ଆଜିଠୁ ଲର୍ଡସ୍‌ ଲଢ଼େଇ

ପୋପ୍‌ କରିବେ ପଦାର୍ପଣ, ପୂଜାରା, କୁଲଦୀପଙ୍କୁ ନେଇ କଳ୍ପନାଜଳ୍ପନା

ଲଣ୍ଡନ: ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଗୁରୁବାରଠାରୁ ଐତିହାସିକ ଲର୍ଡସ୍‌ ପଡ଼ିଆରେ ଆରମ୍ଭ ହେବ। ଏହା ପୂର୍ବରୁ ଏଜ୍‌ବାଷ୍ଟନ୍‌ରେ ପ୍ରଥମ ମ୍ୟାଚ୍‌କୁ ରୋମାଞ୍ଚକର ଭାବେ ୩୧ ରନ୍‌ରେ ଜିତି ପାଞ୍ଚ ଟିକିଆ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ସେଥିପାଇଁ ଲର୍ଡସ୍‌ ଲଢ଼େଇରେ ଭାରତ ପାଖରେ ସ୍ଥିତି ସମାନ ସ୍ତରକୁ ଆଣିବାର ସୁଯୋଗ ଅଛି। ମହତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଉଭୟ ଦଳରେ କେତେକ ପରିବର୍ତନ ହେବାର ସଙ୍କେତ ମିଳିସାରିଛି। ଯାହା ଫଳରେ ଲର୍ଡସ୍‌ ମୁକାବିଲା ଏଜ୍‌ବାଷ୍ଟନ୍‌ ଭଳି ରୋଚକ ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ନାଇଟ୍‌ କ୍ଲବ୍‌ରେ ଗଣ୍ଡଗୋଳ କରି ଅଦାଲତରେ ଚକର କାଟୁଥିବା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏହି ଟେଷ୍ଟ୍‌ରୁ ବାଦ୍‌ ପଡ଼ିସାରିଛନ୍ତି। ନବାଗତ ଓଲି ପୋପ୍‌ ତାଙ୍କ ସ୍ଥାନ ନେବେ ବୋଲି ଇଂଲଣ୍ଡ ଘୋଷଣା କରିସାରିଛି। ଫଳରେ ପୋପ୍‌ ଲର୍ଡସ୍‌ ରେ ତାଙ୍କ ଟେଷ୍ଟ୍‌ ଜୀବନ ଆରମ୍ଭ କରିବା ସ୍ପଷ୍ଟ ହୋଇଛି। ୨୦ ବର୍ଷୀୟ ଅଲରାଉଣ୍ଡର ସାମ୍‌ କରନ ମଧ୍ୟ ଇଂଲଣ୍ଡ ବ୍ୟାଟିଂକ୍ରମର ଅନ୍ୟତମ ଆକର୍ଷଣ ହେବେ। ସେପଟେ ଭାରତୀୟ ଦଳରେ ଚେତେଶ୍ୱର ପୂଜାରାଙ୍କୁ ଦଳରେ ନେବା ଦାବି ଜୋର ଧରିଛି। ଶିଖର ଧାଓ୍ଵନ, ଲୋକେଶ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ଏଜ୍‌ବାଷ୍ଟନ୍‌ରେ ପୂରା ବିଫଳ ହୋଇଥିବାରୁ ପୂଜାରା ଏମାନଙ୍କ ଭିତରୁ ଜଣକ ସ୍ଥାନ ନେଇପାରନ୍ତି। ତେବେ ଦଳ ପକ୍ଷରୁ ଏଥିନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିବାରୁ ଏବେ ମଧ୍ୟ ଏହା ରହସ୍ୟ ଘେରରେ ରହିଛି। ଲଣ୍ଡନର ଶୁଖିଲା ପାଗ ପାଇଁ ଲର୍ଡସ୍‌ ୍‌ରେ ଦୁଇ ଜଣ ସ୍ପିନର ନେବାକୁ ବହୁ ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦୁଇ ସ୍ପିନର ନୀତି ଅପଣାଇଲେ କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ୍‌ ରେ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଗୁରୁବାର ଟେଷ୍ଟ୍‌ ଖେଳିବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ। ଭାରତ ପାଖରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇବାର ବିକଳ୍ପ ମଧ୍ୟ ଖୋଲାରହିଛି। କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୩୬ ଟେଷ୍ଟ୍‌ରେ ୩୬ ଭିନ୍ନ ଭିନ୍ନ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଛି। ଯାହା ଲର୍ଡସ୍‌ ୍‌ରେ ମଧ୍ୟ ଭାରତୀୟ ଦଳରେ ଅଦଳ ବଦଳ ସମ୍ଭାବନାକୁ ବଢ଼ାଇଛି। ଏଜବାଷ୍ଟନ୍‌ରେ ବୋଲର ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇଥିଲେ। ବ୍ୟାଟ୍ସମ୍ୟାନ୍‌ କିନ୍ତୁ ନିରାଶ କରିଥିଲେ। ଲର୍ଡସ୍‌ ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। ଅନ୍ୟଥା ଇଂଲଣ୍ଡ ଲଗାତାର ଦ୍ୱିତୀୟ ବିଜୟ ହାସଲ କରି ଶୃଙ୍ଖଳାକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ବହୁ ପୂର୍ବତନ କ୍ରିକେଟରମାନେ ଚେତାବନୀ ଦେଇଛନ୍ତି। ସେପଟେ ଲର୍ଡସ୍‌ ରେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ଖେଳାଇବାର ସମ୍ଭାବନାକୁ ଭାରତୀୟ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଅଗ୍ରାହ୍ୟ କରି ଦେଇଛନ୍ତି। ଦ୍ୱିତୀୟ ସ୍ପିନର ଖେଳାଇବାର ବିକଳ୍ପ ଖୋଲା ରହିଥିବା କିନ୍ତୁ ସେ କହିଛନ୍ତି। ଫଳରେ ଜଣେ ଅଲ୍‌ରାଉଣ୍ଡର କିମ୍ବା ଦ୍ରୁତ ବୋଲରଙ୍କ ସ୍ଥାନରେ ଆଉ ଜଣେ ସ୍ପିନରଙ୍କୁ ଭାରତ ଦଳରେ ନେବାର ଆଶା ସଂଚାର ହୋଇଛି। କ୍ୟୁରେଟର ଲର୍ଡସ୍‌ ପିଚ୍‌ରେ ଘାସ ରଖିଥିବା ଦୁଇ ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପୂର୍ବରୁ ସେ ଏହାକୁ ଛୋଟେଇ ଦେଇପାରନ୍ତି। ତଥାପି ଲର୍ଡସ୍‌ ପିଚ୍‌ ସ୍ପିନରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ) ଶିଖର ଧାଓ୍ଵନ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, ଋଷବ ପନ୍ତ, କରୁଣ ନାୟର, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍‌ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି।

ସମ୍ଭାବ୍ୟ ଇଂଲଣ୍ଡ: ଜୋ ରୁଟ୍‌ (ଅଧିନାୟକ), ଆଲେଷ୍ଟର କୁକ୍‌, କେଟନ ଜେନିଙ୍ଗ୍ସ, ଜନି ବେୟାରଷ୍ଟୋ, ଜୋସ୍‌ ବଟଲର, ଓଲି ପୋପ୍‌, ମୋଇନ ଅଲ୍ଲୀ, ଆଦିଲ ରସିଦ, ସାମ୍‌ କରନ, ଜେମ୍ସ ଆଣ୍ଡରସନ୍‌, ଷ୍ଟୁଆର୍ଟ ବ୍ରଡ୍‌, କ୍ରିସ୍‌ ଓକ୍ସ।

କୋହଲିଙ୍କୁ ସଚିନଙ୍କ ଆହ୍ଵାନ ରନ୍‌ ଭୋକ କମାଅନି

ଏଜ୍‌ବାଷ୍ଟନ୍‌ ସଫଳତା ଲର୍ଡସ୍‌ରେ ଦୋହରାଇବାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆହ୍ଵାନ କରିଛନ୍ତି। ସେହିଭଳି ରନ୍‌ ଭୋକ ପୂର୍ବ ଭଳି ଜାରି ରଖିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି। ମୁଁ କେବଳ ଏତିକି କହିବି, ଏହିଭଳି ବ୍ୟାଟିଂ ଜାରି ରଖ। ତୁମେ ଚମତ୍କାର ବ୍ୟାଟିଂ କରୁଛ। ଏହି ଧାରାକୁ ଆହୁରି ଆଗେଇ ନିଅ। ନିଜ ଚାରିପଟେ କ’ଣ ହେଉଛି, ସେଥିନେଇ ଆଦୌ ଚିନ୍ତା କରନାହିଁ। ଏକାଗ୍ରତାର ସହ ଖେଳ। ହୃଦୟକୁ ବାଟ ଦେଖାଇବାକୁ ଦିଅ ବୋଲି କୋହଲିଙ୍କ ଉଦ୍ଦେଶ୍ୟରେ ସଚିନ କହିଛନ୍ତି। ଏଜ୍‌ବାଷ୍ଟନ୍‌ରେ ଭାରତ ହାରିଥିଲେ ମଧ୍ୟ କୋହଲି ନିଜ ଚମତ୍କାର ବ୍ୟାଟିଂ ପାଇଁ ପ୍ରଶଂସାର ପାତ୍ର ବୋଲି ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଚିନ କହିଥିଲେ। ସୂଚନାଯୋଗ୍ୟ ଯେ ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌ରେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ରନ୍‌ କରିବାକୁ ସଂଘର୍ଷ କରିଥିଲେ। ହେଲେ କୋହଲି ପ୍ରଥମ ପାଳିରେ ୧୪୯ ଏବଂ ଦ୍ୱିତୀୟରେ ୫୧ ରନ୍‌ କରିଥିଲେ।

ଭାରତୀୟ ପ୍ରଶଂସକଙ୍କୁ ଇଂଲଣ୍ଡ ପ୍ରଶଂସକଙ୍କ ତାଚ୍ଛଲ୍ୟ
ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌ରେ ଭାରତ ହାରିଥିଲା। ଅଧିନାୟକ ବିରାଟ କୋହଲି କିନ୍ତୁ ନିଜ ଲଢ଼ୁଆ ବ୍ୟାଟିଂରେ ସମସ୍ତଙ୍କ ମନ ଜିତି ନେଇଥିଲେ। ଭାରତୀୟ ପ୍ରଶଂସକଙ୍କ ସହ ଇଂଲଣ୍ଡ ପ୍ରଶଂସକମାନେ ମଧ୍ୟ ତାଙ୍କ ଗୁଣଗାନ କରିବାକୁ ଭୁଲି ନଥିଲେ। ତେବେ ଭାରତ ପରାଜୟ ପରେ କେତେକ ଇଂଲଣ୍ଡ ପ୍ରଶଂସକ ଭାରତୀୟ ପ୍ରଶଂସକଙ୍କୁ କୋହଲିଙ୍କ ନାଁ ନେଇ ତାଚ୍ଛଲ୍ୟ କରୁଥିବାର ଭିଡିଓ ବୁଧବାର ପଦାକୁ ଆସିଛି। ଏଥିରେ ଇଂଲଣ୍ଡ ପ୍ରଶଂସକମାନେ ‘କୋହଲି କୁଆଡ଼େ ଗଲେ? ଆମ ପାଖରେ ଆଣ୍ଡରସନ୍‌ ଅଛନ୍ତି’ ବୋଲି କହୁଛନ୍ତି। ଏପରିକି ଭାରତୀୟ ଦଳୀୟ ବସ୍‌ ଏଜ୍‌ବାଷ୍ଟନ୍‌ ଷ୍ଟାଡିୟମ୍‌ ଛାଡ଼ୁଥିଲା ବେଳେ ଭାରତୀୟ ଏବଂ ଇଂଲିସ୍‌ ପ୍ରଶଂସକଙ୍କ ମଧ୍ୟରେ ଢେର ସମୟ ଯୁକ୍ତିତର୍କ ଲାଗିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର