ଲମ୍ବା ଫୁଟ୍‌ବଲ୍‌ ଋତୁ, ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌

ସୁବ୍ରତଙ୍କ ସଫଳତା ମନ୍ତ୍ର

ପ୍ରଶ୍ନ: ଜାମ୍‌ସେଦ୍‌ପୁର-ବେଙ୍ଗାଲୁରୁ ଏଫ୍‌ସି ଆଇଏସ୍‌ଏଲ୍‌ ମ୍ୟାଚ୍‌ ନେଇ ଓଡ଼ିଶାରେ ଥିବା ଉତ୍ସାହ ଏବଂ କଳିଙ୍ଗ ଷ୍ଟାଡିୟମର ମାହୋଲକୁ ନେଇ ଆପଣ କ’ଣ କହିବେ?
ସୁବ୍ରତ: ମୁଁ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛି। ଫେଡେରେସନ୍‌ କପ୍‌ ଖେଳିବାକୁ ଏଠାକୁ ପ୍ରଥମ ଥର ଆସିଥିଲି। ଏପର୍ଯ୍ୟନ୍ତ ଯେତିକି ଦେଖିଛି ବହୁତ ଭଲ ଲାଗୁଛି। ସତ କହିବାକୁ ଗଲେ ଆମକୁ ଏତେ ଭଲ ଅଭ୍ୟାସ ପଡ଼ିଆ ମିଳିବ ବୋଲି ମୋର ଆଶା ନଥିଲା। ମୁଖ୍ୟ ପଡ଼ିଆର ସୁନ୍ଦରତା ବି ମୋ ମନ କିଣି ନେଇଛି। ଏହି ମ୍ୟାଚ୍‌ ମାଧ୍ୟମରେ ଓଡ଼ିଶା ଫୁଟ୍‌ବଲ୍‌ର ଢେର ବିକାଶ ହେବ ବୋଲି ଭାବୁଛି। ମ୍ୟାଚ୍‌ ଦେଖି ଏଠାକାର ପିଲାମାନେ ଫୁଟ୍‌ବଲ୍‌ ପ୍ରତି ଆଗ ଅପେକ୍ଷା ଅଧିକ ଆକର୍ଷିତ ହେବେ ବୋଲି ଭାବୁଛି।
ପ୍ରଶ୍ନ : ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଜାମ୍‌ସେଦ୍‌ପୁର ରବିବାର କର ବା ମର ସ୍ଥିତିରେ ରହିବ। ପୁଣି ବେଙ୍ଗାଲୁରୁ ହେଉଛି ପ୍ରତିଯୋଗିତାର ସବୁଠାରୁ ଶକ୍ତିଶାଳୀ ଦଳ। ଏହି ମେଗା ଲଢ଼େଇ ପାଇଁ ଆପଣଙ୍କ ଦଳ କେମିତି ପ୍ରସ୍ତୁତି କରୁଛି?
ସୁବ୍ରତ: ମୋ ପାଇଁ ସବୁ ମ୍ୟାଚ୍‌ ମହତ୍ୱପୂର୍ଣ୍ଣ। ହଁ ଏକଥା ସତ ଯେ ଏବେ ଆମେ କେବଳ ରବିବାର ମ୍ୟାଚ୍‌ କଥା ଭାବୁଛୁ। ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲଙ୍କ ପରାମର୍ଶ ମାନି ଏ ପର୍ଯ୍ୟନ୍ତ ଯେମିତି ଖେଳି ଆସିଛୁ ରବିବାର ମଧ୍ୟ ସେହି ପ୍ରଦର୍ଶନ ଦୋହରାଇବୁ ବୋଲି ଆଶା କରୁଛି। ବେଙ୍ଗାଲୁରୁ ଲିଗ୍‌ର ଶ୍ରେଷ୍ଠ ଦଳ କହିଲେ ଭୁଲ ହେବ ନାହିଁ। ଆମେ ଅବଶ୍ୟ ସେମାନଙ୍କୁ ସେମାନଙ୍କ ଘରେ ହରାଇ ସାରିଛୁ। ହେଲେ ଯାହା ଘଟି ଯାଇଛି ତାକୁ ନେଇ ଆଗକୁ ବଢ଼ି ହେବନି। ରବିବାର ଯିଏ ଭଲ ଖେଳିବ ସିଏ ଜିତିବ। ଆମେ ସଂପ୍ରତି ଯେଉଁ ସ୍ଥିତିରେ ଅଛୁ ତାର ଶ୍ରେୟ ପ୍ରଶିକ୍ଷକ ପୋଲେଲଙ୍କୁ ଯାଉଛି। ଆମେ ଏକ ପରିବାର ଭଲି ହୋଇଗଲୁଣୁ। ସମସ୍ତେ ସମସ୍ତଙ୍କୁ ବୁଝୁଛନ୍ତି। ସୁଖ ଦୁଃଖ ବାଣ୍ଟୁଛୁ। ଏହା କେବଳ ପ୍ରଶିକ୍ଷକଙ୍କ ଯୋଗୁଁ ହୋଇ ପାରିଛି।
ପ୍ରଶ୍ନ: ଆପଣଙ୍କ ଦଳର କେଉଁ ବିଭାଗରେ ଆହୁରି ଉନ୍ନତି ଆବଶ୍ୟକ ବୋଲି ଭାବୁଛନ୍ତି?
ସୁବ୍ରତ: ସବୁ ବିଭାଗରେ ଉନ୍ନତି କରିବା ଦରକାର। ଆମ ପାଖରେ ଭଲ ଖେଳାଳି ଅଛନ୍ତି। ହେଲେ ସବୁ ଦିଗରୁ ଆମେ ଭଲ ବୋଲି ମୁଁ କହି ପାରିବି ନାହିଁ। ବେଙ୍ଗାଲୁରୁ ଏକ ଭଲ ଦଳ ହୋଇଥିବାରୁ ଆମକୁ ଆମ ଖେଳର ସ୍ତର ବଢ଼ାଇବାକୁ ହେବ।
ପ୍ରଶ୍ନ : ଆଇଏସଏଲ୍‌ ଏବଂ ଆଇଲିଗ୍‌ ମଧ୍ୟରୁ କେଉଁଟି ଆପଣଙ୍କର ପସନ୍ଦର ପ୍ରତିଯୋଗିତା?
ସୁବ୍ରତ: ଆଇଏସଏଲ୍‌ ଏବେ ଭଲ କରୁଛି। ୪ ବର୍ଷ ହେଲା ଚାଲିଛି। ଏଥିରେ ବିଦେଶୀ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଆଇପିଏଲ୍‌ ଭଳି ଆଇଏସ୍‌ଏଲ୍‌ ପେସାଦାର ଲିଗ୍‌ ହୋଇଥିଲା ବେଳେ ଆଇଲିଗ୍‌ ହେଉଛି ଘରୋଇ ପ୍ରତିଯୋଗିତା। ସବୁଠାରୁ ବଡ଼ କଥା ହେଲା ଆମକୁ ୟୁରୋପ ଭଳି ଲମ୍ବା ଫୁଟ୍‌ବଲ ଋତୁ ଓ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଦରକାର। ଏହା ହେଲେ ଭାରତୀୟ ଫୁଟ୍‌ବଲ୍‌ ଆଗକୁ ଯାଇ ପାରିବ।
ପ୍ରଶ୍ନ : କ୍ରିକେଟ୍‌ରେ ରାହୁଲ ଦ୍ରାବିଡଙ୍କ ଭଳି ଆପଣଙ୍କୁ ଭାରତୀୟ ଫୁଟ୍‌ବଲ୍‌ର ‘ଦି ଓ୍ଵାଲ’ ବୋଲି କୁହାଯାଏ। ଡାଇଭ୍‌ ମାରି ବଲ୍‌କୁ ଅଟକାଇବାର ବିଚକ୍ଷଣ କଳା ପାଇଁ ‘ସ୍ପାଇଡରମ୍ୟାନ୍‌’ ଉପାଧୀ ବି ମିଳିଛି। ଏହି ବିଷୟରେ କ’ଣ କହିବେ।
ସୁବ୍ରତ: ଏମିତି କିଛି କଥା ବିଷୟରେ ମୁଁ ଭାବେ ନାହିଁ। ମୁଁ ଫୁଟବଲ୍‌ ପାଇଁ ପୂରା ପାଗଳ ଓ ସେଥିପାଇଁ ଏହି ଖେଳ ଖେଳୁଛି। ମୋ କାମ ହେଲା ଗୋଲ୍‌ ପୋଷ୍ଟକୁ ଜଗିବା। ମୁଁ କେବଳ ମୋ କର୍ତବ୍ୟ କରେ। ଫୁଟ୍‌ବଲ୍‌ ଏକ ଦଳଗତ ଖେଳ। ମୁଁ ଏକୁଟିଆ ଚାହିଁଲେ ବି କିଛି କରି ପାରିବି ନାହିଁ। ଦ୍ରାବିଡଙ୍କ ସହ ତୁଳନା ଅବଶ୍ୟ ଭଲ ଲାଗେ।
ପ୍ରଶ୍ନ : ଆପଣ ଓଡ଼ିଶାର କୌଣସି ଫୁଟ୍‌ବଲ୍‌ରଙ୍କ ସଂସ୍ପର୍ଶରେ ଆସିଛନ୍ତି କି?
ସୁବ୍ରତ: ହଁ ମୁଁ ମୋହନବାଗାନରେ ଥିଲା ବେଳେ ଓଡ଼ିଶାର ଜଣେ ଭଲ ଗୋଲ୍‌ ରକ୍ଷକ ଇମ୍ରାନ୍‌ ଖାନଙ୍କ ସହ ଖେଳିଛି। ଓଡ଼ିଶାର ଜଣେ ଭଲ ଅଗ୍ରଭାଗ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଖେଳ ଦେଖି ବଡ଼ ହୋଇଛି। ସେ ମୋହନ ବାଗାନରେ ଖେଳୁଥିଲା ବେଳେ ତାଙ୍କର ଅନେକ ମ୍ୟାଚ୍‌ ଦେଖିଛି।
ପ୍ରଶ୍ନ : ଆପଣ ଭାରତୀୟ ଫୁଟ୍‌ବଲ୍‌ର ଜଣେ ପରିଚିତ ନାଁ। ଫୁଟ୍‌ବଲ୍‌କୁ ପେସା କରିବାକୁ ଚାହୁଁଥିବା ଖେଳାଳିଙ୍କୁ ଆପଣ କି ପରାମର୍ଶ ଦେବେ? ସେମାନେ ଆଇଏସ୍‌ଏଲ୍‌ ଓ ଜାତୀୟ ଦଳ ମଧ୍ୟରୁ କେଉଁଟିକୁ ଲକ୍ଷ୍ୟ କରିବା ଉଚିତ?
ସୁବ୍ରତ: ମୁଁ କିଛି କରିବା ପୂର୍ବରୁ ଫଳ ବିଷୟରେ ଆଦୌ ଭାବେନାହିଁ। ଆମ ବେଙ୍ଗଲିରେ ଏକ କଥା ଅଛି ‘କର୍ମ କରୋ ଫଲେର ଆସା କରୋନି’। ପିଲାଙ୍କୁ କହିବି ଦେଶରୁ ଖେଳିବି କି ଆଇଏସଏଲ୍‌ ଖେଳିବି ଏକଥା ଏବେ ଆଦୌ ଭାବନାହିଁ। ସଚ୍ଚୋଟତାର ସହ କଠିନ ପରିଶ୍ରମ କରିଚାଲ। ଫଳ ଆପେ ଆପେ ମିଳିଯିବ। ଏଥିଲାଗି ଏକାଗ୍ରତା ଏବଂ ଶୃଙ୍ଖଳା ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ।
ପ୍ରଶ୍ନ : ଅବସର ପରେ କ’ଣ କରିବେ ବୋଲି ଭାବିଛନ୍ତି?
ସୁବ୍ରତ: ମୁଁ ସବୁବେଳେ ବର୍ତମାନରେ ବଞ୍ଚେ। ଆସନ୍ତାକାଲି କଣ ହେବ ସେକଥା ଭାବେ ନାହିଁ। ସମୟ ଆସିଲେ ଏହି ବିଷୟରେ ନିଷ୍ପତ୍ତି ନେବି। ଆଜି କଠିନ ପରିଶ୍ରମ କଲେ ଆସନ୍ତାକାଲି ଆପେ ଆପେ ଭଲ ହୋଇଯିବ।
ପ୍ରଶ୍ନ: ରବିବାର ମ୍ୟାଚ୍‌ ଲାଗି ଶୁଭେଚ୍ଛା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଓଡ଼ିଶାର ଫୁଟବଲପ୍ରେମୀଙ୍କୁ ଆପଣ କି ବାର୍ତା ଦେବେ?
ସୁବ୍ରତ: ଧନ୍ୟବାଦ। ରବିବାର ଷ୍ଟାଡିୟମ୍‌ ପୂରା ଭରି ଯାଉ ବୋଲି ମୁଁ ଚାହୁଁଛି। ଆମ ଘରୋଇ ମ୍ୟାଚ୍‌ ହୋଇଥିବାରୁ ଆମେ ଆମର ଶ୍ରେଷ୍ଠ ଦେବାକୁ ପ୍ରାଣପଣେ ଚେଷ୍ଟା କରିବୁ। ଦର୍ଶକ ସବୁବେଳେ ଦ୍ୱାଦଶ ଖେଳାଳିଙ୍କ କାମ କରନ୍ତି। ରବିବାର ମଧ୍ୟ ଆମକୁ ସେମାନେ ପୂରା ସମର୍ଥନ ଦେବେ ବୋଲି ଆଶା କରୁଛି। ଫଳାଫଳ ବିଷୟରେ ତ କିଛି କହି ପାରିବି ନାହିଁ। ହେଲେ ଆମେ ଆମ ପକ୍ଷରୁ ମ୍ୟାଚ୍‌ ଜିତିବାର କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି।

ଭାରତୀୟ ଫୁଟ୍‌ବଲ୍‌ର ସ୍ପାଇଡରମ୍ୟାନ୍‌
ସୁବ୍ରତ ୧୯୮୬ ଡିସେମ୍ବର ୨୪ରେ ପଶ୍ଚିମବଙ୍ଗର ସୋଦେପୁରରେ ଜନ୍ମ ଗ୍ରହଣ କରିଥିଲେ। ବେଙ୍ଗଲର କ୍ରୀଡ଼ା ମାହୋଲ ହିଁ ତାଙ୍କୁ ଫୁଟ୍‌ବଲ୍‌ ତାରକା ହେବା ପାଇଁ ଅନୁପ୍ରେରିତ କରିଥିଲା। ବିଦ୍ୟାଳୟ ସ୍ତରରେ ଭଲ କରିବା ପରେ ୨୦୦୨-୦୪ ପର୍ଯ୍ୟନ୍ତ ସୁବ୍ରତ ଟାଟା ଫୁଟବଲ୍‌ ଏକାଡେମିରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରିଥିଲେ। ୨୦୦୪ରେ ମୋହନ ବାଗାନ ଦଳରୁ ସେ କ୍ଲବ୍‌ ଜୀବନ ଆରମ୍ଭ କରିଥିଲେ। ସେହିବର୍ଷର ଫେଡେରେସନ୍‌ କପ୍‌ ଫାଇନାଲରେ ଡେମ୍ପୋ ସ୍ପୋର୍ଟର କ୍ରିଷ୍ଟିଆନୋ ଜୁନିଅରଙ୍କ ସହ ତାଙ୍କର ଜୋରଦାର ଧକ୍କା ହୋଇଥିଲା। ଏଥିରେ କ୍ରିଷ୍ଟିଆନୋଙ୍କ ଜୀବନ ଚାଲି ଯାଇଥିଲା। ଏହି ଦୁଃଖଦ ଘଟଣା ସୁବ୍ରତଙ୍କୁ ମର୍ମାହତ କରିଥିଲା। ହେଲେ ପରେ ଇଷ୍ଟବେଙ୍ଗଲ, ପୁନେ ଏଫସି, ପ୍ରୟାଗ ୟୁନାଇଟେଡ୍‌, ମୁମ୍ବାଇ ସିଟି ଏଫସି ଭଳି ଦଳରୁ ଖେଳି ଅନେକ ପ୍ରଶଂସା ସାଉଁଣ୍ଟିଥିଲେ। ଜାତୀୟ ଫୁଟ୍‌ବଲ୍‌ର ସବୁ ବୟସବର୍ଗ ଫୁଟବଲ୍‌ ଖେଳିଥିବା ସୁବ୍ରତ ୨୦୦୭ରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଅସାଧାରଣ ଗୋଲ୍‌ ରକ୍ଷଣ ଦକ୍ଷତା ପାଇଁ ଦି ଓ୍ଵାଲ ଓ ସ୍ପାଇଡରମ୍ୟାନ୍‌ ଉପାଧୀ ହାସଲ କରିଥିଲେ। ତା ସହ ୨୦୧୬ରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ପୂର୍ବତନ ଭାରତୀୟ ଗୋଲ ରକ୍ଷକ ଦେବାଶିଷ ଚାଟାର୍ଜୀଙ୍କ ଝିଅ ଦେବସ୍ମିତା ମୁଖାର୍ଜୀଙ୍କୁ ବିବାହ କରିଥିବା ସୁବ୍ରତ ସଂପ୍ରତି ଭାରତୀୟ ଫୁଟବଲ୍‌ର ଏକ ନମ୍ବର ଗୋଲ୍‌ ରକ୍ଷକର ମାନ୍ୟତା ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର