କୋହଲିଙ୍କ ଅଧିନାୟକତ୍ବରେ ଖେଳିବାକୁ ଚାହିଁବସିଛି: ଫିଞ୍ଚ୍

ସିଡ୍‌ନି: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍ ଚଳିତ ବର୍ଷର ଆଇପିଏଲ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳରୁ ଖେଳିବେ। ଆରସିବି ତାଙ୍କୁ ଚଳିତବର୍ଷ ପାଇଁ କିଣିଛି। ନିଜ ଦେଶର ଜାତୀୟ ଦଳର ଅଧିନାୟକ ହୋଇଥିଲେ ମଧ୍ୟ ଫିଞ୍ଚ୍‌ଙ୍କୁ ଆଇପିଏଲ୍‌ରେ ଆରସିବି ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ଖେଳିବାକୁ ପଡ଼ିବ। ଏହା ତାଙ୍କ ପାଇଁ କୌଣସି ସମସ୍ୟା ହେବନି ବରଂ କୋହଲିଙ୍କ ଅଧିନାୟକତ୍ବରେ ଖେଳିବାକୁ ସେ ଚାହି ବସିଛନ୍ତି ବୋଲି ଫିଞ୍ଚ୍ ଗୁରୁବାର କହିଛନ୍ତି। କୋହଲିଙ୍କୁ ଜଣେ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଅଧିନାୟକ ଭାବେ ବର୍ଣ୍ଣନା କରି ଫିଞ୍ଚ୍ କହିଛନ୍ତି ଯେ ଆରସିବି ପକ୍ଷରୁ ଖେଳିବାକୁ ମୁଁ ଅପେକ୍ଷା କରି ରହିଛି।

ବିଶ୍ବର ଅନେକ ମହାନ ଖେଳାଳି ଥିବା ଦଳର ପ୍ରତିନିଧିତ୍ବ କରିବା ବେଶ୍ ମଜାଦାର ହେବ। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବା ନିଶ୍ଚିତ ଭାବେ ରୋମାଞ୍ଚଭରା ରହିବ। ସେହିଭଳି ବହୁ ଅନ୍ତର୍ଜାତୀୟ ମ୍ୟାଚ୍ ଓ ଆଇପିଏଲ୍‌ରେ କୋହଲିଙ୍କ ବିପକ୍ଷରେ ଖେଳିବା ପରେ ଏବେ ତାଙ୍କ ସହ ଖେଳିବା ମଧ୍ୟ ଏକ ଏକ ନୂଆ ଅଭିଜ୍ଞତା ହେବ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଅଭିଜ୍ଞତା ଆଇପିଏଲ୍‌ରେ ବେଶ୍ ଉପଯୋଗୀ ହେବ ବୋଲି ଫିଞ୍ଚ୍ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର