ଲଣ୍ଡନ: ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ତଥା ଅନ୍ୟତମ ମହତ୍ତ୍ବପୂର୍ଣ୍ଣ ମୁକାବିଲାରେ ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ। ଏଥିନେଇ ଉଭୟ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଦଳରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି କିମ୍ବା ଏହାର ଆଭାସ ଦେଇଛନ୍ତି। ଆସନ୍ତାକାଲି ଏହି ପ୍ରତୀକ୍ଷିତ ଲଢ଼େଇ ଆରମ୍ଭ ହେବା ପୂର୍ବରୁ ଘରୋଇ ଇଂଲଣ୍ଡ କି ଭ୍ରମଣକାରୀ ଭାରତ, କିଏ କାହା ଉପରେ ଭାରୀ ପଡ଼ିବ ସେ ଚର୍ଚ୍ଚା କ୍ରିକେଟ୍ ଜଗତକୁ ଆନ୍ଦୋଳିତ କରିଛି। ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିବାରୁ ଲର୍ଡସ ଟକ୍କର ଅଧିକ ରୋଚକ ହେବାକୁ ଯାଉଛି ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ଦୁଇ ଦେଶର ପ୍ରଶଂସକ ମଧ୍ୟ ଏବେଠୁ ନିଜ ନିଜ ଦଳର ବିଜୟକୁ ନେଇ ଅଙ୍କକଷା ଆରମ୍ଭ କଲେଣି। 

Advertisment

ଶୃଙ୍ଖଳା ଆରମ୍ଭରେ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରିଥିଲା। ହେଡିଂଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ରେକର୍ଡ ରନ୍ ଚେଜ୍ କରି ଭାରତକୁ ଚକିତ କରିଥିଲା। ଶୁବମନ୍ ଗିଲ୍‌ଙ୍କ ଯୁବ ଦଳ କିନ୍ତୁ ବର୍ମିଂହାମର ଏଜ୍‌ବାଷ୍ଟନ୍‌ରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ଗିଲ୍ ଆଗଧାଡ଼ିରେ ରହି ଦଳକୁ ବରିଷ୍ଠ ନେତୃତ୍ବ ଦେଇଥିଲେ। ଏକାକୀ ୪୩୦ ରନ୍ କରି ଇଂଲଣ୍ଡକୁ ତା’ର ଜାଲରେ ଫସାଇ ଦେଇଥିଲେ। ଭାରତ ଏହି ମ୍ୟାଚ୍‌କୁ କେବଳ ୩୩୬ ରନ୍‌ର ବଡ଼ ବ୍ୟବଧାନରେ ଜିତି ନଥିଲା, ବରଂ ଯେଉଁ ଏଜ୍‌ବାଷ୍ଟନ୍ ତା’ ପାଇଁ ଅଭେଦ୍ୟ ହୋଇ ରହିଥିଲା ସେଠାରେ ଗର୍ବ ଓ ଆତ୍ମବିଶ୍ବାସର ସହ ପ୍ରବେଶ କରିଥିଲା। ଅର୍ଥାତ୍ ଏହି ଷ୍ଟାଡିୟମ୍‌ରେ ପ୍ରଥମ ଥର ବିଜୟୀ ହେବାର ବିରଳ ସଫଳତା ଲାଭ କରିଥିଲା। ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ଏହି ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିବା ଅନ୍ୟତମ ମନୋବଳ ବୃଦ୍ଧିକାରୀ ସଫଳତା ଥିଲା। ଏଜ୍‌ବାଷ୍ଟନ୍‌ରେ ଭାରତ ସହଜ ବିଜୟ ପାଇବା ପରେ ଇଂଲଣ୍ଡ ଏବେ ଚାପରେ ରହିଛି। ଏଣୁ ଲର୍ଡସରେ ପିଚ୍ ସହ ରଣନୀତି ବଦଳାଇବାର ସଙ୍କେତ ବି ଦେଇଛି। 

ବର୍ମିଂହାମରେ ସମତଳ ପିଚ୍ କରି ଇଂଲଣ୍ଡର ‘ବାଜ୍‌ବଲ୍’ ଶୈଳୀ ବିଫଳ ହେବା ପରେ ଲର୍ଡସ୍‌ରେ ଅଧିକ ବାଉନ୍ସି, ଗତିଶୀଳ ତଥା ସିମ୍ ମୁଭ୍‌ମେଣ୍ଟ୍ ଥିବା ପିଚ୍ ପ୍ରସ୍ତୁତ କରିବାକୁ ଇଂଲଣ୍ଡ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ଏବଂ ଅଧିନାୟକ ବେନ୍ ‌ଷ୍ଟୋକ୍ସ ଲର୍ଡସ କ୍ୟୁରେଟର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଭାରତୀୟ ବ୍ୟାଟର୍‌ଙ୍କୁ ଲର୍ଡସରେ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବୁମ୍‌ରା ଏହି ମ୍ୟାଚ୍‌ରେ ଫେରିବା ଏକପ୍ରକାର ନିଶ୍ଚିତ ଥିବାରୁ ଏବଂ ଦୁଇ ଯୁବ ବୋଲର ଆକାଶ ଦୀପ ଓ ମହମ୍ମଦ ସିରାଜ ଚମତ୍କାର ଫର୍ମରେ ଥିବାରୁ ଇଂଲଣ୍ଡ ମଧ୍ୟ କମ୍ ଚିନ୍ତାରେ ନଥିବ। ଅବଶ୍ୟ ଲର୍ଡସ ରେକର୍ଡ ଭାରତ ବିପକ୍ଷରେ ରହିବା ଇଂଲଣ୍ଡକୁ କିଛିଟା ଉତ୍ସାହିତ କରିପାରେ। ତେବେ ଗିଲ୍ ବାହିନୀ ନୂଆ ରେକର୍ଡ କରିବା ଲକ୍ଷ୍ୟ ନେଇ ଇଂଲଣ୍ଡ ଯାଇଛି ଏବଂ ଲର୍ଡସ ମଧ୍ୟ ନୂଆ ଧାରା ସୃଷ୍ଟି କରିବ ବୋଲି ପ୍ରଶଂସକ ଦୃଢ଼ ଆଶା ରଖିଛନ୍ତି। 

ଇଂଲଣ୍ଡ ସପକ୍ଷରେ ରେକର୍ଡ
ଲର୍ଡସରେ ଭାରତ ଓ ଇଂଲଣ୍ଡ ପରସ୍ପର ବିପକ୍ଷରେ ୧୯ଟି ଟେଷ୍ଟ୍ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୧୨ଟି ହାରିଥିଲା ବେଳେ ମାତ୍ର ୩ଟିରେ ବିଜୟୀ ହୋଇଛି। ୪ଟି ମ୍ୟାଚ୍ ଅମୀମାଂସିତ ରହିଛି। ଶେଷ ଥର ପାଇଁ ଉଭୟ ଦଳ ୨୦୨୧ ମସିହାରେ ଏଠାରେ ପରସ୍ପରକୁ ଭେଟାଭେଟି ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ମରଣୀୟ ବିଜୟ ହାସଲ କରିଥିଲା। ଇଂଲଣ୍ଡ ଏହି ଚର୍ଚ୍ଚିତ ଷ୍ଟାଡିୟମ୍‌ରେ ଭାରତକୁ ଶେଷ ଥର ପାଇଁ ୨୦୧୮ ମସିହାରେ ପରାସ୍ତ କରିଥିଲା। ଲର୍ଡସରେ ଭାରତର ବ୍ୟାଟିଂ ମଧ୍ୟ ସେତେଟା ଭଲ ନାହିଁ। ଏଠାରେ ଖେଳିଥିବା ୩୭ ପାଳିରୁ ଭାରତୀୟ ବ୍ୟାଟର୍‌ମାନେ ମାତ୍ର ୨୪.୯୪ ହାରରେ ରନ୍ କରିଛନ୍ତି। ଲର୍ଡସରେ ଇଂଲଣ୍ଡର ସର୍ବୋଚ୍ଚ ଦଳଗତ ସ୍କୋର୍ ୬୫୩ ରହିଥିଲା ବେଳେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର୍ ହେଉଛି ୪୫୪।

୪ବର୍ଷ ପରେ ଫେରିବେ ଆର୍ଚର
ଲର୍ଡସ ଟେଷ୍ଟ୍ ଲାଗି ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ପରିବର୍ତ୍ତନ ଭାବେ ୩୦ବର୍ଷୀୟ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସାମିଲ କରିଛି। ସେ ଜୋସ୍ ଟଙ୍ଗ୍‌ଙ୍କ ସ୍ଥାନ ନେଇଛନ୍ତି। ଟଙ୍ଗ୍ ବର୍ମିଂହାମ ଟେଷ୍ଟ୍‌ର ଉଭୟ ପାଳିରେ ୨୦୦ରୁ ଅଧିକ ରନ୍ ଖର୍ଚ୍ଚ କରି ମାତ୍ର ୪ ୱିକେଟ୍ ନେଇଥିଲେ। ଏଣୁ ତାଙ୍କୁ ହଟାଇ ଆର୍ଚରଙ୍କୁ ସୁଯୋଗ ଦେଇଛି ଇଂଲଣ୍ଡ। ତେବେ ଲମ୍ବା ଆଘାତ ଜନିତ ସମସ୍ୟାରୁ ନିକଟରେ ମୁକୁଳି ଥିବା ଆର୍ଚର ପାଖାପାଖି ୪ବର୍ଷ ହେବ ଟେଷ୍ଟ୍ କ୍ରିକେଟ୍ ଖେଳି ନାହାନ୍ତି। ୧୩ ଟେଷ୍ଟ୍ ଖେଳି ୪୨ ୱିକେଟ୍ ଅକ୍ତିଆର କରିଥିବା ଆର୍ଚର ଶେଷ ଥର ଲାଗି ୨୦୨୧ ମସିହା ଫେବ୍ରୁଆରି ମାସରେଅହମଦବାଦଠାରେ ଭାରତ ବିପକ୍ଷରେ ଖେଳିଥିଲେ। ଟେଷ୍ଟ୍ କ୍ରିକେଟ୍‌ରୁ ବହୁ ସମୟ ଧରି ଅନୁପସ୍ଥିତ ରହିଥିବାରୁ ଆର୍ଚରଙ୍କ ଆତ୍ମବିଶ୍ବାସ ସେତେଟା ଦୃଢ଼ ନଥିବ, ଯାହା ଭାରତ ପାଇଁ ଭଲ ଖବର। ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍‌ରକ୍ଷକ), କ୍ରିସ୍ ଓକ୍ସ, ବ୍ରାଏଡନ୍ କାର୍ସ, ଜୋଫ୍ରା ଆର୍ଚର, ସୋଏବ୍‌ ବଶିର୍‌। 

ବୁମ୍‌ରା ବଢ଼ାଇବେ ଭାରତର ଶକ୍ତି
କାର୍ଯ୍ୟଭାରତ ପରିଚାଳନା ପାଇଁ ବର୍ମିଂହାମ ଟେଷ୍ଟ୍‌ରୁ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଭାରତ ବିଶ୍ରାମ ଦେଇଥିଲା। ହେଲେ ଲର୍ଡସ ଟେଷ୍ଟ୍‌ରେ ସେ ଫେରିବେ  ବୋଲିଂ ଅଧିନାୟକ ଗିଲ୍ ସ୍ପଷ୍ଟ ସୂଚନା ଦେଇଛନ୍ତି। ତାଙ୍କ ଉପସ୍ଥିତି ପାଇଁ ଭାରତର ବୋଲିଂ ଶକ୍ତି ନିଶ୍ଚିତ ଭାବେ ବଢ଼ିବ। ବୁମ୍‌ରା ଫେରିଲେ କିନ୍ତୁ ପ୍ରସିଦ୍ଧ କ୍ରିଷ୍ଣା ଦଳରୁ ବାଦ୍ ପଡ଼ିବେ। ଅନ୍ୟ ଏକ ବିତର୍କିତ ନିଷ୍ପତ୍ତିକ୍ରମେ ଭାରତ ଏପର୍ଯ୍ୟନ୍ତ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇ ନାହିଁ। ଲର୍ଡସରେ ବାମହାତୀ ସ୍ପିନରଙ୍କ ରେକର୍ଡ ସେତେଟା ଖରାପ ନଥିବାରୁ ଶୃଙ୍ଖଳାରେ ପ୍ରଥମ ଥର ତାଙ୍କୁ ସୁଯୋଗ ଦେବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ। ଏହା ହେଲେ ୱାସିଂଟନ୍ ସୁନ୍ଦର ବାଦ୍ ପଡ଼ି ପାରନ୍ତି। କିମ୍ବା ବ୍ୟାଟିଂ ଗଭୀରତାକୁ ଉତ୍ସର୍ଗ କରି ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତ ଖେଳାଇପାରେ। ନୀତୀଶ ମଧ୍ୟ ଶୃଙ୍ଖଳାରେ ସେମିତି କିଛି ଭଲ ପ୍ରଦର୍ଶନ କରି ନାହାନ୍ତି। କରୁଣ ନାୟର ବି ଆଶା ଜନକ ପ୍ରଦର୍ଶନ କରି ନାହାନ୍ତି। ତେବେ ଦଳ ତାଙ୍କୁ ଆଉ ଏକ ସୁଯୋଗ ଦେଇପାରେ। 

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ଉପଅଧିନାୟକ/ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍ ସୁନ୍ଦର, ଆକାଶ ଦୀପ, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ।