ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ଫାଇନାଲ୍‌କୁ ୩ ମ୍ୟାଚ୍‌ ବିଶିଷ୍ଟ କରିବାକୁ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର ନାଥନ ଲାୟନ ପ୍ରସ୍ତାବ ଦେଇଛନ୍ତି। ଫାଇନାଲ୍‌ର ଏହି ତିନି ମ୍ୟାଚ୍‌ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଖେଳାଯିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ଯଦି କୌଣସି ଦଳ ପ୍ରଥମ ମ୍ୟାଚ୍‌ରେ ପରାଜିତ ହୁଏ, ତା‌ହେଲେ ପ୍ରତ୍ୟାବର୍ତ୍ତନ ପାଇଁ ସୁଯୋଗ ପାଇବ ଏବଂ ଫାଇନାଲ୍‌ଟି ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇପାରିବ। ଯେଉଁ ଦଳ ଅଧିକ ବିଜୟ କିମ୍ବା ପଏଣ୍ଟ ପାଇବ ସେହି ଦଳକୁ ବିଜେତା ଘୋଷଣା କରାଯିବାକୁ ସେ ପ୍ରସ୍ତାବରେ ଦର୍ଶାଇଛନ୍ତି। 

Advertisment

ଆଇସିସି ସହିତ ଏକ ବାର୍ତ୍ତାଳାପ ଭିଡିଓରେ ଲାୟନ କହିଛନ୍ତି, ତିନୋଟି ଭିନ୍ନ ଭିନ୍ନ ପରିବେଶରେ ଫାଇନାଲ୍‌ ଖେଳାଗଲେ, ଖେଳାଳିଙ୍କ ପ୍ରକୃତ ଦକ୍ଷତା ଜଣାପଡ଼ିବ। ଡବ୍‌ଲ୍ୟୁଟିସି ଫାଇନାଲ୍‌ ହେଉଛି ଟେଷ୍ଟ୍‌ କ୍ରିକେଟ୍‌ର ସର୍ବୋଚ୍ଚ ମଞ୍ଚ। ଯେତେବେଳେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଗୋଟିଏ ଦଳ ୨-୦ରେ ଜିତିଯାଉଛି, ସେତେବେଳେ ଲୋକ‌ମାନେ ଏହାକୁ ‘ଡେଡ୍‌ ରବର’ ବୋଲି କହୁଛନ୍ତି। କିନ୍ତୁ ଆଉ ଏହି ଉକ୍ତି ଶୁଣିବାକୁ ପଡ଼ିବନି। କୌଣସି ବି ଦଳକୁ ‌‘ଡେଡ୍‌ ରବର’ ବୋଲି କୁହାଯାଇପାରିବନି। କାରଣ ସବୁବେଳେ ଗୋଟିଏ ଦଳ ପାଖରେ ଆଉ ଏକ ସୁଯୋଗ ରହିଥାଏ। ଉଦାହରଣ ଭାବେ ଦେଖ‌ିଲେ ଅଷ୍ଟ୍ରେଲିଆ ଗତ ବର୍ଷ ଗାବାରେ ୱେଷ୍ଟ୍‌ଇଣ୍ଡିଜ୍‌ଠୁ ପରାଜିତ ହୋଇଥିଲା। କିନ୍ତୁ ଏହାପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଆମେ ବିଜୟୀ ହୋଇପାରିଥିଲୁ। ଏହା ହିଁ ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରକୃତ ଆହ୍ବାନ ବୋଲି ଲାୟନ କହିଛନ୍ତି। ଅଷ୍ଟ୍ରେଲିଆ ଏବେ ଡବ୍‌ଲ୍ୟୁଟିସି ତାଲିକାରେ ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି।