ଓଡ଼ିଶାରେ ସନ୍ତରଣର ବିକାଶ ପାଇଁ ଦୀର୍ଘମିଆଦି ଯୋଜନା: ଓଡ଼ିଶା ସରକାରଙ୍କ ସହ ଜେଏସ୍‌ଡବ୍ଲୁର ସହଭାଗିତା

ପ୍ରଶିକ୍ଷଣ ଦାୟିତ୍ବରେ ଡୌଗଲସ୍‌ ଇଗର୍‌ ଓ ସନ୍ଦୀପ ସେଜୱାଲ୍‌

ଭୁବନେଶ୍ୱର: ରାଜ୍ୟରେ ସନ୍ତରଣ କ୍ରୀଡ଼ା ପାଇଁ ଢାଞ୍ଚାଗତ ବିକାଶ ମାର୍ଗ ସୃଷ୍ଟି କରିବା ଏବଂ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ଆନ୍ତର୍ଜାତୀୟସ୍ତରରେ ସଫଳତା ଲାଗି ଲକ୍ଷ୍ୟ ରଖି ଏବେ ଓଡ଼ିଶା ଜେଏସ୍‌ଡବ୍ଲୁ ସନ୍ତରଣ ଉଚ୍ଚ କାର୍ଯ୍ୟଦକ୍ଷତା କେନ୍ଦ୍ର (ଓଜେଏସ୍‌ଏଚ୍‌ପିସି)ର ଆଉ କେତେ ପାଦ ଆଗକୁ ବଢ଼ିଛି। କଳିଙ୍ଗ ଷ୍ଟାଡିୟମରେ ଥିବା ଏହ‌ି କେନ୍ଦ୍ରର ନେତୃତ୍ୱ ନେବା ପାଇଁ ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ଡୌଗ୍‌ଲାସ ଇଗର ଏବଂ‌ ଏସିଆଡ୍‌ ପଦକ ବିଜେତା ଭାରତୀୟ ଅଲିମ୍ପିଆନ୍‌ ସନ୍ଦୀପ ସେଜ୍‌ୱାଲଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାର ଓ ଜେଏସ୍‌ଡବ୍ଲୁ ମଧ୍ୟରେ ଏହି ସ୍ୱତନ୍ତ୍ର ସହଭାଗିତା ଓଡ଼ିଶାରେ ସନ୍ତରଣ କାର୍ଯ୍ୟକ୍ରମର ବୈଷୟିକ ଦିଗଗୁଡ଼ିକୁ ମଧ୍ୟ ପ୍ରତିଫଳିତ କରୁଛି। ୮ରୁ ୧୨ ବର୍ଷ ବୟସ ବର୍ଗରେ ବିଶ୍ବ ପ୍ରତିଯୋଗିତା ଏବଂ ଅଲିମ୍ପିକ୍ସ ପାଇଁ ଫିନା ‘ଏ’ ଯୋଗ୍ୟତା ସମୟ ଅର୍ଜନ କରିବା ଲାଗି ସକ୍ଷମ ଭାରତୀୟ ସନ୍ତରଣକାରୀଙ୍କୁ ଗଢ଼ି ତୋଳିବା ଲାଗି ଏହି ଦୁଇ ଜଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନି‌‌‌ୟୋଜିତ ହୋଇଛନ୍ତି। ସନ୍ତରଣର ବିକାଶ ଲାଗି ଏହା ସର୍ବୋତ୍ତମ ଅଭ୍ୟାସ କେନ୍ଦ୍ର ପାଲଟିବ। ଏହାର ଆରମ୍ଭ ପରଠାରୁ ମୋଟ ୩୪ ଜଣ ସନ୍ତରଣକାରୀଙ୍କୁ ଚିହ୍ନଟ କରାଯାଇସାରିଛି।

ଇଗର୍‌ଙ୍କ ନିକଟରେ ଦୁଇ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି ଏବଂ ସେ ଅନେକ ଶୀର୍ଷ ଅନ୍ତର୍ଜାତୀୟ ସନ୍ତରଣକାରୀଙ୍କୁ ପ୍ରଶିକ୍ଷିତ କରିଛନ୍ତି। ସେ କହିଛନ୍ତି, ମୁଁ ଭୁବନେଶ୍ୱରରେ ସନ୍ତରଣ କାର୍ଯ୍ୟକ୍ରମକୁ ନେଇ ଅତ୍ୟଧିକ ଉତ୍ସାହିତ ଅଛି। ଏଠାରେ ଆମେ ତୃଣମୂଳ ସ୍ତରରୁ ଆରମ୍ଭ କରି ଦକ୍ଷ ସନ୍ତରଣକାରୀଙ୍କୁ ବିକଶିତ କରୁଛୁ। ଆମ ପାଖରେ ଥିବା ପ୍ରଶିକ୍ଷଣ ବ୍ୟକ୍ତିତ୍ବ ଓ ବ୍ୟବସ୍ଥାଗୁଡ଼ିକ ସହିତ ମୁଁ ନିଶ୍ଚିତ ଯେ, ଆମେ ନିକଟ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ବିଜେତା ସୃଷ୍ଟି କରିବୁ।” ସେହିଭଳି ପ୍ରତିଦ୍ବନ୍ଦ୍ବିତାମୂଳକ ସନ୍ତରଣରୁ ଅବସର ନେବା ପରେ ଅର୍ଜୁନ ପୁରସ୍କାରପ୍ରାପ୍ତ ତଥା ୧୩ଥର ଜାତୀୟ ବିଜେତା ସନ୍ଦୀପ ସେଜ୍‌ୱାଲ୍ ଏବେ ପୂର୍ଣ୍ଣକାଳୀନ ପ୍ରଶିକ୍ଷଣକୁ ଗ୍ରହଣ କରିଛନ୍ତି। ଏହି ନୂତନ ଭୂମିକା ସମ୍ପର୍କରେ ସେଜ୍‌ୱାଲ କହିଛନ୍ତି “ଅନ୍ତର୍ଜାତୀୟସ୍ତରରେ ପୁଲ୍‌ରେ ଭାରତର ପ୍ରତିନିଧିତ୍ବ କରିବା ପରେ ମୁଁ ଭାରତୀୟ ସନ୍ତରଣକାରୀଙ୍କ ପରବର୍ତୀ ପିଢ଼ିକୁ ବିକଶିତ କରିବାର ଏହି ନୂତନ ଆହ୍ୱାନକୁ ବାସ୍ତବରେ ଅପେକ୍ଷା କରିଛି। ଓଡ଼ିଶା ସରକାର ଓ ଜେଏସ୍‌ଡବ୍ଲୁ ଗ୍ରୁପ୍ ଭାରତରେ ସନ୍ତରଣ କ୍ରୀଡ଼ାର ବିକାଶ ପାଇଁ ଏଭଳି ଏକ ବିସ୍ତୃତ ରଣନୀତି ସହିତ ଏକାଠି ହବା ଏକ ଚମତ୍କାର ବିଷୟ। ମୁଁ ନିଶ୍ଚିତ ଯେ, ଏଭଳି ଏକ ଢାଞ୍ଚାଗତ କାର୍ଯ୍ୟକ୍ରମ ଆମ ଦେଶରେ ସନ୍ତରଣ ପାଇଁ ଚମତ୍କାର କାମ କରିବ।”
ଓଜେଏସ୍‌ଏଚ୍‌ପିସି, ଜେଏସ୍‌ଡବ୍ଲୁ ଦ୍ୱାରା ସ୍ଥାପିତ ଭାରତର ପ୍ରଥମ ଘରୋଇ ଅନୁଦାନପ୍ରାପ୍ତ ହାଇ ପର୍‌ଫର୍ମାନ୍ସ ସେଣ୍ଟର, ଇନ୍ସପାୟାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ (ଆଇଆଇଏସ୍‌) ଅଧିନରେ ସ୍ଥାପନ ହେଉଥିବା ଏଚ୍‌ପିସିର ଏକ ନେଟ୍‌ୱର୍କର ଅଂଶ ହେବ ଏବଂ ଓଡ଼ିଶା ପ୍ରତି ଗ୍ରୁପ୍‌ର ପ୍ରତିବଦ୍ଧତା ଏବଂ ଦେଶରେ ଅଲିମ୍ପିକ୍ କ୍ରୀଡାର ସାମଗ୍ରିକ ଅଭିବୃଦ୍ଧି ଓ ବିକାଶକୁ ଆଗକୁ ନେବ।

କ୍ରୀଡ଼ା ସଚିବ ଆର୍‌ ଭିନିଲ୍ କ୍ରିଷ୍ଣା କହିଛନ୍ତି, ସନ୍ତରଣ ହେଉଛି ଆମ ପାଇଁ ପ୍ରାଥମିକ କ୍ରୀଡ଼ା ମଧ୍ୟରୁ ଅନ୍ୟତମ। ଆମେ ଏହାକୁ ତୃଣମୂଳ ସ୍ତରରୁ ସମ୍ଭ୍ରାନ୍ତ ପର୍ଯ୍ୟନ୍ତ ଏକ କ୍ରୀଡ଼ା ଭାବେ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ କୌଶଳ ଭାବେ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ। ଜେଏସ୍‌ଡବ୍ଲୁ ଯେପରି ଓଡ଼ିଶାରେ ସନ୍ତରଣ କ୍ରୀଡ଼ାକୁ ଉନ୍ନତ ସ୍ତରକୁ ନେବା ପାଇଁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିଛି ତାହା ଦେଖି ଆମେ ଖୁବ୍ ଆନନ୍ଦିତ। ଏଚ୍‌ପିସି ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରତିଯୋଗିତାରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରୁଛନ୍ତି ଏବଂ ଆମେ ନିଶ୍ଚିତ ଯେ, ଜେଏସ୍‌ଡବ୍ଲୁ ସହ ଆମର ସ୍ୱତନ୍ତ୍ର ସହଭାଗିତା ଭବିଷ୍ୟତର ଚାମ୍ପିଅନଙ୍କୁ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।’ ଏଚ୍‌ପିସି ବ୍ୟତୀତ, ଜେଏସ୍‌ଡବ୍ଲୁ ଓଡ଼ିଶାରେ ୮ଟି ତାଲିମ କେନ୍ଦ୍ରର ଏକ ନେଟ୍‌ୱର୍କ ମାଧ୍ୟମରେ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଉଛି। ଏହା ‘ଲର୍ଣ୍ଣ ଟୁ ସ୍ୱିମ୍‌’ ପ୍ରୋଗ୍ରାମ ଯାହା ଅଧିକରୁ ଅଧିକ ପିଲାଙ୍କୁ ସନ୍ତରଣକୁ ଏକ ଜୀବନ କୌଶଳ ଭାବେ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟରେ ସନ୍ତରଣକାରୀଙ୍କ ପାଇଁ ଏକ ପ୍ରଦର୍ଶନ ମାର୍ଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ଅନ୍ତର୍ଜାତୀୟ ସନ୍ତରଣ ପ୍ରଶିକ୍ଷକଙ୍କ ସହିତ କର୍ମଶାଳା ଓ ପ୍ରମାଣପତ୍ର ମାଧ୍ୟମରେ ରାଜ୍ୟର ପ୍ରଶିକ୍ଷକଙ୍କ ନିରବଚ୍ଛିନ୍ନ ପେସାଦାର ବିକାଶ ପାଇଁ ଏକ ପ୍ରଶିକ୍ଷକ ବିକାଶ ପଦକ୍ଷେପକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି।

ସମ୍ବନ୍ଧିତ ଖବର