ରାଉରକେଲା: ଲଗାତାର ସର୍ବାଧିକ ସଂଖ୍ୟକ ମାରାଥନ ଦୌଡ଼ି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍ସରେ ନିଜ ନାଁ ଲିପିବଦ୍ଧ କରିଛନ୍ତି ରାଉରକେଲା ଜନ୍ମିତ ଅଲ୍‌ଟ୍ରାରନର୍‌ ସୁମିତ ସିଂହ। ପୂର୍ବରୁ ଥିବା ଲଗାତାର ମୋଟ୍‌ ୩୧ଟି ମାରାଥନକୁ ମଙ୍ଗଳବାର ସୁମିତ ଅତିକ୍ରମ କରିଛନ୍ତି। ମେ ୨୩ ତାରିଖ ସୁଦ୍ଧା ସେ ଲଗାତାର ମୋଟ୍‌ ୩୨ଟି ମାରାଥନ ଦୌଡ଼ିଛନ୍ତି। ତେବେ ନିଜର ରେକର୍ଡକୁ ଅତୁଟ ରଖିବାକୁ ସେ ଲଗାତାର ୩୩ଟି ମାରାଥନ ଦୌଡ଼ିବେ। ବୁଧବାର ସେ ୩୩ତମ ମାରାଥନ ଦୌଡ଼ିବେ। ତେବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡସରେ ନାଁ କରିଥିବା ନେଇ କିନ୍ତୁ ଏଯାଏ ବିଧିବଦ୍ଧଭାବେ ଘୋଷଣା କରାଯାଇନାହିଁ। ସୁମିତଙ୍କ ପ୍ରତ୍ୟେକ ଦିନର ମାରାଥନର ଭିଡିଓ ଫୁଟେଜ୍‌ ଦେଖିବା ସହ ସମୀକ୍ଷା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜଣେ କ୍ରୀଡ଼ାବିତ୍‌ ୩୦ ଦିନରେ ଲଗାତାର ୩୧ ଥର ମାରଥାନ ଦୌଡ଼ି ଏହି ରେକର୍ଡ କରିଥିଲେ। ଏହାକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାକୁ ସୁମିତ ଗତ ଏପ୍ରିଲ ୨୫ ତାରିଖରୁ ସ୍ଥାନୀୟ ଉଦିତନଗର ପଡ଼ିଆରେ ମାରାଥନ ଆରମ୍ଭ କରିଥିଲେ। ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ସେ ଦୌଡ଼ିଥିଲେ। ସଂପୂର୍ଣ୍ଣ ମାରଥାନ ହେଉଛି ୪୨.୨ କିଲୋମିଟର ବିଶିଷ୍ଟ। ସୁମିତ ୩୦ ଦିନରେ ୩୩ଟି ମାରାଥନ୍‌, ଅର୍ଥାତ୍‌ ମୋଟ୍‌ ୧୩୯୨.୬ କିଲୋମିଟର ଦୌଡ଼ିବେ।