ବେଙ୍ଗାଲୁରୁ : ଇଂଲଣ୍ଡର ଲିଆମ ଲିଭିଂଷ୍ଟୋନ୍ ଚଳିତ ଆଇପିଏଲ୍ ନିଲାମ ଋତୁର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି। ଶନିବାର ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା, ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ୍ ଏବଂ ୱେଷ୍ଟଇଣ୍ଡିଜ୍‌ର ନିକୋଲାସ୍ ପୂରନ ଯଥାକ୍ରମେ ୧୦.୭୫ କୋଟି, ୧୦ କୋଟି ଓ ୧୦.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ରବିବାର ଦ୍ବିତୀୟ ଦିନ ଲିଭିଂଷ୍ଟୋନ୍ ଏମାନଙ୍କୁ ଟପି ଯାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ଗୁଜରାଟ ଲାୟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦକୁ ପଛରେ ପକାଇ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୧.୫ କୋଟି ଟଙ୍କାରେ କିଣିଥିଲା। ଲିଭିଂଷ୍ଟୋନ୍ ନିଜ ବିସ୍ଫୋରକ ବ୍ୟାଟିଂ ସହ ଶାଣିତ ସ୍ପିନ୍ ବୋଲିଂ ପାଇଁ ପରିଚିତ।

Advertisment

publive-image The Indian Express

୨୦୨୨ରେ ଖେଳିବେନି, ତଥାପି ଆର୍ଚରଙ୍କ ଦର ୮ କୋଟି
ଇଂଲଣ୍ଡ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଚଳିତବର୍ଷ ଆଇପିଏଲ୍ ଖେଳିବେ ନାହିଁ। ଉଭୟ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ଓ ସେ ବହୁ ପୂର୍ବରୁ ଏକଥା ଜଣାଇଦେଇଥିଲେ। ତଥାପି ଆଇପିଏଲ୍ ନିଲାମର ଦ୍ବିତୀୟ ଦିନରେ ତାଙ୍କୁ ଦଳରେ ନେବା ଲାଗି ଘମାଘୋଟ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୮ କୋଟି ଟଙ୍କାରେ କିଣି ନେଇଥିଲା। ନିଜ ମୂଳ ଦରର ୪ ଗୁଣା ଟଙ୍କାରେ ବିକ୍ରି ହୋଇଥିଲେ ସେ। ଚଳିତବର୍ଷ ଅର୍ଥାତ୍ ୨୦୨୨ ଋତୁରେ ଆର୍ଚର ଖେଳି ପାରିବେନାହିଁ ବୋଲି ଜାଣିଥିଲେ ସୁଦ୍ଧା ୨୦୨୩ ଏବଂ ୨୦୨୪ ଋତୁକୁ ଆଖି ଆଗରେ ରଖି ଇସିବି ତାଙ୍କ ନାଁ ନିଲାମ ପାଇଁ ପଞ୍ଜୀକରଣ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଆର୍ଚରଙ୍କୁ ଆଖି ଆଗରେ ରଖି ତାର ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତି କରିଥିବାରୁ ତାଙ୍କୁ ନେବାକୁ ମୋଟା ଅଙ୍କ ବ୍ୟୟ କରିବାକୁ ପଛାଇ ନଥିଲା। ନିଜେ ଆର୍ଚର ଏତେ ଟଙ୍କାରେ ବିକ୍ରି ହେବେ ବୋଲି ଭାବି ନଥିବାରୁ ଟ୍ବିଟ୍ କରି ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ପୂରା ଋତୁରେ ଅନୁପସ୍ଥିତ ରହିବାକୁ ଥିବାରୁ ସେ କିନ୍ତୁ ମୂଳ ନିଲାମ ପ୍ରକ୍ରିୟାରେ ସାମିଲ ନଥିଲେ। ବରଂ ଆକସିରିଲେଟେଡ୍ ଅକସନ୍ ବା ତ୍ବରିତ ନିଲାମ ପ୍ରକିୟାରେ ସ୍ଥାନ ପାଇ ମୁମ୍ବାଇ ଦଳକୁ ଯାଇଥିଲେ। ପ୍ରଚଳିତ ନିୟମ ଅନୁସାରେ ଯଦି କୌଣସି ଖେଳାଳି ନିଲାମ ପରେ ପୂରା ଋତୁରୁ ଅନୁପସ୍ଥିତ ରୁହନ୍ତି ତେବେ ସଂପୃକ୍ତ ଖେଳାଳିଙ୍କ ଦଳ ବଦଳଖେଳାଳି ନେଇ ପାରିବ। ଏଣୁ ମୁମ୍ବାଇ ପାଖରେ ଆର୍ଚରଙ୍କ ବଦଳରେ ଆଉ ଜଣେ ଖେଳାଳିଙ୍କୁ ନେବାର ସୁଯୋଗ ରହିବ।

publive-image SportzCraazy.com

କୋଟି ପତି ପାଲଟିଲେ ବାୱା, ହଙ୍ଗର୍ଗେକର
ମାତ୍ର କିଛି ଦିନ ତଳେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ କନିଷ୍ଠ କ୍ରିକେଟର୍‌ଙ୍କର ଢେର ଚାହିଦା ମଧ୍ୟ ରବିବାରର ଆଇପିଏଲ୍ ନିଲାମରେ ରହିଥିଲା। ଦଳର ଅଧିନାୟକ ୟଶ୍ ଧୂଲ ବିଶ୍ବବିଜୟୀ ଦଳର ପ୍ରଥମ ଖେଳାଳି ଭାବେ ୫୦ ଲକ୍ଷ ଟଙ୍କା‌ରେ ନିଲାମ ହୋଇଥିଲେ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା। ତେବେ ଏହି ଦଳରେ ଥିବା ପଞ୍ଜାବର କିଶୋର ଅଲରାଉଣ୍ଡର ରାଜ୍ ବାୱାଙ୍କୁ ପଞ୍ଜାବ କିଙ୍ଗ୍ସ ୨ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରି ଦେଇଥିଲା। ବାୱା ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ୨୫୨ ରନ୍ କରିବା ସହ ୯ ୱିକେଟ୍ କରାୟତ କରିଥିଲେ। ୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ୍‌ରେ ପାଞ୍ଚ ୱିକେଟ୍ ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବୋଲର ହୋଇଥିଲେ। ତୃତୀୟ ୧୯ ବର୍ଷରୁ କମ୍ ଖେଳାଳି ଭାବେ ଭାରତୀୟ ଦ୍ରୁତ ବୋଲର ରାଜ୍ୟବର୍ଦ୍ଧନ ହଙ୍ଗର୍ଗେକରଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୧.୫ କୋଟିରେ କିଣିଥିଲା। ବିଶ୍ବକପ୍‌ର ୬ ମ୍ୟାଚ୍ ଖେଳି ୫ ୱିକେଟ୍ ଅକ୍ତିଆର କରିଥିଲେ ସେ। ତେବେ ତାଙ୍କ ନିଆରା ବୋଲିଂ ଶୈଳୀ ବିଶେଷଜ୍ଞଙ୍କୁ ବେଶ୍ ପ୍ରଭାବିତ କରିଥିଲା। ପ୍ରତିଯୋଗିତାରେ ଭାରତ ପକ୍ଷରୁ ସର୍ବାଧିକ ୧୨ ୱିକେଟ୍ ନେଇଥିବା ମହାରାଷ୍ଟ୍ର ସ୍ପିନର ଭିକ ଓସୱାଲଙ୍କୁ କେହି କିଣି ନଥିଲେ।

publive-image CricTracker.com

ଚହଳ ସୃଷ୍ଟି କଲେ ସିଙ୍ଗାପୁର କ୍ରିକେଟର୍‌ ଟିମ୍ ଡେଭିଡ୍
ରବିବାର ନିଲାମର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲେ ସିଙ୍ଗାପୁରର ୨୫ ବର୍ଷୀୟ ଅଲରାଉଣ୍ଡର ଟିମ୍ ଡେଭିଡ୍। ୬ ଫୁଟ ୫ ଇଞ୍ଚ ଇଚ୍ଚତା ବିଶିଷ୍ଟ ଡାହାଣ ହାତୀ ବ୍ୟାଟର୍‌ ଏବଂ ଡାହାଣହାତୀ ସ୍ପିନର ଡେଭିଡ୍ ମାତ୍ର ୧୪ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳି ୪୬.୫୦ ହାରରେ ୫୫୮ ରନ୍ କରିଛନ୍ତି। ସେଥିମଧ୍ୟରେ ୪ ଅର୍ଦ୍ଧଶତକ ରହିଛି। ତା ସହ କେବଳ ୫ ୱିକେଟ୍ କରାୟତ୍ତ କରିଥିବା ଡେଭିଡ୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୮.୨୫ କୋଟି ଟଙ୍କାରେ କିଣିଥିଲା। କାରବିୟାନ୍ ପ୍ରିମିୟର ଲିଗ୍, ପାକିସ୍ତାନ ପ୍ରିମିୟର ଲିଗ୍ ସହ ବିଗ୍ ବାସ୍‌ରେ ନିଜ ଯାଦୁ ଦେଖାଇ ସାରିଛନ୍ତି ସେ। ଗତବର୍ଷ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଖେଳି ଆଇପିଏଲ୍ ପଦାର୍ପଣ କରିଥିଲେ। ତାଙ୍କୁ ‌କିଣିବାକୁ ୩ରୁ ୪ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ସେହିଭଳି ୱେଷ୍ଟଇଣ୍ଡିଜର ରୋମାରିଓ ସେଫାର୍ଡଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୭.୭୫ କୋଟି ଟଙ୍କାରେ, ରଭମନ ପା‌ୱେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨.୮୦ କୋଟି ଟଙ୍କାରେ, ଆଲଜେରି ଯୋଶେଫଙ୍କୁ ଗୁଜରାଟ ଟାଇଟନ୍ସ ୨.୪୦ କୋଟି ଟଙ୍କାରେ, ନ୍ୟୁଜିଲାଣ୍ଡର ଡେଭନ୍ କନୱେଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୧ କୋଟି ଟଙ୍କାରେ ଏବଂ ୱେଷ୍ଟଇଣ୍ଡିଜର ସେର୍ଫାନେ ରଦରଫୋର୍ଡଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧ କୋଟି ଟଙ୍କାରେ କିଣିଥିଲା। ବିଦେଶୀ ଖେଳାଳିଙ୍କ ଅପେକ୍ଷା ଘରୋଇ କ୍ରିକେଟର୍‌ଙ୍କ ଉପରେ ଫ୍ରାଞ୍ଚାଇଜ ରବିବାର ଅଧିକ ଧ୍ୟାନ ଦେଇଥିଲେ।

ଏଡମେଡ୍ସ ଫେରି ଅର୍ଜୁନଙ୍କୁ ବିକିଲେ
ପ୍ରଥମ ଦିନ ନିଲାମ ଅଧାରୁ ବେହୋସ ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିବା ବ୍ରିଟିସ୍ ନିଲାମକାରୀ ହ୍ୟୁଗ୍ ଏଡମେଡ୍ସ ରବିବାର ନିଲାମର ଅନ୍ତିମ ଭାଗରେ ଫେରିଥିଲେ। ଉପସ୍ଥିତ ଅଧିକାରୀ ଏବଂ କ୍ରିକେଟର୍‌ମାନେ ତାଙ୍କୁ ଛିଡ଼ା ହୋଇ କରତାଳିରେ ସ୍ବାଗତ କରିଥିଲେ। ଗତକାଲିଠାରୁ ନିଲାମ ପ୍ରକ୍ରିୟା ପରିଚାଳନା କରୁଥିବା ଚାରୁ ଶର୍ମା ତାଙ୍କ ସସମ୍ମାନେ ମଞ୍ଚ ଛାଡ଼ି ଦେଇଥିଲେ। ଏଡମେଡ୍ସ ନିଜ ପ୍ରତ୍ୟାବର୍ତ୍ତନ ନିଲାମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବିକିଥିଲେ। ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷରେ କିଣିଥିଲା। ମାତ୍ର ‌ଗୋଟିଏ ଡାକ ପରେ ଗୁଜରାଟ ଲାୟନ୍ସ ଦୌଡ଼ରୁ ଓହରି ଯାଇଥିଲା। ଯାହା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିକାରୀଙ୍କ ମୁହଁରେ ହସର ଲହରି ଖେଳି ଯାଇଥିଲା।