ରୋମ୍: ଚଳିତ ୟୁରୋ ୨୦୨୦ରେ ଇଟାଲି ପ୍ରଥମ ଦଳ ଭାବେ ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚ୍ରେ ତୁର୍କିକୁ ହରାଇଥିବା ଏହି ଦଳ ବୁଧବାର ମଧ୍ୟ ରାତ୍ରିରେ ଷ୍ଟାଡିଓ ଅଲିମ୍ପିକୋରେ ଖେଳାଯାଇଥିବା ସ୍ବିଜରଲାଣ୍ଡ ବିପକ୍ଷ ମ୍ୟାଚ୍କୁ ୩-୦ ଗୋଲ୍ରେ ଜିତିନେଇଛି। ଏଥିସହ ୨ ମ୍ୟାଚ୍ରୁ ୬ ପଏଣ୍ଟ ପାଇ ଗ୍ରୁପ୍-ଏ’ର ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ଏହା ପଛକୁ ୱେଲ୍ସ (୪), ସ୍ବିଜରଲାଣ୍ଡ (୧) ଓ ତୁର୍କି (୦) ରହିଛନ୍ତି।
ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ମିଡ୍ଫିଲ୍ଡର ମାନୁଏଲ ଲୋକାଟେଲି ଗୋଲ୍ ଅଭିଯାନ ଆରମ୍ଭ କରିଥିଲା ବେଳେ ସିରୋ ଇମୋବିଲ ମୁଣ୍ଡି ମାରିଥିଲେ। ମ୍ୟାଚ୍ର ୨୬ତମ ମିନିଟ୍ରେ ଲୋକାଟେଲି ଇଟାଲି ପାଇଁ ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ। ଫଳରେ ପ୍ରଥମାର୍ଦ୍ଧକୁ ଇଟାଲି ୧-୦ ଅଗ୍ରଣୀରେ ଶେଷ କରିଥିଲା। ଦ୍ବିତୀୟାର୍ଦ୍ଧରେ ଲୋକାଟେଲି (୫୨ ମିନିଟ୍) ଆଉ ଏକ ଗୋଲ୍ ଦେଇ ଯୁଗଳ ସଫଳତା ପାଇବା ସହ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏଥିସହ ଲୋକାଟେଲି (୨୩ ବର୍ଷ) ପ୍ରତିଯୋଗିତାର ଏପର୍ଯ୍ୟନ୍ତ ସର୍ବକନିଷ୍ଠ ସ୍କୋରର୍ ହେବାର ଗୌରବ ପାଇଥିଲେ। ଇମୋବିଲି (୮୯ ମିନିଟ୍) ଦଳ ପାଇଁ ତୃତୀୟ ଗୋଲ୍ ଯୋଡ଼ିଥିଲେ। ଏହି ବିଜୟ ସହ ଇଟାଲି ତା’ର ଅପରାଜେୟ ମ୍ୟଚ୍ ସଂଖ୍ୟାକୁ ୨୩କୁ ବଢ଼ାଇଛି। ଶେଷ ୧୦ ବିଜୟରେ ଦଳ ୩୧ ଗୋଲ୍ କରିଥିଲା ବେଳେ ଗୋଟିଏ ହେଲେ ଗୋଲ୍ ବରଣ କରିନି। ଅନ୍ୟପକ୍ଷରେ ଇଟାଲି ବିପକ୍ଷରେ ନିଜର ଶେଷ ୯ ମ୍ୟାଚ୍ରୁ ସ୍ବିଜରଲାଣ୍ଡ ଗୋଟିଏ ହେଲେ ଜିତିପାରିନି। ଶେଷଥର ପାଇଁ ୨୮ ବର୍ଷ ତଳେ ହିଁ ଇଟାଲି ବିପକ୍ଷରେ ବିଜୟ ପାଇଥିଲା ସ୍ବିଜରଲାଣ୍ଡ୍। ଇଟାଲି ୨୦୧୮ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ଚଳିତ ୟୁରୋ ପ୍ରଦର୍ଶନ ବଳରେ ସଂପ୍ରତି ୨୦୨୨ ବିଶ୍ବକପ୍ ପାଇଁ ପ୍ରସ୍ତୁତ ହେଉଛି ବୋଲି ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/4h98s4f9h4fs4h5sf4h564sf56hsfhfshfshfhsfhsfhfh.jpg)