ଲର୍ଡସ୍‌ରେ ଦ୍ୱିତୀୟ ସଂକ୍ଷିପ୍ତ ପ୍ରଥମ ପାଳି

ଲଣ୍ଡନ: ଲର୍ଡସ ଟେଷ୍ଟ୍‌ର ପ୍ରଥମ ପାଳିରେ ଭାରତ ଲଜ୍ଜାଜନକ ବ୍ୟାଟିଂ କରି ମାତ୍ର ୧୦୭ ରନ୍‌ରେ ଅଲଆଉଟ୍‌ ହୋଇଗଲା। ଏହି ଐତିହାସିକ ପଡ଼ିଆରେ ଗତ ୧୦୦ ବର୍ଷ ମଧ୍ୟରେ ଖେଳା ଯାଇଥିବା କୌଣସି ଟେଷ୍ଟ୍‌ର ପ୍ରଥମ ପାଳିରେ ଏହା ଦ୍ୱିତୀୟ ସଂକ୍ଷିପ୍ତ (ଓଭର ଦୃଷ୍ଟିରୁ) ଦଳଗତ ସ୍କୋର ଥିଲା। ଲର୍ଡସ୍‌ରେ ଭାରତର ଏହି ଅଲୋଡ଼ା କୀର୍ତ୍ତିମାନ ସହ ଅନ୍ୟାନ୍ୟ ପରିସଂଖ୍ୟାନ ଉପରେ ଆସନ୍ତୁ ନଜର ପକାଇବା।

୩୫.୨: ଭାରତର ପ୍ରଥମ ପାଳି ୩୫.୨ ଓଭରରେ ଶେଷ ହୋଇଥିଲା। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ୧୯୭୪ରେ ଲର୍ଡସ୍‌ରେ ୧୭ ଓଭରରେ ମାତ୍ର ୪୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଯାହା ଓଭର ଆଧାରରେ ଲର୍ଡସ ପଡ଼ିଆର ସବୁଠାରୁ ଛୋଟ ପାଳି ଥିଲା।

୧: ଲର୍ଡସରେ ଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମେ ବ୍ୟାଟିଂ କରି କେବଳ ଗୋଟିଏ ଦଳ ଭାରତଠାରୁ କମ୍‌ ଓଭରରେ ଅଲଆଉଟ୍‌ ହୋଇଛି। ଜିମ୍ବାେଓ୍ଵ ଏଠାରେ ପ୍ରଥମେ ବ୍ୟାଟିଂ କରି ୩୦.୩ ଓଭରରେ ଅଲଆଉଟ୍‌ ହୋଇ ଯାଇଥିଲା। ମୋଟ ଉପରେ ଭାରତ ଲର୍ଡସ୍‌ରେ ଚତୁର୍ଥ ସଂକ୍ଷିପ୍ତ ପାଳି ଖେଳିଲା।

୯୯: ଆଉ ଏକ ପାଞ୍ଚ ଓ୍ଵିକେଟ୍‌ ସଫଳତା ସହ ଜେମ୍ସ ଆଣ୍ଡରସନ୍‌ ଲର୍ଡସରେ ବ୍ୟକ୍ତିଗତ ଭାବେ ୯୯ ଓ୍ଵିକେଟ୍‌ ଅକ୍ତିଆର କଲେ। ଏଠାରେ ୨୩ ମ୍ୟାଚ୍‌ ଖେଳି ସେ ଷଷ୍ଠ ଥର ପାଞ୍ଚ ଓ୍ଵିକେଟ୍‌ ସଫଳତା ଲାଭ କଲେ। ଆଉ ମାତ୍ର ଗୋଟିଏ ଓ୍ଵିକେଟ୍‌ ନେଲେ ଲର୍ଡସ୍‌ରେ ଓ୍ଵିକେଟ୍‌ ଶତକ ଅର୍ଜନ କରିବାରେ ସେ ପ୍ରଥମ ବୋଲର ହେବେ।

୫: ୨୦୧୬ ମସିହା ପରଠାରୁ ଚେତେଶ୍ୱର ପୂଜାରା ଟେଷ୍ଟ୍‌ କ୍ରିକେଟ୍‌ରେ ପଞ୍ଚମ ଥର ପାଇଁ ରନ୍‌ ଆଉଟ୍‌ ହେଲେ। ଏହି ସମୟ ମଧ୍ୟରେ ଭାରତର ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ମିଳିତ ଭାବେ ପାଞ୍ଚ ଥର ରନ୍‌ ଆଉଟ୍‌ ହୋଇଛନ୍ତି। ତେବେ କେହି ବି ଥରକରୁ ଅଧିକ ରନ୍‌ ଆଉଟ୍‌ ହୋଇନାହାନ୍ତି। ଭାରତୀୟ ଖେଳାଳିଙ୍କ ଗତ ୧୦ ରନ୍‌ ଆଉଟ୍‌ ମଧ୍ୟରୁ ୭ଟିରେ ପୂଜାରା ସଂପୃକ୍ତ ଅଛନ୍ତି।

୨୦୧୫: ଭାରତର ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ଶେଷ ଥର ପାଇଁ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଲର୍ଡସ୍‌ରେ ଶୁକ୍ରବାର ମୁରଲୀ ବିଜୟ (୦), ଲୋକେଶ ରାହୁଲ (୮) ଓ ଚେତେଶ୍ୱର ପୂଜାରା (୧) ଏକ ଅଙ୍କରେ ସୀମିତ ରହିଥିଲେ।

୧୩୮: ଗତ ତିନିଟି ଟେଷ୍ଟ୍‌ରେ ଲର୍ଡସ୍‌ ପଡ଼ିଆର ହାରାହାରି ପ୍ରଥମ ପାଳି ରନ୍‌ ହେଉଛି ୧୩୮। ତିନିଟି ଯାକ ଟେଷ୍ଟ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବଡ଼ ସ୍କୋର କରିିବାକୁ ସକ୍ଷମ ହୋଇ ନାହାନ୍ତି। ଭାରତର ୧୦୭ ରନ୍‌ ପୂର୍ବରୁ ୨୦୧୭ରେ େଓ୍ଵଷ୍ଟଇଣ୍ଡିଜ୍‌ ୧୨୩ ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନ ବିପକ୍ଷରେ ଘରୋଇ ଇଂଲଣ୍ଡ ୧୮୪ ରନ୍‌ରେ ସୀମିତ ରହିଥିଲା।

ସମ୍ବନ୍ଧିତ ଖବର