସ୍ଥ
ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଆଜି ଖଟା-ମିଠା ଖବର ମିଳିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ ସୁସ୍ଥ ହେବା ସହ ଏହି ମ୍ୟାଚ୍ରେ ଖେଳିବାର ଆଶା ସଂଚାର ହୋଇଛି। ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଦେହ ଖରାପ ହୋଇ ଯାଇଛି। ତାଙ୍କୁ ଭୂତାଣୁ ଜ୍ୱର ହୋଇ ଥିବା ଜଣାପଡ଼ିଛି। ଫଳରେ ଗସ୍ତର ପ୍ରଥମ ମୁକାବିଲାରେ ବିରାଟ ବାହିନୀ ତାଙ୍କ ସେବାରୁ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି। ଅଧିନାୟକ ବିରାଟ କୋହଲିଙ୍କ ବିବାହ ଭୋଜି ଦିନ ଆହତ ହୋଇଥିବା ଧାଓ୍ଵନ ପୂର୍ବରୁ କେପଟାଉନରେ ଖେଳା ଯିବାକୁ ଥିବା ପ୍ରଥମ ଟେଷ୍ଟରେ ଖେଳିବାର ଆଶା ନଥିଲା। ତେବେ ସେ ଠିକ୍ ସମୟରେ ସୁସ୍ଥ ହୋଇଯିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଶ୍ୱସ୍ତିକର ଖବର ହୋଇଛି। ତାଙ୍କୁ ପ୍ରଥମ ଟେଷ୍ଟ ପାଇଁ ବିଚାରକୁ ନିଆଯିବ ବୋଲି ବିସିସିଆଇ ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି। ସେହିଭଳି ଗତ ଦୁଇ ଦିନ ହେବ ଜାଦେଜାଙ୍କୁ ଜ୍ୱର ହୋଇଥିବା ମଧ୍ୟ ସୂଚନା ଦେଇଛି। ଜାଦେଜାଙ୍କ ବିଷୟରେ ଅନ୍ତିମ ନିଷ୍ପତ୍ତି ଶୁକ୍ରବାର ସକାଳେ ନିଆଯିବ ବୋଲି ବିସିସିଆଇ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି।
ଟେନିସ୍ ବଲ୍ରେ ଅଭ୍ୟାସ
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍ ଖେଳି ନଥିବା ଭାରତୀୟ କ୍ରିକେଟ୍ ଦଳ ସେଠାକାର ଦ୍ରୁତ ଏବଂ ବାଉନ୍ସି ପିଚ୍କୁ ଆଖି ଆଗରେ ରଖି ନୂଆ ନୂଆ ଶୈଳୀରେ ଅଭ୍ୟାସ କରୁଛି। ବୁଧବାର ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍ ପିଚ୍ ଉପରେ ଦୁଇଟି ଥାକରେ ଟେନିସ୍ ବଲ୍ ରଖି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ପିଚ୍ର ଉଭୟ ପଟରେ ୪ ମିଟର ଦୂରତାରେ ଦୁଇଟି ଟେନିସ୍ ବଲ୍ ରଖା ଯାଇଥିଲା ବେଳେ ୫ ମିଟର ଦୂରତାରେ ଆଉ ଦୁଇଟି ଟେନିସ୍ ବଲ୍ ରଖା ଯାଇଥିଲା। ଏହା କରି ବ୍ୟାଟିଂ ପ୍ରଶିକ୍ଷକ ଦକ୍ଷିଣ ଆଫ୍ରିକା ପିଚ୍ରେ କିଭଳି ଭାବେ ଆଗକୁ ଆସି ଖେଳିବାକୁ ପଡ଼େ ସେହି ପରାମର୍ଶ ବ୍ୟାଟ୍ସମ୍ୟାନଙ୍କୁ ଦେଉଥିବା ଲକ୍ଷ୍ୟ କରାଯାଇଥିଲା। ୫ ମିଟର ଦୂରତାରେ ପଡ଼ୁଥିବା ବଲ୍କୁ ଆଗକୁ ଆସି ଖେଳିବା ସହ ୪ ମିଟର ଦୂରତାରେ ପଡ଼ୁଥିବା ବଲକୁ ଡ୍ରାଇଭ୍ କରିବାକୁ ଖେଳାଳିମାନେ ଚେଷ୍ଟା କରିଥିଲେ। ପାର୍ଥିବ ପଟେଲ ଏବଂ ଭୁବନେଶ୍ୱର କୁମାର ପ୍ରଥମେ ନେଟ୍ସରେ ଏହି ଅଭ୍ୟାସ କରିଥିଲେ। ତା’ ପରେ ଅଜିଙ୍କ୍ୟ ରାହାଣେ, ମୁରଲୀ ବିଜୟ, ଲୋକେଶ ରାହୁଲ ଏବଂ ଶେଷରେ ଚେତେଶ୍ୱର ପୂଜାରା, ବିରାଟ କୋହଲି ଏବଂ ରୋହିତ ଶର୍ମା ଏଭଳି ଅଭ୍ୟାସ କରିଥିଲେ। ଶତ ପ୍ରତିଶତ ସୁସ୍ଥତା ଲାଭ କରିବା ଲାଗି ଚେଷ୍ଟା ଚଳାଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ।
ବିପଦରେ ନାହିଁ ଶୀର୍ଷ ମାନ୍ୟତା
କେପଟାଉନ: ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାରେ ଭାରତର ଶୀର୍ଷ ମାନ୍ୟତାକୁ କୌଣସି ବିପଦ ନାହିଁ। ଦକ୍ଷିଣ ଆଫ୍ରିକା ଏହି ଶୃଙ୍ଖଳାକୁ ୩-୦ରେ ପୋଛି ନେଲେ ମଧ୍ୟ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖିବ। ଦକ୍ଷିଣ ଆଫ୍ରିକା ମୂଳପୋଛ ବିଜୟ ହାସଲ କଲେ ଉଭୟ ଦଳ ୧୧୮ ପଏଣ୍ଟରେ ପହଞ୍ଚିବେ। ତେବେ ଦଶମିକ ତିନି ସ୍ଥାନ ପର୍ଯ୍ୟନ୍ତ ହିସାବକୁ ନେଲେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ଆଗରେ ରହିବ। ଭାରତ ଯଦି ତିନିଟି ଯାକ ଟେଷ୍ଟ ଜିତି ନିଏ ତାହାଲେ ୧୨୮ ପଏଣ୍ଟକୁ ଲମ୍ଫ ମାରିବ। ଭାରତ ସଂପ୍ରତି ୧୨୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ ୧୧୧ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି।