ସିନ୍ଧୁ ଓ ଶ୍ରୀକାନ୍ତଙ୍କ ଉପରେ ନଜର:ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଆଜିଠୁ

ବିର୍ମିଙ୍ଗ୍‌ହାମ୍‌: ମର୍ଜାଦାଜନକ ଅଲ୍‌ଇଂଲଣ୍ଡ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ। ଦୁଇ ଭାରତୀୟ ତାରକା ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହି ଦୁଇ ଭାରତୀୟ ଏଥର ନିଜ ନିଜ ବର୍ଗରେ ଟ୍ରଫି ଜିତିବାର ଲକ୍ଷ୍ୟ ରଖିଛନ୍ତି। ମହିଳା ଏକକ ପ୍ରଥମ ମୁକାବିଲାରେ ଥାଇଲାଣ୍ଡ୍‌ ଖେଳାଳି ପୋର୍ନପାଓ୍ଵି ଚୋଚୁଓ୍ଵଙ୍ଗ୍‌ଙ୍କୁ ଭେଟି ସିନ୍ଧୁ ଅଭିଯାନ ଆରମ୍ଭ କରିବାକୁ ଥିଲା ବେଳେ ପୁରୁଷ ଏକକରେ ଫ୍ରାନ୍‌ସ ତାରକା ବ୍ରାଇସ୍‌ ଲେଭରେଜ୍‌ଙ୍କୁ ଭେଟି ଶ୍ରୀକାନ୍ତ ଅଭିଯାନ ଆରମ୍ଭ କରିବେ। ଅନ୍ୟତମ ଭାରତୀୟ ଲଳନା ସାଇନା ନେହ୍ଵାଲ ପ୍ରଥମ ମୁକାବିଲାରେ ବିଶ୍ୱ ମାନ୍ୟତାର ଶୀର୍ଷ ଚାଇନିଜ୍‌ ତାଇପେ ଲଳନା ଟାଇ ସୁ ୟିଙ୍ଗ୍‌ଙ୍କୁ ଭେଟିବେ।

ସିନ୍ଧୁ ଓ ଶ୍ରୀକାନ୍ତଙ୍କ ପାଇଁ ଆରମ୍ଭ ସହଜ ମନେ ହେଉଥିଲା ବେଳେ ସାଇନାଙ୍କ ପାଇଁ କଷ୍ଟକର ହୋଇପାରେ। ଟାଇ ଜୁ’ଙ୍କ ନିକଟରୁ ସାଇନା ଶେଷ ୭ ମୁକାବିଲା ହାରିଥିବାରୁ ଏଠାରେ ବି ଆରମ୍ଭ ସହଜ ହେବନାହିଁ ବୋଲି ଆକଳନ କରାଯାଉଛି। ମାତ୍ର ଦୁଇ ଜଣ ଭାରତୀୟ ପ୍ରକାଶ ପାଦୁକୋନେ (୧୯୮୦) ଏବଂ ଏବର ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ୍‌ (୨୦୦୧) ଅଲ୍‌ଇଂଲଣ୍ଡ ପ୍ରତିଯୋଗିତା ଜିତିବାର କୀର୍ତିମାନ ନିଜ ନାମରେ ରଖିଛନ୍ତି। ଏହି ଦୁଇ ଜଣଙ୍କଠୁ ପ୍ରେରଣା ପାଉଛୁ ଏବଂ ଭାରତ ପାଇଁ ଏଠାରେ ଟ୍ରଫି ଜିତିବାର ଆଶା ରଖିଛୁ ବୋଲି ସିନ୍ଧୁ ଓ ଶ୍ରୀକାନ୍ତ କହିଛନ୍ତି। ଏହି ପ୍ରତିଯୋଗିତାରେ ଏଥର ସିନ୍ଧୁ, ସାଇନା ଓ ଶ୍ରୀକାନ୍ତଙ୍କ ବ୍ୟତୀତ ସିଙ୍ଗାପୁର ଓପନ୍‌ ବିଜେତା ସାଇ ପ୍ରଣୀତ, ବିଶ୍ୱ ମାନ୍ୟତାର ଦ୍ୱାଦଶ ଏଚ୍‌ଏସ୍‌ ପ୍ରଣୟ ମଧ୍ୟ ଟ୍ରଫି ଦାବିଦାର ଅଛନ୍ତି। ଏହି ଦୁଇ ଜଣ କୌଣସି ବି ସମୟରେ ବିପର୍ଯ୍ୟୟ ଘଟାଇବାର ସାମର୍ଥ୍ୟ ରଖିଛନ୍ତି। ଯୁଗଳରେ ଚିରାଗ ସେଟ୍ଟୀ-ସାତ୍ତ୍ୱିକ୍‌ସାଇରାଜ୍‌ ରାଙ୍କିରେଡ୍ଠୀ, ମନୁ ଅତ୍ରି-ବି ସୁମିତ୍‌ ରେଡ୍ଡୀ, ଅଶ୍ୱିନ୍‌ ପୋନାପ୍ପା-ଏନ୍‌ ସିକି ରେଡ୍ଡୀ, ପ୍ରଣବ ଜେରି ଚୋପ୍ରା-ସିକ୍କି ମଧ୍ୟ ଭାରତ ପାଇଁ ଗୌରବ ଆଣିବାକୁ ପ୍ରୟାସ କରିବେ।

ସମ୍ବନ୍ଧିତ ଖବର