ଲିଭୋଲିଫ୍‌ ମହିଳା ଟି-୨୦ ଜାନୁଆରିରେ

ଭୁବନେଶ୍ବର: ୨୦୨୧ ନୂଆ ବର୍ଷର ଆଗମନ ମହିଳା କ୍ରିକେଟ୍‌ ପାଇଁ ଏକ ନୂତନ ଆଶା ନେଇ ଆସିବ। ଅଲ୍ ୟାସିନ୍‌ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ସ୍ତରର ଟି-୨୦ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଲିଭୋଲିଫ୍‌ ମହିଳା ଟି-୨୦ ପ୍ରତିଯୋଗିତା ନାମରେ ଏହି ଫଟାଫଟ କ୍ରିକେଟ୍‌ ଜାନୁଆରି ୫ରୁ ୨୫ ତାରିଖ ମଧ୍ୟରେ ଖେଳାଯିବ। ପ୍ରତ‌ିଯୋଗିତା ଚୂଡାନ୍ତ ରୂପରେଖ ନେଇନଥିଲେ ମଧ୍ୟ ଏଥିରେ ବିଦେଶର ୩ଟି କ୍ଲବ୍‌ ଦଳ ଭାଗନେବେ। ଅନ୍ୟ ୩ଟି ଭାରତୀୟ ଦଳ ମଧ୍ୟରେ ଓଡ଼ିଶାରୁ ମଧ୍ୟ ଏକ ଦଳ ରହିବ ବୋଲି ଶୁକ୍ରବାର ଏକ ତାରକା ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲିଭୋଲିଫ୍‌ର ସିଏସଆର୍‌ ଅପରେସନ୍ସ ବିଜନ କୁମାର ଦଳାଇ ଏବଂ‌ ଜୋନାଲ୍ ମ୍ୟାନେଜର୍‌ ଦେବାଶିଷ ପଣ୍ଡା ପ୍ରକାଶ କରିଛନ୍ତି।

ଲଣ୍ଡନ, କଲମ୍ବୋ ଏବଂ ଢାକା ଦଳ ସହ ଯୋଗାଯୋଗ ସମ୍ପନ୍ନ ହୋଇଛି। ନେପାଳରୁ ଏକ ଦଳ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବା ସମ୍ଭାବନା ରହିଛି। ଏଥିରେ ଭାରତ ଓ ବିଦେଶର କିଛି ଅନ୍ତର୍ଜାତୀୟ ଖେଳାଳିଙ୍କ ଆକ୍ସନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଅଂଶଗ୍ରହଣକାରୀ ୬ ଦଳ ଲିଗ୍‌ ଫର୍ମାଟରେ ଖେଳିବା ପରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲରେ ଅବତୀର୍ଣ୍ଣ ହେବେ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ବିଏମ୍‌ସି ସହିତ ଆଲୋଚନା କରାଯାଉଛି। କିଟ୍‌ କ୍ରିକେଟ୍ ପଡିଆରେ ସମସ୍ତ ମ୍ୟାଚ୍‌ ଖେଳାଯିବା ନେଇ ମଧ୍ୟ କଥାବାର୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଶ୍ରୀ ଦଳାଇ ସୂଚନା ଦେଇଥିଲେ। ପ୍ରତିଯୋଗିତାର ଲାଭାଂଶକୁ ସ୍ଥାନୀୟ ଅନାଥ ଓ କନ୍ୟାଶ୍ରମକୁ ଦାନ କରାଯିବ ବୋଲି ଦେବାଶିଷ ପ୍ରକାଶ କରିଥିଲେ। ଭବିଷ୍ୟତରେ ମଧ୍ୟ ଅଲ୍‌ ୟାସିନ୍‌ ପକ୍ଷରୁ ଫୁଟ୍‌ବଲ୍ ଓ ହକି ପାଇଁ ସମାନ ଧରଣର ପ୍ରତିଯୋଗିତା ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର